‘ଫ୍ୟୁଚର ବାଲେଶ୍ୱର’ପକ୍ଷରୁ ଜିଲା ବିକାଶ ସମ୍ପର୍କିତ ଆଲୋଚନାଚକ୍ର
ବାଲେଶ୍ୱର, (ସରୋଜ ପଣ୍ଡା) :‘ଫ୍ୟୁଚର ବାଲେଶ୍ୱର’ ସଂଗଠନ ପକ୍ଷରୁ ଜିଲାର ସାମଗ୍ରିକ ବିକାଶ ସମ୍ପର୍କିତ ଏକ ଆଲୋଚନାଚକ୍ର ସହରର ଟପ୍ ଏଣ୍ଡ ଟେଷ୍ଟି ହୋଟେଲ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ଆଇନଜୀବୀ ବିଜୟ କୁମାର ପାଣିଗ୍ରାହୀ ଏଥିରେ ସଂଯୋଜନା କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲା ବିକାଶର ନୂତନ ରୂପରେଖ ସମ୍ପର୍କରେ ଉପସ୍ଥିତ ବରିଷ୍ଠ ନାଜରିକ ତଥା ବୁଦ୍ଧିଜୀବୀମାନେ ନିଜ ନିଜର ମତାମତ ଦେଇଥିଲେ । ବିଶେଷ କରି ଜିଲ୍ଲାରେ କୃଷିର ଉନ୍ନତି ପାଇଁ ସମସ୍ତ ଅଚଳ ଉଠା ଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ, ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ, ପ୍ରତ୍ୟେକ ବ୍ଲକରେ କୋଲ୍ଡ ଷ୍ଟୋର ସ୍ଥାପନ ଓ ମଣ୍ଡି ଜରିଆରେ ସମସ୍ତ କୃଷି ସାମଗ୍ରୀ କ୍ରୟ ସହିତ ବାଲେଶ୍ୱରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏହି ଆଲୋଚନାଚକ୍ରରେ ଦାବି କରାଯାଇଥିଲା । ସେହିପରି ଶିକ୍ଷା କ୍ଷେତ୍ରର ଉନ୍ନତି ପାଇଁ ସମସ୍ତ ସ୍କୁଲ କଲେଜକୁ ସରକାରୀ ନିୟନ୍ତ୍ରଣକୁ ଅଣାଯିବା ସହ କ୍ୟାମ୍ପସ ନଥିବା ସ୍କୁଲକୁ ବାତିଲ କରିବା ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟପକ୍ଷରେ ବାଲେଶ୍ୱରରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ସତ୍ତ୍ୱେ ପ୍ରତିଦିନ କଟକ ବା ଭୁବନେଶ୍ୱରକୁ ହେଉଥିବା ରୋଗୀ ସ୍ଥାନାନ୍ତରକୁ ନେଇ ଏଥିରେ ସମସ୍ତେ ଉଦବେଗ ପ୍ରକାଶ କରିଥିଷଲ । ଏହାକୁ ରୋକିବା ଦିଗରେ ପଦକ୍ଷେପ ନିଆଯିବା ସହ ବାଲେଶ୍ୱରରେ ଆୟୁର୍ବେଦିକ ହସପିଟାଲ ଓ ହୋମିଓପାଥିକ ଚିକିତ୍ସାଳୟ ସ୍ଥାପନ ପାଇଁ ଦାବି କରାଯାଇଥିଲା । ଜଳେଶ୍ୱରରୁ ଉଦୟପୁର ପର୍ଯ୍ୟନ୍ତ ରେଳପଥ, ନୀଳଗିରରୁ ପାସେଞ୍ଜର ଟ୍ରେନ ବାଙ୍ଗିରିପୋଷି ପର୍ଯ୍ୟନ୍ତ ସମ୍ପ୍ରସାରଣ, ସରକାରୀ ଜମି ଜବରଦଖଲମୁକ୍ତ କରିବା, ବାଲେଶ୍ୱର କୋର୍ଟ ସ୍ଥାନାନ୍ତର ପରେ ସେଠାରେ ମାର୍କେଟ ବିଲଡିଂ ନିର୍ମାଣ ସହ ଉଠାଦୋକାନୀଙ୍କୁ ଥଇଥାନ କରିବା, ପାର୍କିଂ ବ୍ୟବସ୍ଥା ନଥିବା ସପିଂ ମଲ୍କୁ ସିଲ୍ କରିବା, ଜିଲାବାସୀଙ୍କୁ ରଆତି ଦରରେ ବିଦ୍ୟୁତ ସେବା ପ୍ରଦାନ, ଅମୃତ ସହର ଯୋଜନା ପାନୀୟ ଯୋଗାଣ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକ୍ଷମ କରିବା, ସହର ଉପକଣ୍ଠରେ ପାର୍କ ଓ ଷ୍ଟାଡିଅମ ନିର୍ମାଣ, ସହର ଭିଡ କମାଇବାକୁ ଜେଲ୍, ସବ ରେଜିଷ୍ଟାର, ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ଓ ବସଷ୍ଟାଣ୍ଡ ସ୍ଥାନାନ୍ତର ପାଇଁ ପଦକ୍ଷେପ ସମ୍ପର୍କରେ ଏହି ଆଲୋଚନାଚକ୍ରରେ ବକ୍ତାମାନେ ପ୍ରସ୍ତାବ ଦେଇଥିଲେ । କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସମାଜସେବୀ ବିଧାନଚନ୍ଦ୍ର ରାୟ, ବୈଷୟିକ ଶିକ୍ଷାନୁଷ୍ଠାନ ମେମ୍ସର ଡିନ୍ ଇଂ ରମାକାନ୍ତ ଗୋଚ୍ଛାୟତ, ଅବସରପ୍ରାପ୍ତ ସଂସ୍କୃତ ଅଧ୍ୟାପକ ଶାନ୍ତିପଦ ପଣ୍ଡା ପ୍ରମୁଖଙ୍କ ସମେତ ଉପସ୍ଥିତ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭବାନୀଶଙ୍କର ପଣ୍ଡା, ସୁଦୀପ୍ତ ପିଟର, ସୌମ୍ୟରଞ୍ଜନ ପାତ୍ର, ମୃତ୍ୟୁଞ୍ଜୟ ତ୍ରିପାଠୀ, ଦୁକୁଲ ଘଡେଇ, ରଞ୍ଜନ ପାଣିଗ୍ରାହୀ, ମହେଶ୍ୱର ପଣ୍ଡା ପ୍ରମୁଖ ‘ଫ୍ୟୁଚର ବାଲେଶ୍ୱର’ର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।


