ଫୋନି ପ୍ରଭାବିତ ଅଂଚଳରେ ମୋବାଇଲ୍ ଏଟିଏମ୍ ବ୍ୟବସ୍ଥା : ଧର୍ମେନ୍ଦ୍ର ପ୍ରଧାନ
ଭୁୁବନେଶ୍ୱର : ରାଜ୍ୟରେ ଫୋନି ପ୍ରଭାବିତ ଅଂଚଳରେ ଟଙ୍କା ଉଠାଣରେ କୌଣସି ଅସୁବିଧା ରହିବ ନାହିଁ । ଏଟିଏମ୍ ଗୁଡିକ ଶୀଘ୍ର କାର୍ଯ୍ୟକ୍ଷମ ହେବାର ଯୋଜନା କରାଯାଉଛି । ବାତ୍ୟା ପ୍ରଭାବିତ ଅଂଚଳରେ ମୋବାଇଲ ଏଟିଏମ୍ ବ୍ୟବସ୍ଥା ପ୍ରଚଳନ ପାଇଁ ସମସ୍ତ ବ୍ୟାଙ୍କ ଗୁଡିକ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ରାଜ୍ୟରେ ସମସ୍ତ ବ୍ୟାଙ୍କ ମଧ୍ୟରେ ସମନ୍ୱୟ କରିବା ପାଇଁ ଏକ କଂଟ୍ରୋଲରୁମ୍ ରାଜ୍ୟରେ ଖୋଲିବ । ଏହାର ଦାୟିତ୍ୱ ଏସଏଲବିସିକୁ ଦିଆଯାଇଛି ବୋଲି ଆରବିଆଇ ସମେତ ସମସ୍ତ ସରକାରୀ ଓ ଘରୋଇ ବ୍ୟାଙ୍କର ଅଧିକାରୀ ମାନଙ୍କ ସହ ଫୋନି ବାତ୍ୟା ପରବର୍ତୀ କାମରେ ବ୍ୟାଙ୍କର ଭୂମିକା ଉପରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବ୍ୟାଙ୍କିଙ୍ଗ୍ ନେଟଓାର୍କ ଗୁଡିକ ଠିକ୍ କାମ ପାଇଁ ଟେଲିକମ୍ କମ୍ପାନୀ ଗୁଡିକର ସହାୟତା ନିଆଯିବ । ପୁରୀ-ଭୁବନେଶ୍ୱର-ଖୋର୍ଦ୍ଦା ପରି ସ୍ଥାନରେ ମୋବାଇଲ ଏଟିଏମ୍ ଓ ପିଏସଓ ମେସିନ୍ ଯୋଗାଇବା ପାଇଁ କୁହାଯାଇଛି । ଏହାମଧ୍ୟରେ ଏସବିଆଇ ଏକ ମଡେଲ ଡେଭଲପ୍ କରିଛି । ଏହାକୁ ଅନ୍ୟାନ୍ୟ ବ୍ୟାଙ୍କ ଅନୁକରଣ କରିବାର ନିଷ୍ପତି ନିଆଯାଇଛି । ବ୍ୟାଙ୍କ୍ ପାସବୁକ୍ ଦେଖାଇ ୨ହଜାର ଟଙ୍କା ଯାଏଁ ନଗଦ ମିଳିପାରିବ । ଗ୍ରାହକଙ୍କୁ ପଇଷା ଦେବା ଏକ ବଡ ପ୍ରାଥମିକତା । ଆରବିଆଇ ଆଜି ବଡ ଆଶ୍ୱସ୍ତି କରିଛି ଟଙ୍କାର ଅଭାବ ରହିବ ନାହିଁ । ଯେଉଁ ଦୁର୍ଗମ ଅଂଚଳକୁ ଗାଡି ଯାଇ ପାରୁନାହିଁ ସେଠାକୁ କିପରି ଗାଡି ଯାଇପାରିବ ସେଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡାଯାଇଛି । ବ୍ୟାଙ୍କ୍ ଗୁଡିକ ପକ୍ଷରୁ ଜେନସେଟ୍ ଲଗାଯାଇଥିବା ବେଳେ ଜେନସେଟ ପାଖରେ ଡିଜେଲ ପହଁଚାଇବା ପାଇଁ ପେଟ୍ରୋଲିୟମ କମ୍ପାନୀ ଗୁଡିକ ତତ୍ପର ହେବେ ବୋଲି ସେ କହିଛନ୍ତି ।
ଆଜିର ସମୟରେ ବ୍ୟାଙ୍କିଙ୍ଗ୍ ସେବା ବହୁତ ଅତ୍ୟାବଶ୍ୟକ ସେବା ହୋଇପଡିଛି । ବାତ୍ୟା ଯୋଗୁଁ ଗୁଡାଏ ସ୍ଥାନରେ ବ୍ୟାଙ୍କ କ୍ଷତିଗ୍ରସ୍ତ ହୋଇଛି । ଏଟିଏମ ଗୁଡିକ କାମ କରୁନାହିଁ । ଏପରି ସ୍ଥିତିରେ କିପରି ତତକାଳ ସେବା ମିଳିପାରିବ ସେଥିପାଇଁ ୨୫ରୁ ଅଧିକ ବ୍ୟାଙ୍କର ଅଧିକାରୀ ମାନଙ୍କ ସହ ଆଲୋଚନା ହୋଇଛି । ରାଜ୍ୟରେ ବିଜୁଳି ଏବେ ଏକପ୍ରକାର ଆହ୍ୱାନ ଥିବାବେଳେ ବହୁତ ବ୍ୟାଙ୍କ୍ ଲୋକମାନଙ୍କୁ ସେବା ଯୋଗାଇବା ପାଇଁ ଜେନସେଟ୍ ଆଣିସାରିଛନ୍ତି । ଆହୁରି ଅଧିକ ଜେନସେଟ୍ ଆଣିବା ପାଇଁ ବ୍୍ୟାଙ୍କ ଅଧିକାରୀ ମାନେ କହିଛନ୍ତି । ବାତ୍ୟା ସମୟରେ ବ୍ୟାଙ୍କ୍ ଗୁଡିକର କାମ ପ୍ରଂଶସନୀୟ । ବାତ୍ୟାରେ ପୁରୀର ହୋଟେଲ ଶିଳ୍ପ ଧ୍ୱଂସ ହୋଇଯାଇଛି । ସେମାନେ କିପରି ତାଙ୍କର ବ୍ୟବସ୍ଥାରେ ସୁଧାର ଆଣିବେ ସେଥିପାଇଁ ତାଙ୍କୁ ବ୍ୟାଙ୍କ ମାନଙ୍କର ସହଯୋଗର ଆବଶ୍ୟକତା ରହିଛି । ସେମାନଙ୍କୁ ଋଣ ଦେବା ପକ୍ରିୟାରେ କିପରି ସରଳୀକରଣ ହେବ ତାହା ଉପରେ ଦୃଷ୍ଟି ଦେବାପାଇଁ ବ୍୍ୟାଙ୍କ ଅଧିକାରୀ ମାନଙ୍କୁ କୁହାଯାଇଛି । ସେହିପରି ଛୋଟଚାଷୀ, ଛୋଟଦୋକାନୀ ଓ ପଶୁସମ୍ପଦ ହରାଇଥିବା ବ୍ୟବସାୟୀ ମାନଙ୍କୁ କିପରି କମ୍ ସୁଧରେ ଋଣ ମିଳିପାରିବ ତାହା ଉପରେ ବ୍ୟାଙ୍କ ଅଧିକାରୀ ମାନଙ୍କ ସହ ଆଲୋଚନା ହୋଇଛି । ଓଡିଶାର ବିପଦ ସମୟରେ ଛିଡା ହେବାପାଇଁ ସମସ୍ତ ବ୍ୟାଙ୍କ କର୍ମଚାରୀ ମାନେ ନିଷ୍ପତି ନେଇଛନ୍ତି । ଏଥିପାଇଁ ସେମାନେ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେବାପାଇଁ ସ୍ଥିର କରିଛନ୍ତି । ଏହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ।