ବଂଶଧାରା ବାଲିଘାଟ ବିବାଦ ନେଇ ଆନ୍ଧ୍ର ଓ ଓଡ଼ିଶାର ପଦସ୍ଥ ଅଧିକାରୀଙ୍କ ମିଳିତ ସର୍ଭେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗରରେ ପ୍ରବାହିତ ବଂଶଧାରା ନଦୀର ବିବାଦୀୟ ବୁଦୁରା ବାଲିଘାଟରେ ଆନ୍ଧ୍ର ଓ ଓଡ଼ିଶା ପ୍ରଶାସନ ପକ୍ଷରୁ ବୁଧବାର ମିଳିତ ସର୍ଭେ ହୋଇଛି। ଏହି ବାଲିଘାଟକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ତିନିମାସ ହେଲା ବିବାଦ ଲାଗି ରହିଛି। ବଂଶଧାରା ନଦୀର ଦୁଇପାର୍ଶ୍ଵରେ ଓଡ଼ିଶା ଓ ଆନ୍ଧ୍ର ରାଜ୍ୟ ରହିଥବା ବେଳେ କାଶୀନଗର ଅଞ୍ଚଳ ନ‌ଦୀ ନିକଟରେ ରହିଛି। ଫଳରେ କାଶୀନଗର ତହସିଲ ଅଧୀନ ନଦୀର କେତେକ ସ୍ଥାନରେ ବାଲିଘାଟ ପାଇଁ ଟେଣ୍ଡର ଡକାଯାଇଥାଏ। ଓଡ଼ିଶାର ରାଜସ୍ବ ଆଦାୟ ହୁଏ। ପୂର୍ବରୁ ଉକ୍ତ ବାଲିଘାଟ ଗୁଡ଼ିକ କାଶୀନଗର ତହସିଲ ଅଧୀନରେ ଥିବା ବେଳେ ବର୍ଷେ ହେଲା ଗଜପତି ଜିଲ୍ଲା ଖଣି ବିଭାଗ ଅଧୀନରେ ଏହି ଘାଟ ରହିଛି। ବର୍ତ୍ତମାନ କାଶୀନଗର ବ୍ଲକରେ ଦୁଇଟି ବାଲି ରାମ୍ପ୍ ଚାଲିଥିବା ବେଳେ ଗୋଟିଏ ଇଦୁଡ଼ି ଓ ଅନ୍ୟଟି ବୁଦୁରା ଗ୍ରାମ ନିକଟରେ ଅଛି. ହେଲେ ବୁଦୁରା ଗ୍ରାମ ନିକଟରେ ଥିବା ବାଲି ରାମ୍ପ୍ ଆନ୍ଧ୍ର ସୀମାନ୍ତରେ ରହିଥିବାରୁ ଏହାକୁ ନେଇ ବିବାଦ ଲାଗି ରହିଛି। ପ୍ରକୃତ ସୀମା ନିର୍ଣ୍ଣୟ କରିବାକୁ ବୁଧବାର ମିଳିତ ସର୍ଭେ ହୋଇଥିଲା। ଗଜପତି ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ଖଣି ଅଧିକାରୀ ଦିପେନ ପରିଡ଼ା, କାଶୀନଗର ତହସିଲଦାର ଡମ୍ବରୁଧର ମଲ୍ଲିକ, କାଶୀନଗର ଥାନାଧିକାରୀ ସୁନୀଲ ବେହେରା, ରାଜସ୍ବ ନିରୀକ୍ଷକ ସୁପରଭାଇଜାର୍ ଆନନ୍ଦ ପ୍ରଧାନ ଓ ରାଜସ୍ବ ନିରୀକ୍ଷକ ଏବଂ ଆନ୍ଧ୍ରର ପାଲକୋଣ୍ଡା ଉପଜିଲ୍ଲାପାଳ ଯଶୋବନ୍ତ କୁମାର ରେଡ୍ଡୀ, ତହସିଲଦାର ଓ ଅଧିକାରୀ ବି ସର୍ଭେରେ ସାମିଲ ହୋଇଥିଲେ । ଅନୁଧ୍ୟାନ ପରେ ଏହି ବାଲିଘାଟ ଓଡ଼ିଶା ସୀମାନ୍ତରେ ରହିଥିବା ଜଣାପଡ଼ିଛି। ଉଭୟ ରାଜ୍ୟର ଜିଲ୍ଲାପାଳଙ୍କୁ ଅବଗତ କରି ବୁଝାମଣା ପରେ ନିୟମ ଅନୁଯାୟୀ ବାଲିଘାଟ ଚାଲୁ ହେବ ବୋଲି ଗଜପତି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ