ବକେୟା ଭତ୍ତା ଅର୍ଥ ପାଇଁ ଆଇଜିଙ୍କ ଅଫିସ ଆଗରେ ଗ୍ରାମରକ୍ଷୀଙ୍କ ଧାରଣା

ବାଲେଶ୍ୱର, (ସରୋଜ ପଣ୍ଡା):ବିଭିନ୍ନ ଦାବି ନେଇ ବାଲେଶ୍ୱର ଜିଲା ଗ୍ରାମରକ୍ଷୀ ସଂଘ ଶନିବାର ପୂର୍ବାଞ୍ଚଳ ଜୋନ ପୁଲିସ ଆଇଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ବିଭାଗୀୟ ପଦସ୍ଥ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଦୀର୍ଘ ୧୦ମାସ ଧରି ସେମାନଙ୍କୁ ଭତ୍ତା ମିଳି ନଥିବା ବେଳେ ବହୁ ଗ୍ରାମରକ୍ଷୀଙ୍କୁ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଥିବା ସେମାନେ ଆରୋପ ଉଠାଇଥିଲେ । ଗ୍ରାମରକ୍ଷୀଙ୍କ ଅଭିଯୋଗ ଅନୁସାରେ ପ୍ରତିମାସ ସେମାନେ ୨୬ ଦିନ ଗାଁ’ରେ ଡ୍ୟୁଟି କରୁଥିବା ବେଳେ ବାକି ୪ ଦିନ ଥାନାରେ କାର୍ଯ୍ୟ କରିଥା’ନ୍ତି । ୱାରେଣ୍ଟିଙ୍କୁ ଚିହ୍ନଟ କରିବା, ସମ୍ପୃକ୍ତ ଅଞ୍ଚଳରେ କିଛି ଗଣ୍ଡଗୋଳ ହେଲେ ପୁଲିସ ଓ ହୋମଗାର୍ଡ଼ଙ୍କୁ ସହଯୋଗ କରିବା, କୌଣସି ମୃତଦେହ ଜବତ ପରେ ପୋଷ୍ଟମର୍ଟମ ନ ସରିବା ପର୍ଯ୍ୟନ୍ତ ତାହାକୁ ଜଗି ରହିବା ଆଦି ପ୍ରତିଟି କ୍ଷେତ୍ରରେ ଗ୍ରାମରକ୍ଷୀ ସକ୍ରିୟ କାର୍ଯ୍ୟ କରିଥା’ନ୍ତି । ତେବେ ଦୀର୍ଘଦିନରୁ ଫେରାର ଥିବା କିମ୍ବା ଜାମିନ ପାଇ ନଥିବା ୱାରେଣ୍ଟିଙ୍କ ଘର ଚିହ୍ନଟ କରିବା ସହ ଗିରଫ କରିବାରେ ପୁଲିସକୁ ସହଯୋଗ କରିବାରେ ଗ୍ରାମରକ୍ଷୀ ସର୍ବାଗ୍ରେ ଥା’ନ୍ତି । ଖାସ ସେଇଥି ପାଇଁ ସେମାନେ ଅଞ୍ଚଳବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ପ୍ରତିଟି ସମୟରେ ପୁଲିସକୁ ସହଯୋଗ କରି ଆସୁଥିବା ଗ୍ରାମରକ୍ଷୀଙ୍କୁ ମାସିକ ମାତ୍ର ୧୮ଶହ ଟଙ୍କା ଭତ୍ତା ଆକାରରେ ମିଳିଥାଏ । ତାହା ବି ନିୟମିତ ମିଳୁ ନଥିବା ଅଭିଯୋଗ ଉଠାଇଥିଲେ ଗ୍ରାମରକ୍ଷୀ ସଂଘର କର୍ମକର୍ତ୍ତା । ଦୀର୍ଘ ୧୦ମାସ ଧରି ସେମାନଙ୍କୁ ଭତ୍ତା ମିଳି ନଥିବା ବେଳେ ଗତ ପଞ୍ଚାୟତ ନିର୍ବାଚନରେ ଡ୍ୟୁଟି କରି ନଥିବା ଆଳ ଦେଖାଇ ଅନେକ ଗ୍ରାମରକ୍ଷୀଙ୍କୁ ନିଲମ୍ବନ କରାଯାଇଥିବା ସେମାନେ କହିଛନ୍ତି । ତୁରନ୍ତ ସେମାନଙ୍କୁ ବକେୟା ଭତ୍ତା ପ୍ରଦାନ ସହ ଗ୍ରାମରକ୍ଷୀଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇ ନେବାକୁ ସେମାନେ ଦାବି କରିଛନ୍ତି । ଦୀର୍ଘ ସମୟ ଧାରଣା ଦେବା ପରେ ଗ୍ରାମରକ୍ଷୀ ସଂଘର ସଭାପତି ରସାନନ୍ଦ ଦାସମହାପାତ୍ର ଓ ସମ୍ପାଦକ ତ୍ରିଲୋଚନ ଦାସ ଆଇଜି ହିମାଂଶୁ ଲାଲଙ୍କୁ ସାକ୍ଷାତ ସହ ଦାବିପତ୍ର ପ୍ରଦାନ କରିଥିଲେ । ଖୁବଶୀଘ୍ର ସେମାନଙ୍କ ଭତ୍ତା ପ୍ରଦାନ ଓ ନିଲମ୍ବନ ଉଠାଇନେବା ବାବଦରେ ପଦକ୍ଷେପ ନେବେ ବୋଲି ଆଇଜି ପ୍ରତିଶ୍ରୁତି ଦେବା ପରେ ଗ୍ରାମରକ୍ଷୀମାନେ ଧାରଣାରୁ ନିବୃତ୍ତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ