‘ଫୋନି’: ଜାତୀୟ ବିପତ୍ତି ଘୋଷଣା କରିବାରେ ବାଧା କେଉଁଠି ?
୨୦୧୯ ମଇ ୩ ଓ ୪ରେ ଓଡିଶା, ପରେପରେ ପଶ୍ଚିମବଙ୍ଗ, ୫ରେ ବଙ୍ଗଳାଦେଶରେ ‘ଫଣୀ’ର ଲହଲହ ଜିହ୍ୱା ପ୍ରକୃତରେ କେତେ ଯେ କାହାକୁ ଚାଟିନେଇଛି – ତାହାର ହିସାବନିକାସ ପାଇଁ ବେଳ କାହିଁ? ମାଟିରେ ମିଶିଯାଇଛି ଉପକୂଳବର୍ତ୍ତୀ ଅଂଚଳର ଶହଶହ ଗାଁଗଣ୍ଡା । ଫସଲ କ୍ଷେତ ଆଜି ଆବର୍ଜନା ସ୍ତୂପ । ସବୁଜ ପଲ୍ଲୀ ଆଜି ନିବୁଜ, ନିର୍ଜନ ମରୁପ୍ରଦେଶ! ପୃଥିବୀର ଦର୍ଶନୀୟ ସ୍ଥାନ ପୁରୀ – ଶ୍ରୀଜଗନ୍ନାଥ ଧାମ ସମୁଦ୍ର ବେଳାଭୂମି, ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ୱର, ପ୍ରାକ୍ତନ ସ୍ମୃତିତୀର୍ଥ କଟକ ସହର ବିକଳାଙ୍ଗ । କେଉଁଠି କେତେ କ୍ଷତି ହୋଇଛି ଏବେବି କଳ୍ପନା କରିବା କଷ୍ଟକର । ସମସ୍ତେ ଯେତେବେଳେ ଜୀବନଯୁଦ୍ଧରେ ପରାଜିତ, କ୍ଷତବିକ୍ଷତ, ହତାହତ- ଠିକ୍ ସେତିକିବେଳେ ରାଜନୀତିର ରଥଚକ୍ର ତଳେ ଭୋକର ଭୂଗୋଳ ଦୁଃଖିନୀ ଓଡିଶା ଧରାଶାୟିନୀ । ପ୍ରାକୃତିକ ଓ ମନୁଷ୍ୟକୃତ ବିପତ୍ତିର ନିତ୍ୟନିୟମିତ ମହାମିଳନପୀଠ ହେଉଛି ଆମର ଏ ଦୁର୍ଭାଗା ପ୍ରଦେଶ! ବାତ୍ୟା, ବନ୍ୟା, ମରୁଡିର ଚିହ୍ନା ଚରାଭୂଇଁ ରୂପେ ଓଡିଶା ମଧ୍ୟ ବହୁ ବିପର୍ଯ୍ୟୟର ବ୍ୟଥା ଅଙ୍ଗେ ଲିଭେଇଛି – ନଅଙ୍କ ଦୁର୍ଭିକ୍ଷ ପରି ଦାରୁଣ ଦୁର୍ଦ୍ଦଶାର ଦଂଶନକୁ ବି ଦେହରେ ଭେଦାଇପାରିଛି – ମାତ୍ର ଏ ସନ୍ତ୍ରାସ ସୃଷ୍ଟିକାରୀ ସାମୁଦ୍ରିକ ତୋଫାନ୍ ‘ଫଣୀ’ ଆଜି ଏକାବେଳେକେ ଅଂଟା ଭାଙ୍ଗିଦେଇଛି ଦୁଃଖିନୀ ଓଡିଶାର । ଚୁନା କରିଦେଇଛି ତାର ମେରୁହାଡ ।
ଅସୁମାରି ଧନଜୀବନ ଉପରେ ଧ୍ୱଂସର ଧୂସର ପାଦଟୀକା ଲେଖିଦେଇ ତାର ବିଧ୍ୱଂସୀ ଭୂମିକା ନିର୍ବାହ କରିସାରିଛି ଏ ଦ୍ୱିଦଶକର କରାଳତମ ଚକ୍ରବାତ୍ୟା । କଳ୍ପନାତୀତ କ୍ଷୟକ୍ଷତିର କୁଳପର୍ବତ ଉପରେ ଛିଡାହୋଇ ଆମମାନଙ୍କୁ ଐକ୍ୟବଦ୍ଧ ହେବାକୁ ପଡିବ ନୂତନ ଯୁଗର ଜୀବନ୍ୟାସ ପାଇଁ । ଦୁର୍ଗତ, ଦୁର୍ଦ୍ଦଶାଗ୍ରସ୍ତ, ସଂକଟାପନ୍ନ ମଣିଷମାନଙ୍କ ମେଳରେ ଥାଇ ଆଉଥରେ ପ୍ରସ୍ତୁତ ହେବାକୁ ପଡିବ ପ୍ରଳୟ ବିରୁଦ୍ଧରେ ଜୟଯାତ୍ରା ଆରମ୍ଭ କରିବାପାଇଁ । ଆମକୁ ଯିବାକୁ ପଡିବ ଆମର ଲକ୍ଷଲକ୍ଷ ରୋଗ, ଶୋକ, ଭୋକରେ ଆଉଟୁପାଉଟୁ ହେଉଥିବା ଭାଇଭଉଣୀ, କୁନିକୁନି କଅଁଳ ଛୁଆମାନଙ୍କ ପାଖକୁ – ଯେଉଁମାନେ ସବୁକିଛି ହରେଇ ଜଡ ପାଲଟିଯାଇଛନ୍ତି – ସେମାନଙ୍କ ମୁହଁରେ ଅନ୍ତତଃ ହସ ମୁଠିଏ ଫେରେଇ ଆଣିନପାରିଲେ ବି ସେମାନଙ୍କ ଆଖିରୁ ପୋଛିଦେବାକୁ ପଡିବ ଧାରଧାର ଲୁହ ।
ଯାହା ଯାଇଛି, ଯାହା ଉଜୁଡିଛି – ଆଉ ଫେରିଆସିବନି ସେସବୁ । ସବୁ ଦୁଃଖସୁଖର ଦରିଆ ମଝିରେ ନ୍ୟାୟ ପାଇବାକୁ ପଡିବ ଆଉଥରେ । ଏଇ ସମୟରେ ପ୍ରୟୋଜନ ଅବିଚଳିତ ନିଷ୍ଠା, ଅକାତକାତ ସାହସ, ଉତ୍ସର୍ଗୀକୃତ ସଂଗ୍ରାମୀ ମାନସିକତା ଓ ଅପରିସୀମ ଧୈର୍ଯ୍ୟ! ସବୁବେଳେ ପ୍ରକୃତିର ପ୍ରକୋପ ବଡ ପ୍ରକଂପନଶୀଳ । ତାର ଗର୍ଜନତର୍ଜନରେ ସେ ଆମକୁ ତାଲିମ କରାଇଥାଏ – ଆଗରୁ ସତର୍କ ହୋଇପାରିଲେ ହିଁ ମୁକାବିଲା କରିହେବ ମହାବିପତ୍ତିକୁ । ସେଥିପାଇଁ ବେଳହୁଁ ସାବଧାନ । ତୋଫାନ୍ର ଏ ତାଲିମ୍ କିନ୍ତୁ ଆମର ଏ ଥଣ୍ଡାକଲିଜାକୁ ଟିକିଏ ବି ତତାଇ ମତାଇ ପାରିଲା କି? କୋଡ଼ିଏ ବର୍ଷର ଗୋଟାଏ ସରକାର କିଛି ବି ଶିଖିପାରିନି ଝଡ଼ିବଢ଼ିମରୁଡ଼ିର ପର୍ଯ୍ୟାୟକ୍ରମିକ ପ୍ରହାରରୁ! କୋଢ଼ିଆ ପ୍ରଶାସନ ଏ ଓଡ଼ିଆ ଜାତିପାଇଁ ପାଲଟିଛି ବରଂ ବାଳୁଙ୍ଗାକ୍ଷେତର ପାଳଭୂତ! ଏ ନିରାଟ ସତ୍ୟକୁ କେନ୍ଦ୍ର-ରାଜ୍ୟ ସରକାର, ବିଭିନ୍ନ ରାଜନୈତିକ ଦଳ, ଅନୁଷ୍ଠାନ ନହେଜିଲେ ଦୁର୍ଗତ ଜନଗଣଙ୍କର ଅଶାନ୍ତି, ଅସନ୍ତୋଷ, କ୍ରୋଧ, ଘୃଣା, ପ୍ରତିହିଂସାର ଆଗ୍ନେୟଗିରି ବିସ୍ଫୋରିତ ହେବାକୁ ବାଧ୍ୟ ।
ଏବେ ଏ ୨୦୧୯ର କାଳବୈଶାଖୀତ୍ରସ୍ତ ଓଡିଶା ଉପରେ ଯେଉଁ କରାଳ ଚକ୍ରବାତ୍ୟାର ତାଣ୍ଡବ ସୃଷ୍ଟି ହେଲା – ତା ଫଳରେ ଦୁଃଖିନୀ ଓଡିଶାର ଦାରିଦ୍ର୍ୟ ଓ ଦୁଃସ୍ଥିତି କେବଳ ଯେ ବହୁଗୁଣିତ ହେଇପଡିଲା ତାହା ନୁହେଁ, ସମଗ୍ର ବିଶ୍ୱଭୂଖଣ୍ଡକୁ ମଧ୍ୟ ଓଡିଶା ପ୍ରତି ସଜାଗ ଓ ସଚେତନ କରିଦେଲା । କଳନାତୀତ କ୍ଷୟକ୍ଷତି ଓ କଳ୍ପନାତୀତ ଭୟାବହତା ମଧ୍ୟରେ ଓଡିଶା ଏକ ଦୈର୍ଘ୍ୟପ୍ରସ୍ଥହୀନ ବିପନ୍ନବିଷଣ୍ଣ ବିନ୍ଦୁଟିଏର ଅସହାୟ ଅସ୍ତିତ୍ୱନେଇ ବିଶ୍ୱ ସମକ୍ଷରେ ପ୍ରତିଭାତ ହୋଇଉଠିଛି । ପୃଥିବୀର ପ୍ରତ୍ୟେକ କୋଣଅନୁକୋଣରୁ ଗୁଞ୍ଜୁରିଉଠିଛି ମାନବିକତାର ଉଦାର ଅନ୍ତଃସ୍ୱର । ଏହାକୁ ଏକ ଅନ୍ତର୍ଜାତୀୟ ବିପତ୍ତି ଭାବରେ ଚିତ୍ରଣ କରାଯିବାର ସମୟ ଆସିଯାଇଛି । ଏ ଚକ୍ରବାତ୍ୟା ଓଡିଶା ଉପରେ ଟାଣିଦେଇଛି କରାଳ ଧ୍ୱଂସର କଳାପର୍ଦା । ଓଡିଶା ଉପରେ ଚଡକ ପଡିଛି – ମହାବିପତ୍ତି ଆଜି ଚଳୁ କରିସାରିଛି ଓଡିଶାର ଅର୍ଦ୍ଧାଧିକ ଆଗାମୀ ଭବିଷ୍ୟତକୁ । ଏ ଧ୍ୱଂସସ୍ତୂପରୁ ଉଠିବାକୁ ହେଲେ ମାଟି କାମୁଡି ପଡିଥିବା ଓଡିଶାକୁ ଲାଗିଯିବ ଆହୁରି ୧୦୦ବର୍ଷ ।
ସମଗ୍ର ଭାରତବର୍ଷର ମଣିଷ ଯିଏ ଯେଉଁ କୋଣରେ ଥାଉନା କାହିଁକି – ସେ ଭାରତୀୟ । ଭାରତର ଜଳ, ସ୍ଥଳ, ଆକାଶ ସବୁ ଭାରତ ସରକାରଙ୍କର । ସବୁ ରାଜ୍ୟର ଟଙ୍କା ଯାଇ ଠୁଳ ହୁଏ ଦିଲ୍ଲୀରେ । ପୁଣି କେନ୍ଦ୍ର ବିଦେଶରୁ ଟଙ୍କା ସୁଧିଆ ଆଣେ – ବେଳେବେଳେ ଦୟାକରି ଅନ୍ୟଦେଶ ଦାନ ଦିଅନ୍ତି । ଏଇସବୁ ଟଙ୍କା ରାଜ୍ୟମାନଙ୍କୁ ବାଂଟି ଦିଆଯାଏ । ଯାହାର କଣ୍ଠସ୍ୱର ଯେତେ ଗର୍ଜମାନ, ସେ ସେଇ ପରିମାଣରେ ଟଙ୍କା ପାଏ । ସେ ଟଙ୍କା ପୁଣି ଦିଲ୍ଲୀରୁ ଆସି ରାଜ୍ୟରେ ପହଂଚିଲାବେଳକୁ ଅଧା ବାଟମାରୁ ହୋଇଯାଏ – ବାକୀ ଅଧକରୁ ଅଧା କେତେବେଳେ କେମିତି ଲୋକଙ୍କ କାମରେ ଲାଗେ କି ନ ଲାଗେ କହିହେଉନି – ହେଲେ ଏହାହିଁ ଉକ୍ରଟତମ ସତ୍ୟ ଯେ କେନ୍ଦ୍ର ଜରିଆରେ ଉପଲବ୍ଧ ଅଧିକାଂଶ ଦାନ-ଅନୁଦାନର ସିଂହଭାଗଟାକୁ ରାଜ୍ୟ ମୁଣ୍ଡିଆଳ, ଦଳ-ବଳ-କଳ ବାଂଟିନିଅନ୍ତି । ସବୁ ଟଙ୍କା କିନ୍ତୁ ଲୋକଙ୍କର – ତାହା ଲୋକଙ୍କ ପାଇଁ, ଲୋକମାନଙ୍କ ଦ୍ୱାରା ହିଁ ଖର୍ଚ୍ଚ ହେବାକୁ ଆସିଥାଏ ।
ଭାରତରେ କେତେବେଳେ ନା କେତେବେଳେ; କେଉଁଠି ନା କେଉଁଠି ଝଡି-ବଢି-ମରୁଡି, ଅଗ୍ନିବର୍ଷଣ, ଭୂମିକମ୍ପ ଲାଗିରହିଛି । ଏସବୁ ପ୍ରାକୃତିକ ବିପର୍ଯ୍ୟୟକୁ ଆଖିଆଗରେ ରଖି କେନ୍ଦ୍ର ସରକାର ‘ଜାତୀୟ ବିପର୍ଯ୍ୟୟ’ ପାଣ୍ଠି ରଖିଛନ୍ତି । ଯେତେବେଳେ ଯେଉଁଠି ବିପଦ ପଡେ, ସେଇ ପାଣ୍ଠିରୁ ଦେଇଥାନ୍ତି । ଏପର୍ଯ୍ୟନ୍ତ ଭାରତରେ କେଉଁଠି ‘ଜାତୀୟ ବିପର୍ଯ୍ୟୟ’ ଘୋଷଣା ହୋଇନାହିଁ । ମହାରାଷ୍ଟ୍ରର ଲାଟୁର୍ ଭୂମିକମ୍ପ ୧୯୯୩ ମସିହାରେ ହୋଇଥିଲା । ସେତେବେଳେ ଏହାକୁ ମଧ୍ୟ ‘ଜାତୀୟ ବିପତ୍ତି’ ସଦୃଶ କୁହାଯାଇଥିଲା । ମହାରାଷ୍ଟ୍ରରେ କିଛି ସମ୍ବଳ ଥିଲା – ବାହାରୁ ସାହାଯ୍ୟ କିଛି କିଛି କଲେ – ଲାଟୁର୍ ନୂଆ ହୋଇ ଗଢିଉଠିଲା । କିନ୍ତୁ ଲାଟୁର୍ ହେଉଛି ଯାଜପୁରରୋଡ କିମ୍ବା କେନ୍ଦ୍ରାପଡା ଭଳି ଏକ ଛୋଟ ସହର ମାତ୍ର । ଗୁଜରାଟ କେୟାନଗର ଉପରେ ମଧ୍ୟ ବିପତ୍ତି ପଡିଥିଲା । ସୁରଟ୍ରେ ପ୍ଲେଗ୍ରେ ବହୁ ଲୋକ ମଲେ । ସେଠାକାର ସରକାର ସମ୍ଭାଳି ନେଲେ ।
୧୮୬୬ ନ’ଅଙ୍କ ଦୁର୍ଭିକ୍ଷ, ୧୮୯୯ ଅନାହାର ମୃତ୍ୟୁ ଓ ବହୁ ପ୍ରାକୃତିକ–ମନୁଷ୍ୟକୃତ ବିପର୍ଯ୍ୟୟର ଅଙ୍ଗେନିଭା ଅନୁଭୂତି ହାସଲ କଲା ପରେ ଜନଗଣଙ୍କୁ ସାହାଯ୍ୟ- ସହଯୋଗ-ଥଇଥାନ କରିବା ପାଇଁ ବ୍ରିଟିଶ୍ ସରକାର ‘ରିଲିଫ୍ କୋର୍ଡ’ ଆଇନ୍ ପ୍ରଣୟନ କଲେ । ଏବେ ବି ସେହି ବ୍ରିଟିଶ ଆଇନ୍କୁ କିଛି ବଦଳାବଦଳି କରି ତଥାକଥିତ ସ୍ୱାଧୀନ ଭାରତରେ ଚଳାଯାଉଛି । ରିଲିଫ୍ କୋର୍ଡରେ ସାହାଯ୍ୟ ପ୍ରଦାନରେ ଧୁଆମୂଳା ଅଧୁଆମୂଳା ସବୁ ସମାନ । ଯିଏ ବିପଦରେ ପଡିଛି ନପଡିଛି – ସମସ୍ତେ ରିଲିଫ୍ ନେବେ । ଯେଉଁମାନେ ରିଲିଫ୍ କୋର୍ଡ କରିଥିଲେ – ସେମାନେ ଏଇ ମଣିଷ – ବଡ ବଡ ଅଫିସର – ସେମାନଙ୍କର ଭୋକଶୋଷ-ଦୁଃଖକଷ୍ଟ-ଅଭାବଅସୁବିଧା ଖୁବ୍ କମ୍ । ସେମାନେ ‘ଜାତୀୟ ବିପତ୍ତି’ କଥା ମନକୁ ଆଣିନଥିଲେ । ‘ବାପପୁଅ ରାତି ଅନିଦ୍ରା – ଏଣେ ମୁଗୁରା ପଛ ମେଲା’ ଭଳି ଆଇନ୍ର ତର୍ଜମା କରୁ କରୁ ସବୁ ଖତମ୍ ହୋଇଯାଇଥିବ ।
ପୁନଶ୍ଚ ୧୯୯୪ ମସିହାରେ ଦଶମ ଅର୍ଥ କମିଶନ ଟିକେ ବିଚାର ବୁଦ୍ଧି ଖଟେଇ ସୁପାରିଶ କଲେ – ଯେଉଁ ଭୂଖଣ୍ଡରେ ଏକ-ତୃତୀୟାଂଶ ଜନସମୁଦାୟ ପ୍ରଚଣ୍ଡ ପ୍ରାକୃତିକ ବିତ୍ପାତ ଦ୍ୱାରା ସର୍ବସ୍ୱାନ୍ତ ହୋଇପଡନ୍ତି, ସେଠି ‘ଜାତୀୟ ବିପତ୍ତି’ ଘୋଷଣା କରାଯାଇ ‘ଜାତୀୟ ବିପର୍ଯ୍ୟୟ ପାଣ୍ଠି’ ବ୍ୟତିରେକ ଅଧିକ ଅର୍ଥ ଯୋଗାଇ ଦେବାର ବନ୍ଦୋବସ୍ତ ଅଛି । ଦେଶର ଅନ୍ୟାନ୍ୟ ସ୍ଥାନରୁ, ପ୍ରୟୋଜନରେ ବିପର୍ଯ୍ୟୟ ଟିକସ କରାଇ କେନ୍ଦ୍ର ସରକାର ସବୁ ଲୋକଙ୍କର କ୍ଷୟକ୍ଷତି ଭରଣା ଓ ଥଇଥାନ ତଥା ପୁର୍ନଗଠନ ଦାୟିତ୍ୱ ନେବାକୁ ବାଧ୍ୟ । ଆଉ ମଧ୍ୟ ଦେଶବିଦେଶରୁ ସେବା-ସହାୟତା-ପାଣ୍ଠିର ସ୍ରୋତ ସମେତ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି, ବିଶ୍ୱବ୍ୟାଙ୍କର ଟଙ୍କାମୁଣିରୁ ମେଂଚାଏ ଓଡିଶାକୁ ପଶିଆସିବ ।
ସମ୍ବିଧାନରେ ଭାରତ ଏକ ରାଷ୍ଟ୍ର ବୋଲି କେଉଁଠି ଲେଖାନାହିଁ । ଭାରତ ବୋଲି କୌଣସି ନିର୍ଦ୍ଦିଷ୍ଟ ସୀମାରେଖା ନାହିଁ । ଭାରତ ରାଜ୍ୟମାନଙ୍କର ସଂଘ । ସବୁ ରାଜ୍ୟକୁ ନେଇ ଭାରତ । ସବୁଠାରୁ ବଡ କଥା କେନ୍ଦ୍ର ସରକାର, ସବୁ ରାଜ୍ୟ ସରକାର କ’ଣ ସବୁବେଳେ ସମ୍ବିଧାନ, ନିୟମ, ଆଇନ୍ ମାନି ଚଳୁଛନ୍ତି ? ଜଣାଶୁଣା ଦୁର୍ନୀତିଗ୍ରସ୍ତ ଲୋକମାନେ, ଅପରାଧୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ ହୋଇଛନ୍ତି କିପରି? ନିୟମ ଯଦି ନାହିଁ – ‘ଫଣୀ’ ଧ୍ୱଂସକାରୀ ମହାପ୍ରଳୟ ପାଇଁ ‘ଜାତୀୟ ବିପତ୍ତି’ ଘୋଷଣା କରିବାକୁ ନୂଆ ନିୟମ ପ୍ରଣୟନ କରିବାରେ ବାଧା କେଉଁଠି? ପ୍ରୟୋଜନ ପାଇଁ ସମ୍ବିଧାନ ବାରମ୍ବାର ବଦଳିଛି । ଓଡିଶା ପାଇଁ ଏତେ କୁଣ୍ଠା କାହିଁକି ? ପ୍ରୟୋଜନରେ ସମ୍ବିଧାନରେ ଜାତୀୟ ବିପତ୍ତି ଯୋଡ । ଯାହା ଜଣାପଡୁଛି, ଭାରତବାସୀଙ୍କୁ ଏ ନେତାମାନେ ଭୁଆଁ ବୁଲାଇବାର ବଦଭ୍ୟାସକୁ ଏଯାବତ ବଜାୟ ରଖିଛନ୍ତି । ବ୍ରିଟିଶ୍ ଶାସନକାଳରେ ୧୯୪୨ ବଙ୍ଗଳା ଦୁର୍ଭିକ୍ଷ ପଡିଲା । ଲକ୍ଷଲକ୍ଷ ଲୋକ ମଲେ । ବ୍ରିଟିଶ୍ ପାଖରେ ଧନ ଥାଇ ମଧ୍ୟ ‘ଗୋଲାମ’ ମାନଙ୍କୁ ପୋକମାଛି ଭଳି ମାରିଦେଲେ ।
‘ଜାତୀୟ ବିପତ୍ତି’ ଘୋଷଣା ହେଲେ ଧ୍ୱଂସର ଧୂସର ଭଗ୍ନସ୍ତୂପ ଭିତରୁ ନୂଆ ଓଡିଶା, ଧନଧାନ୍ୟରେ ପରିପୂର୍ଣ୍ଣ ନିଆରା ନକ୍ସାର ଓଡିଶା ଗଢିଉଠିବ । ପ୍ରତ୍ୟେକ ବିପନ୍ନ ପରିବାର ପାଇଁ ବାତ୍ୟା, ବନ୍ୟା ନିରୋଧକ କୋଠାଘର ତିଆରି ହେବ । ସେମାନଙ୍କୁ ଅତି କମ୍ରେ ବର୍ଷକର ଖାଦ୍ୟ ଯୋଗାଇ ଦେଇହେବ । ପରିବାରକୁ ଗାଈ, ବଳଦ, ଛେଳି, ମେଣ୍ଢା, ମଇଁଷି, ବତକ, କୁକୁଡା ଯୋଗାଇ ଦେଇହେବ । ଜମିକୁ ଜଳଯୋଗାଣ ସମେତ ଅନ୍ଧାରରାତିକୁ ବିଦ୍ୟୁତ୍ଯୋଗାଣ ଜରିଆରେ ମଧ୍ୟ ଦୂର କରାଯାଇପାରିବ । ବୃହତକାୟ ପୋଖରୀ ଖୋଳାଯାଇ ମାଛଚାଷ କରାଯିବ – ପୋଖରୀ ଉପରେ କୁକୁଡା ଫାର୍ମ କରାଯିବ । ସବୁ କିସମର ବିହନ, ମଞ୍ଜି ଯୋଗାଇ ଚାଷର ପୁନରୁଦ୍ଧାର କରାଯିବ । ଲୋକଙ୍କୁ କାମଧନ୍ଦା ଯୋଗାଇବା ପାଇଁ ନୂଆ ଶିଳ୍ପ ଗଢିଉଠିବ – ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାପାଇଁ ଗାଁଗହଳିରେ ଅତ୍ୟାଧୁନିକ ହସପିଟାଲ ନିର୍ମାଣ ହେବ – ଗମନାଗମନ ପାଇଁ ପ୍ରଶସ୍ତ ପକ୍କାରାସ୍ତା ତିଆରି ହେବ । ବିଜୁଳି, ଟେଲିଫୋନ୍, ମୋବାଇଲ୍ ରିହାତି ଦରରେ ମିଳିବ । ବ୍ୟବସାୟୀଶ୍ରେଣୀ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦର ସ୍ଥିର ରଖିବାକୁ ବାଧ୍ୟ ହେବେ । ପୁଣି ଶିକ୍ଷାର ସର୍ବବୃହତ୍ ସୁବିଧା ପାଇଁ ଭାଙ୍ଗିଯାଇଥିବା ସ୍କୁଲ, କଲେଜ ଗଢ଼ାଯିବା ସମେତ ଜନଜୀବନ କ୍ଷେତ୍ରରେ ସ୍ୱାଭାବିକତା ଫେରାଇ ଆଣିବା ପାଇଁ ଚିକିତ୍ସାଳୟ, ସାଂସ୍କୃତିକ ଅନୁଷ୍ଠାନ, କ୍ଲବ୍ ଘର, ବତିଘର, ବିମାନବନ୍ଦର, ଯାତାୟତ ପଥ ଓ ପୋଲଗୁଡ଼ାକୁ ଆଗ ଅପେକ୍ଷା ଆହୁରି ମଜୁବୁତ୍ କରି ତିଆରି କରାଯାଇପାରିବ । ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଶିକ୍ଷାଦାନ ଅତିକମ୍ରେ ୨ବର୍ଷ ପାଇଁ ଦେବାକୁ ହେବ । ସ୍ୱାଭିମାନ ଥିବା ଲୋକମାନଙ୍କୁ ନିଜ କ୍ଷେତବାଡିରେ ଫସଲ ଫଳାଇବା ପାଇଁ, ଗାଈ ରଖି କ୍ଷୀର ଖାଇବା ପାଇଁ ଟ୍ରାକ୍ଟର ଇତ୍ୟାଦି ଚାଷଉପକରଣ ପାଇଁ ଅତି କମ୍ ସୁଧରେ ଋଣ ଯୋଗାଇଦେଇହେବ । କୁଟୀରଶିଳ୍ପ, ମଧ୍ୟମଶିଳ୍ପ ପାଇଁ ମଧ୍ୟ ଋଣ ନେଇ ହେବ । ଏପରିକି ପିଛିଲା ସବୁ ଋଣ ଛାଡ କରିଦେଇହେବ, ଜିନିଷପତ୍ରରେ ସବ୍ସିଡି ମିଳିବ । ଏସବୁ ବନ୍ଦୋବସ୍ତ ହେଲେ ପରିବାର ପିଛା ଅତି କମ୍ରେ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଯେଉଁମାନେ ଗାଁଗଣ୍ଡାରେ ଦରିଦ୍ର ଥିଲେ, ଦଳିତ ଥିଲେ, ଦୁର୍ଗତ ଥିଲେ, କ୍ଷୁଦ୍ରଚାଷୀ ଥିଲେ, ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଥିଲେ ସେମାନେ ଏ ସୁବିଧା ପାଇବେ – ଏମାନଙ୍କ ସଂଖ୍ୟା ଓଡିଶାରେ ୧୦୦ରୁ ୯୦ ଭାଗ ହେବ । ବାକି ୧୦ ଭାଗ ଯେଉଁମାନେ ବଡଚାଷୀ, ଘରେ ଶିକ୍ଷିତ – ଚାକିରିବାକିରି କରିଥିଲେ – ପାଂଚପୁରୁଷର ଖାନଦାନି ଥିଲା – ପାଂଚଲୋକଙ୍କୁ ଖୁଆଉଥିଲେ – ଦାନଖୈରାତ କରୁଥିଲେ, ସେମାନଙ୍କର କ୍ଷତି ମଧ୍ୟ ହୋଇଛି । ସେମାନେ ବି ବର୍ତ୍ତମାନ ଦାଣ୍ଡର ଭିକାରି – ରିଲିଫକୁ ଚାହିଁଛନ୍ତି – କେତେକ ସ୍ୱାଭିମାନ ପାଇଁ ରିଲିଫ୍ ଧାଡିରେ ଠିଆନହୋଇ, ହାତ ନପତାଇ ଆଖିର ଲୁହକୁ ପିଇକରି ବଂଚିଛନ୍ତି । ମରିଯିବେ ପଛେ ହାତ ପତେଇବାକୁ ସେମାନଙ୍କ ମନ ମାନୁନାହିଁ । ସେମାନେ ‘ଜାତୀୟ ବିପତ୍ତି’ ଘୋଷଣାରେ ଉପକୃତ ହେବେ । ମାଟିର ଓଡିଶା, ଲୁହାର ଓଡିଶା ପରିଣତ ହୋଇପାରିବ ସୁନାର ଓଡିଶାରେ । କେବଳ ଧନରେ ନୁହେଁ, ଜୀବନଶକ୍ତିରେ ମଧ୍ୟ ଓଡିଶାର ଅଗ୍ରଗତି ହୋଇପାରିବ ନବଶ୍ଚୁମ୍ବୀ । ଦରିଦ୍ର, ଅନଗ୍ରସର ଓଡିଶା ଭାରତବର୍ଷର କେଉଁ ଅପନ୍ତରା ମଧ୍ୟରେ ଗାଁ କନିଆ ସିଙ୍ଗାଣିନାକି ପରି ଆଉ ଘୃଣିତ ଓ ଉପେକ୍ଷିତ ଭାବମୂର୍ତ୍ତି ନେଇ ଜାତୀୟ ମଂଚରେ ଉପହସିତ ହେବନାହିଁ । ଓଡିଶା ଓ ଓଡିଶାବାସୀ ଆଉ ମଥା ନୁଆଁଇ କଥା କହିବେନାହିଁ । ଜୀର୍ଣ୍ଣ, ବିକଳ ଭଗ୍ନସ୍ତୂପ ଉପରେ ନବନିର୍ମାଣର ସ୍ୱପ୍ନ ସାକାର ହେବ ନିଶ୍ଚିତ ରୂପେ । ତା’ହେଲେ ଓଡିଶାର ଏଇ ଅଦ୍ଭୂତପୂର୍ବ ବିପର୍ଯ୍ୟୟକୁ ‘ଜାତୀୟ ବିପତ୍ତି’ ରୂପେ ଘୋଷଣା କରିବାରେ ବାଧା କେଉଁଠି?
ଏବେ ‘ଫଣୀ’ର ତାଣ୍ଡବଲୀଳା ସମଗ୍ର ବିଶ୍ୱବାସୀଙ୍କୁ ପ୍ରଭାବିତ କରିଛି । ଅତଏବ ଏବେ କାନ୍ଦିବାର ବେଳ ନୁହେଁ – ଯଦି ପାରୁଛ ନବୀନବାବୁ! କେନ୍ଦ୍ରକୁ ଚିଠି ଲେଖ – ଓଡ଼ିଶା ପାଇଁ ସ୍ୱତନ୍ତ୍ର ପାହ୍ୟା ପଛକୁ ଥାଉ – ମାନବିକ ଅଧିକାରର ଅଧିନିୟମାବଳୀକୁ ବରଂ ଆଗେ କାର୍ଯ୍ୟକାରୀ କରିବାର ଦାବୀ ଜଣାଅ । ମୋଦି ମହାଶୟ ମଧ୍ୟ ବିଶ୍ୱସମୁଦାୟଙ୍କୁ ଓ ଜାତିସଂଘକୁ ୧୦୦ ବର୍ଷ ପଛକୁ ଫେରିଯାଇଥିବା ଓଡ଼ିଶା ପାଇଁ ବିଭିନ୍ନ କ୍ଷେତ୍ରରେ ଆଗୁଆ ପଦକ୍ଷେପ ନେବାକୁ ଏକ ଐକ୍ୟବଦ୍ଧ ଅଭିଯାନର ଅୟମାରମ୍ଭ ଉଦ୍ଦେଶ୍ୟରେ ଗୁହାରି କରନ୍ତୁ – ଓଡିଶାର ଏ ଅକାଳ ବିପର୍ଯ୍ୟୟକୁ ‘ଅନ୍ତର୍ଜାତୀୟ ବିପତ୍ତି’ ଘୋଷଣା କରନ୍ତ ।
ମାୟାଧର ନାୟକ
ଯାଜପୁରରୋଡ୍, ଯାଜପୁର
ଫୋନ – ୯୮୬୧୦୩୪୧୬୩


