ବଉଳ ଅମାବାସ୍ୟା ରେ ଆମ୍ବ ଗଛ ପୂଜା ଓ ଶ୍ରୀ ଜିୟୁ ମାନଙ୍କୁ ବଉଳ ଲାଗି
ଆମ ଓଡ଼ିଆ ସଂସ୍କୃତି ରେ ବାର ମାସରେ ତେର ପର୍ବ ପର୍ବାଣୀ ପାଳନ ହୋଇ ଆସୁଛି। ତା ମଧ୍ୟରୁ ପୌଷ ମାସ ଅମାବାସ୍ୟା ଅନ୍ୟତମ। ଏହାକୁ ବଉଳ ଅମାବାସ୍ୟା ବା ବକୁଳ ଅମାବାସ୍ୟା ବୋଲି ମଧ୍ୟ କୁହାଯାଏ। ସେହି ସମୟ କୁ ଆମ୍ବ ଗଛ ସବୁ ବସନ୍ତ ର ମଳୟ ପବନ ରେ ପଲ୍ଲବୀତ ହୋଇ ବଉଳ ଧରିଥାଏ। ବୃକ୍ଷ ପୂଜା ଆମ ସଂସ୍କୃତି ରେ ରହି ଆସିଛି କାହିଁ କେଉଁ ଯୁଗରୁ। ବୃକ୍ଷ ଆମ ମଣିଷ ସମାଜ ପାଇଁ କେତେ କଲ୍ୟାଣକାରୀ ତାହା ଆୟୁର୍ବେଦ ଶାସ୍ତ୍ର ରେ ବର୍ଣ୍ଣିତ ହୋଇଛି। ହିନ୍ଦୁ/ସନାତନ ଧର୍ମରେ ବୃକ୍ଷ ପୂଜା ଏକ ମହତ୍ତ୍ୱପୂର୍ଣ୍ଣ ଅନୁଷ୍ଠାନ। ସେଥିପାଇଁ ପ୍ରତ୍ୟେକ ଓଡ଼ିଆ ଘରେ ତୁଳସୀ, ବେଲ, ଆମ୍ବ, ବର, ଅଶ୍ଵସ୍ତ, ନିମ୍ବ, ଅଁଳା ପ୍ରଭୃତି ବୃକ୍ଷ କୁ ଭଗବାନ ବୋଲି ବିବେଚନା କରାଯାଇ ପୂଜା କରା ଯାଇଥାଏ। ବଉଳ ଅମାବାସ୍ୟା ଦିନ ବଉଳ ଧରିଥିବା ଆମ୍ବ ଗଛ ମୂଳରେ ଗୋବର ପାଣି ରେ ଲିପା ଯିବା ପରେ ମୁରୁଜ ରେ ନାରାୟଣ ଙ୍କ ମୂର୍ତ୍ତି ଅଙ୍କା ଯାଇଥାଏ। ସେହି ଠାରେ ପୂର୍ଣ୍ଣକୁମ୍ଭ ସ୍ଥାପନା କରି ନୂଆ ଚାଉଳ ରେ ପ୍ରସ୍ତୁତ ଗଇଁଠା ପିଠା ଭୋଗ ଲାଗି କରାଯାଇଥାଏ ଓ ଆମ୍ବ ଗଛ କୁ ବନ୍ଦାପନା କରାଯାଇଥାଏ। ଭୋଗ ଲାଗି ଗଇଁଠା ପିଠା ରୁ କିଛି ଆମ୍ବ ଗଛ କୁ ଫିଙ୍ଗା ଯାଇଥାଏ। ଚଳିତ ବର୍ଷ ଭଲ ଆମ୍ବ ଫସଲ ହେବାକୁ କାମନା କରି ଏହି ପୂଜା କରା ଯାଉଥିବା କେତେକ କହୁଥିବା ବେଳେ ଆମ୍ବ ଗଛ କୁ ନାରାୟଣ ବୋଲି ବିଚାର କରାଯାଇ ପୂଜାର୍ଚ୍ଚନା କରାଯାଇଥାଏ।ଆମ୍ବ ଗଛ ର ଡାଳ ସବୁ ପୂଜା ରେ ପ୍ରଥମେ ସ୍ଥାପନା ହେଉଥିବା ଶୁଭକଳସ ରେ ଦିଆ ଯାଇଥାଏ। ଏଣୁ ପରିବାର ର ଶୁଭ ମନାସୀ ଆମ୍ବ ଗଛ କୁ ପୂଜା ଓ ବନ୍ଦାପନା କରା ଯାଇଥାଏ। ନୂଆ ହୋଇଥିବା ଆମ୍ବ ବଉଳ କୁ ଦୁଇ ଜଣ କିଶୋରୀ/ ଯୁବତୀ ପରସ୍ପର କୁ ଖୁଆଇ ବଉଳ ବସିଥାନ୍ତି। ସେହି ଦିନ ଠାରୁ ଆଉ କେହି କାହା ନାଁ ଧରି ସମ୍ବୋଧନ କରିବା ବଦଳରେ ପରସ୍ପର କୁ ବଉଳ ଡାକିବା ପରମ୍ପରା ଆମ ଓଡ଼ିଆ ସଂସ୍କୃତି ରେ ରହି ଆସିଛି କାହିଁ କେତେ କାଳରୁ।ସେହିପରି ଆମ ଗଣ ଦେବତା ଭାବେ ପୂଜା ପାଉଥିବା ଶ୍ରୀ ଜଗନ୍ନାଥ ଙ୍କୁ ଶ୍ରୀ ମନ୍ଦିର ରେ ଏହି ଦିନ ଆମ୍ବ ବଉଳ ଲାଗି ହୋଇଥାଏ। ଶ୍ରୀ ଜିୟୁ ମାନଙ୍କ ନିକଟରେ ଏହି ଦିନ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ଖିରି ଘାଣ୍ଟ ଓ ମଣ୍ଡା ପିଠା ଭୋଗ ଲାଗି କରା ଯାଇଥାଏ।
ଶ୍ରୀ ଜିୟୁ ମାନଙ୍କ ସକାଳ ଆଳତୀ ଓ ଅବକାଶ ନୀତି ଶେଷ ହେବା ପରେ ଠାକୁର ଙ୍କୁ ବେଶ କରାଯାଏ। ଏହି ସମୟ ରେ ଶ୍ରୀ ଜଗନ୍ନାଥ ଙ୍କ ହସ୍ତ ରେ ଏକ ମାଳ ଲାଗି ହୋଇଥାଏ।
ସୂର୍ଯ୍ୟ ପୂଜା, ଗୋପାଳ ବଲ୍ଲଭ, ରୋଷ ହୋମ ନୀତି ଶେଷ ହେବା ପରେ ସକାଳ ଧୂପ ଅନୁଷ୍ଠିତ ହୋଇଥାଏ। ରୋଷ ଘରୁ ମହା ସୁଆର ସେବକ ୭ ଟି ଗଇଁଠା ପିଠା,
୭ ଟି ନାଡ଼ି ବଉଳ,୪ ଟି ଫେଣି ବଉଳ,୪ ସରା ଗଇଁଠା,୪ ସରା ନାଡି,୪ ସରା ଚୁନା ଭୋଗ ପାଇଁ ଆଣନ୍ତି। ମୁଦି ରଥ ପ୍ରସାଦ ଲାଗି କରିବା ପରେ ପଣ୍ଡା ସେବକ ଷୋଡଶ ଉପଚାରରେ ଏ ସବୁକୁ ଭୋଗ ଲାଗି କରିଥାନ୍ତି। ଟେରା ଫିଟା
ଆଳତୀ ସରିବା ପରେ ତାଟ ଭିତରେ
ପଣ୍ଡା ସେବକ,ପତି ମହାପାତ୍ର ଓ ମୁଦିରସ୍ତ ଠାକୁର ଙ୍କ ବାଡ଼ରେ ବନ୍ଦାପନା କରିଥାନ୍ତି। ତାପରେ ଯଥା ବିଧି ଅମାବାସ୍ୟା ନୀତି ଅନୁଷ୍ଠିତ ହୋଇଥାଏ। ବଉଳ ଅମାବାସ୍ୟା ଦିନ ଠାକୁର ମାନଙ୍କ ଆଳତୀ ଓ ବନ୍ଦାପନା ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବାମଦେବ ସଂହିତା ରେ ବର୍ଣ୍ଣିତ ହୋଇଛି।
ଜୟ ଜଗନ୍ନାଥ।।
ସନ୍ତୋଷ କୁମାର ଦାଶ।
ତୁଳସୀପୁର। ପୁରୀ।
୯୪୩୯୩୬୧୮୮୮।