‘ଫ୍ୟୁଚର ବାଲେଶ୍ୱର’ ର ପ୍ରଥମ ସ୍ୱନକ୍ଷତ୍ର ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱରର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ‘ଫ୍ୟୁଚର ବାଲେଶ୍ୱର’ର ପ୍ରଥମ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ଆତିଥ୍ୟ ଭବନ ପରିସରରେ ପାଳିତ ହୋଇଯାଇଛି । ସଂଗଠନର ସଭାପତି ଆଇନଜୀବୀ ବିଜୟ ପାଣିଗ୍ରାହୀ ଏଥିରେ ସଭାପତିତ୍ୱ କରିଥିଲେ । ତେବେ ଏହି ସମାରୋହରେ କାହାରିକୁ ସ୍ୱତନ୍ତ୍ର ଅତିଥିର ମାନ୍ୟତା ଦିଆଯାଇ ନଥିବା ବେଳେ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ ଅତିଥି ଭାବେ ଗ୍ରହଣ କରାଯାଇଥିବା ଶ୍ରୀ ପାଣିଗ୍ରାହୀ କହିଥିଲେ । ଚିରାଚରିତ ଢଙ୍ଗରେ ସଙ୍ଗଠନର ବାର୍ଷିକ ଉତ୍ସବ ସଭାକାର୍ଯ୍ୟ ପରିଚାଳନା କରିବା ପରିବର୍ତ୍ତେ ସମସ୍ୟା ବହୁଳ ବାଲେଶ୍ୱର ଜିଲାର ସମ୍ଭାବ୍ୟ ବିକାଶ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏନେଇ ଆୟୋଜିତ ‘ଭିଜନ ବାଲେଶ୍ୱର’ଶୀର୍ଷକ ଏକ ଆଲୋଚନାଚକ୍ରରେ ଅଂଶଗ୍ରହଣ ପାଇଁ ଶ୍ରୀ ପାଣିଗ୍ରାହୀ ସମସ୍ତଙ୍କୁ ଆମନ୍ତ୍ରଣ କରିଥିଲେ । ବାଲେଶ୍ୱର ବିକାଶର ବିଭିନ୍ନ ଦିଗ ସମ୍ପର୍କିତ ପ୍ରସ୍ତାବ ଓ ପରାମର୍ଶ ପ୍ରଦାନ ପାଇଁ ସେ ଉପସ୍ଥିତି ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ନିବେଦନ କରିଥିଲେ । ଫ୍ୟୁଚର ବାଲେଶ୍ୱରର ସମ୍ପାଦକ ଦୁକୁଲୁ ଘଡ଼େଇ ଏହି ଆଲୋଚନାଚକ୍ରରେ ସଂଯୋଜନା କରିଥିଲେ । ସମାଜସେବୀ ଅଞ୍ଜଳି ପଣ୍ଡା, ପର୍ଶୁରାମ ବେହେରା, ରୂପାୟନର ସମ୍ପାଦିକା ଶ୍ରଦ୍ଧାଞ୍ଜଳି ରାୟ, ଶିକ୍ଷାବିତ ଡ. ରାଧାରଞ୍ଜନ ପଟ୍ଟନାୟକ, ରୋଜି ପଟ୍ଟନାୟକ, ଇଂ ବନମାଳି ନାୟକ, ସୁକୁମାର ରଣା, ନାରୀନେତ୍ରୀ ବାସନ୍ତି ସାମଲ, ଜୟଶ୍ରୀ ବିଶ୍ୱାଳ, ସୁଜିତ ଦେବ, ଭବାନୀଶଙ୍କର ପଣ୍ଡା, ଶକ୍ତିପଦ ପଣ୍ଡା, ବସନ୍ତ କୁମାର ନାୟକ, ବିରଞ୍ଚ କୁମାର ପ୍ରଧାନ, ବିକ୍ରମ ପଣ୍ଡା, ଶେଖ ଆଲାଉଦ୍ଦିନ, ବସନ୍ତ ନାୟକ, ରୋଜି ପଟ୍ଟନାୟକ, ବିଜୟ କୁମାର ସେଠୀ, ରବି ପାଣିଗ୍ରାହୀ ପ୍ରମୁଖ ଏଥିରେ ଯୋଗଦେଇ ବାଲେଶ୍ୱର ଜିଲାର ବିଭିନ୍ନ କ୍ଷେତ୍ରରେ ଦେଖା ଦେଇଥିବା ଅବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ । ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପରିବହନ, ଶିଳ୍ପାୟନ ଓ ନିୟୋଜନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ବିଭିନ୍ନ ସମସ୍ୟା ଓ ତା’ର ନିରାକରଣ ଦିଗ ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ । ପ୍ରଶାସନିକ ତଥା ରାଜନୈତିକ ଇଚ୍ଛାଶକ୍ତିର ଅଭାବ, ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଅଦୂରଦୃଷ୍ଟି କାର୍ଯ୍ୟଧାରା ଜିଲା ବିକାଶରେ ଅନ୍ତରାୟ ହୋଇଥିବା ସେମାନେ ମତ ପ୍ରକାଶ କରିଥିଲେ । ମାଳ ମାଳ ଯୋଜନା ପ୍ରଣୟନ ହେଉଥିଲେ ବି ତୃଣମୂଳ ସ୍ତରରେ କାର୍ଯ୍ୟକାରିତାରେ ପ୍ରଶାସନିକ ଅପାରଗତା ସବୁଠାରୁ ବଡ଼ ସମସ୍ୟା ହୋଇଥିବା ଏହି ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଥିଲା । ତେବେ ଆଗାମୀ ଦିନରେ ଜିଲାର ସମସ୍ୟା ସମାଧାନକୁ ଗୁରୁତ୍ୱ ଦେଇ ଫ୍ୟୁଚର ବାଲେଶ୍ୱର ଜନ ସଚେତନତା ସୃଷ୍ଟି କରିବ ବୋଲି ସଙ୍ଗଠନର କମକର୍ତ୍ତାମାନେ କହିଥିଲେ । ଆବଶ୍ୟକ ସ୍ଥଳେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସେମାନେ ସୂଚନା ଦେଇଥିଲେ । ବୃହତ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଜାତି ବର୍ଣ୍ଣ, ଦଳ ନିର୍ବିଶେଷରେ ସେମାନେ ଶେଷରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପ୍ରାରମ୍ଭରେ ଦିବଂଗତ ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ କୃତିବାସ ପାଣିଗ୍ରାହୀଙ୍କ ଉଦ୍ଦେଶ୍ୟରେ ସାମୂହିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସଂଯୁକ୍ତାରାଣୀ ବେହେରା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ