ବଉଳାନାଳ ଉପରେ ପୋଲ ନିର୍ମାଣ ହେଲାନି, ଅଶ୍ଟେ ପାଣିରେ ପସି ଯାଉଛନ୍ତି ଗ୍ରାମବାସୀ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତର ମଲ୍ଲିପସି, ସରମୁଣ୍ଡି, ମୟୁରଭଞ୍ଜ ଜିଲ୍ଲାର ବଉଳା, ଝର୍ଝରୀ, ଜାମବଣି, ଭାଲିଆଡାଳ, ଶଗଡପଟା ଆଦି ଗ୍ରାମକୁ ଯାତାୟତର ସୁବିଧା ପାଇଁ କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା ନିର୍ମାଣ ହେଲା । ହେଲେ ବଉଳାନାଳ ପୋଲ ନିର୍ମାଣ ନ ହେବାରୁ ଏବେ ଏହିସବୁ ଗ୍ରାମର ଲୋକମାନେ ବର୍ଷାଦିନେ ଅଣ୍ଟେ ପାଣିରେ ପସି ଯିବା ଆସିବା କରୁଛନ୍ତି । ବର୍ଷାଦିନେ କୌଣସି ରୋଗୀକୁ ଡାକ୍ତରଖାନା ନେବାରେ ନାନା ଅସୁବିଧା ହେଉଛି । ଗାଁ ଭିତରକୁ ଅମ୍ବୁଲାନସ ଯିଏ ଯିବାକୁ ସୁବିଧା ନଥିବାରୁ ଗାଁ ଲୋକେ ରୋଗୀ ମାନଙ୍କୁ କଟିଆରେ ଆଣି ନାଳ ପାର କରାଇବା ପରେ ଯାଇ ଗାଡିରେ ଡାକ୍ତରଖାନା ନେଉଛନ୍ତି । ଗାଁ ଭିତରକୁ ସାଇକେଲ କିମ୍ବା ବାଇକ ଟିଏ ଯାଇପାରୁ ନଥିବାରୁ ଗାଁ ଲୋକମାନେ କି ପ୍ରକାର ସମସ୍ୟା ଭୋଗ କରୁଛନ୍ତି ତାହାକୁ ସ୍ୱଚକ୍ଷୁରେ ନଦେଖିଲେ କେହି ବିଶ୍ୱାଷ କରିବେନି । ଯାତାୟତର ସୁବିଧା ସୁଯୋଗ ନଥିବାରୁ ଏହି ଗାଁର ପିଲାମାନେ ସ୍କୁଲ କଲେଜ ଯାଇ ନପାରି ଶିକ୍ଷାଲାଭରୁ ବଞ୍ଚିତ ହେଉଛନ୍ତି । ଏପରିକି ବାହାରେ ରହୁଥିବା ଲୋକମାନେ ନିଜ ଘରକୁ ମଧ୍ୟ ଆସିବାକୁ ଇଛା କରୁ ନାହାନ୍ତି । ଗତ ଦୁଇଦିନ ତଳେ ଗ୍ରାମର କିଛି ଯୁବକ ଗାଁକୁ ଫେରୁଥିବାବେଳେ ସେମାନେ କିପରି ଗାଁକୁ ଯିବାରେ ଅସୁବିଧା ଭୋଗୁଛନ୍ତି, ପାଣିରେ ପସି ନାଳ ପାର ହେଉଛନ୍ତି, ମହିଳାମାନେ କିପରି ପାଣିରେ ପସି ଯାଉଛନ୍ତି ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହାକୁ ନେଇ ଅନେକ ସାମାଜିକ ସଂସ୍ଥା ଟୁଇଟ କରି ବିଭିନ୍ନ ବିଭାଗକୁ ମଧ୍ୟ ଅବଗତ କରାଇଥିବା ଦେଖିବାକୁ ମିଳିଛି । ଗତ ୨୦୨୦ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ଓ ପୋଲ ନିର୍ମାଣ ପାଇଁ ସରକାରୀ ଅନୁଦାନ ଯୋଗାଇ ଦିଆଯାଇଥିଲେ ମଧ୍ୟ ଜଂଗଲ ବିଭାଗ ପୋଲ ନିର୍ମାଣକୁ ବିରୋଧ କରିଥିଲା । ଫଳରେ ସେହି ନାଳ ପର୍ଯ୍ୟନ୍ତ ପିଚୁ ଓ କଂକ୍ରିଟ ରାସ୍ତା ନିର୍ମାଣ କରାଯିବା ପରେ ବଉଳା ନାଳଠାରୁ ରାସ୍ତା ନିର୍ମାଣ ବନ୍ଦ ରହିଲା । ଏହି ପୋଲ ନିର୍ମାଣ ପାଇଁ ଗ୍ରାମସଭା, ପଲ୍ଲୀସଭା କରାଯାଇ ଜଂଗଲ ବିଭାଗର ଅନୁମତି ପାଇଁ ପଠାଯାଇଥିଲେବି ଆଜି ପର୍ଯ୍ୟନ୍ତ ବନ ବିଭାଗ ପକ୍ଷରୁ ଅନୁମତି ମିଳିଲାନି । ଏହି ବଉଳାନାଳ ଉପରେ ପୋଲଟିଏ ହେଲେ ମହୁଲଢ଼ିହା ଠାରୁ ଶରତ ପର୍ଯ୍ୟନ୍ତ ଗମନାଗମନର ସୁବିଧା ହୋଇପାରିବା ସହ ମଲ୍ଲିପସି, ସରମୁଣ୍ଡି, ମୟୁରଭଞ୍ଜ ଜିଲ୍ଲାର ବଉଳା, ଝର୍ଝରୀ, ଜାମବଣି, ଭାଲିଆଡାଳ, ଶଗଡପଟା ଆଦି ଗ୍ରାମର ହଜାର ହଜାର ଲୋକମାନେ ଉପକୃତ ହୋଇପାରିଥାନ୍ତେ । ଜଂଗଲ ବିଭାଗ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ସରଜମିନ ତଦନ୍ତ କରି ଲୋକଙ୍କ ସମସ୍ୟାକୁ ନିଜ ଆଖିରେ ଦେଖି ତୁରନ୍ତ ପୋଲ ନିର୍ମାଣ ପାଇଁ ଅନୁମତି ଦେଉ ବୋଲି ୩୪ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟ ସୋମନାଥ ଦାସ, ଭାଲିଆଡାଳ ପଞ୍ଚାୟତର ପୁର୍ବତନ ସରପଞ୍ଚ ଜାନବୀ ସଏ, କେ ବାଲିପାଳ ପଞ୍ଚାୟତର ପୁର୍ବତନ ସରପଞ୍ଚ ରମ୍ଭାପାତ୍ର, ଭାଲିଆଡାଳ ପଞ୍ଚାୟତର ପୁର୍ବତନ ସମିତିସଭ୍ୟା ଲକ୍ଷ୍ମୀ କୁଦାତା,କାଳନ୍ଦି କଳପାଳିଆ, ରାମଚନ୍ଦ୍ର ବିନିସିଆ, କାହ୍ନା କସିମାଳ, ସୁରଥି ନାଏକ, ସୀତା ବିନିସିଆ, ତୁମ୍ବି ବାନରା, ଦୁର୍ଗା ଗଡସରା, ଗୋଲଖ ପୁର୍ତ୍ତି, ଶୁକ୍ରା ପୁର୍ତ୍ତି ପ୍ରମୁଖ ଦାବି କରିନ୍ତି । ଯଦି ବନ ବିଭାଗରୁ ଅନୁମତି ନମିଳେ ତେବେ ରାଜ୍ୟ ସରକାର ଏହି ଆଦିବାସୀ ମାନଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ସେମାନଙ୍କ ମୋøଳିକ ସୁବିଧା ସୁଯୋଗ ପାଇଁ ସେତୁ ନିର୍ମାଣ ପାଇଁ ବନ ବିଭାଗକୁ ଦାୟିତ୍ୱ ଦେଉ ବୋଲି ସେମାନେ ଦାବି କରିଛନ୍ତି ।