ଫ୍ଲିପ୍ କାର୍ଟ ହବ୍ ସେଣ୍ଟରରୁ ୩ ଲକ୍ଷ ୫୫ ହଜାର ଟଙ୍କା ଚୋରି
ବନ୍ତ, (ଚାନ୍ଦିନୀ ମହାନ୍ତି):ରବିବାର ବିଳମ୍ବିତ ରାତ୍ରରେ ବନ୍ତ ଥାନା ଅଧିନ ସଖିପାଟଣା ଛକସ୍ଥିତ ଫ୍ଲିପ୍ କାର୍ଟ ହବ୍ ସେଣ୍ଟରରୁ ଦୃବୁର୍ତ୍ତ ମାନେ ୩ ଲକ୍ଷ ୫୫ ହଜାର ଟଙ୍କା ଚୋରି କରି ନେବା ସହ ହବ୍ ସେଣ୍ଟର ଭିତରରେ ନିଆଁ ଲଗାଇ ବହୁ ସାମଗ୍ରୀ ପୋଡି ଦେବା ଘଟଣାରେ ସୋମବାର ରାତିରେ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ଚୋରି ଯାଇଥିବା ସମସ୍ତ ଟଙ୍କାକୁ ଜବତ କରିଛି । ଗିରଫ ହୋଇଥିବା ଯୁବକ ମାନେ ୧ ବର୍ଷ ହେବ ଏହି ଫ୍ଲିପ୍ କାର୍ଟ ହବ୍ ସେଣ୍ଟରରେ କୋରିୟର ଡେଲିଭରି ବୟ ଭାବରେ କାର୍ଯ୍ୟ କରୁଥିଲେ । ଏ ସଂପର୍କରେ ମଙ୍ଗଳବାର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଧାମନଗର ଏସ୍.ଡି.ପି.ଓ ବିଜୟକୃଷ୍ଣ ମହାପାତ୍ର ସୂଚନା ଦେଇଛନ୍ତି । ପ୍ରକାଶ ଯେ, ଗତ ରବିବାର ବିଳମ୍ବିତ ରାତ୍ରରେ ବନ୍ତ ଥାନା ଠାରୁ ମାତ୍ର ୧ କିମି ଦୂର ସଖିପାଟଣା ଛକ ଠାରେ ଅବସ୍ଥିତ ଫ୍ଲିପ୍ କାର୍ଟ ହବ୍ ସେଣ୍ଟର ଘରର କାନ୍ଥ ଭାଙ୍ଗି ଭିତର ଲକରରେ ଥିବା ୩ ଲକ୍ଷ ୫୫ ହଜାର ଟଙ୍କାକୁ ଦୁବୃର୍ତ୍ତ ମାନେ ଚୋରି କରିନେବା ସହିତ ଘର ଭିତରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଫଳରେ ଘର ଭିତରରେ ଥିବା ଗୋଟିଏ କମ୍ପ୍ୟୁଟର ସେଟ୍, ସ୍କାନର, ଗୋଟିଏ ଟଙ୍କା ଗଣା ମେସିନ୍ ଓ କିଛି ପାର୍ଶଲ ସାମଗ୍ରୀ ପୋଡି ଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ଅଭିଯୋଗରେ ଉଲ୍ଲେଖ ହୋଇଛି । ସୋମବାର ସକାଳେ ଫ୍ଲିପ୍ କାର୍ଟ ହବ୍ ସେଣ୍ଟରର ଇନ୍ଚାର୍ଜ ମନୋଜ କୁମାର ବାରିକ ଚୋରି ସଂପର୍କରେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ କେସ ନଂ-୧୦୪/୨୩ ମୂଳେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅପରପକ୍ଷେ ଗତ କିଛି ମାସ ଧରି ବନ୍ତ ଥାନା ଅଞ୍ଚଳରେ ବାରମ୍ବାର ଚୋରି ଓ ଲୁଟ୍ ଆଦି ଘଟଣା ଘଟି ଚାଲିଥିବା ବେଳେ ପୋଲିସକୁ କୌଣସି ସଫଳତା ମିଳି ପାରୁନଥିଲା । ଗତ ସପ୍ତାହରେ ଟିଲୋ ଅଞ୍ଚଳରେ ଦୁଇଟି ସ୍ଥାନରେ ବଡ ଧରଣର ଚୋରି ଓ ବାଇପୁର ଗ୍ରାମରେ ବୋଲେରୋ ଚୋରି ହେବା ଘଟଣା ପୋଲିସର ମୁଣ୍ଡବ୍ୟାଥା ବଢାଇ ଦେଇଥିଲା । ମାତ୍ର ସଖିପାଟଣାସ୍ଥିତ ଫ୍ଲିପ୍ କାର୍ଟ ହବ୍ ସେଣ୍ଟର ଚୋରି ଘଟଣାରେ ପୋଲିସକୁ ସଫଳତା ମିଳିପାରିଛି ।


