ବକ୍ସି ଜଗବନ୍ଧୁଙ୍କ ନାଁରେ ସ୍ବତନ୍ତ୍ର ଟ୍ରେନ୍ ଚଳାଯାଉ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ଖୋର୍ଦ୍ଧା ଜିଲ୍ଲାର ବରୁଣେଇଠାରେ ରବିବାର ପାଇକ ବିଦ୍ରୋହ ସ୍ମାରକ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାର ଶିଳାନ୍ୟାସ କରିଛନ୍ତି। ତେବେ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବକ୍ସି ଜଗବନ୍ଧୁଙ୍କ ନାମରେ ଏକ ସ୍ବତନ୍ତ୍ର ଟ୍ରେନ ଚଳାଚଳ ଦିଗରେ ପଦକ୍ଷେପ ନେବା ସକାଶେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ପାଇକ ସ୍ମାରକୀ ପାଇଁ କେନ୍ଦ୍ରର ପେଟ୍ରୋଲିୟମ ଓ ସଂସ୍କୃତି ବିଭାଗକୁ କୃତଜ୍ଞତା ଜଣାଇବା ସହ ରାଜ୍ୟ ସରକାର ଏହି ସ୍ମାରକ ପାଇଁ ଜମି ଯୋଗାଇ ଦେଇଥିବାବେଳେ ଭିତ୍ତିଭୂମି ଯୋଗାଇଦେବେ ବୋଲି କହିଛନ୍ତି।
ସେ ଆାହୁରି କହିଛନ୍ତି ଯେ ପାଇକ ବିଦ୍ରୋହ ବ୍ରିଟିଶ ଶାସନ ବିରୋଧରେ ଏକ ଗଣଆନ୍ଦୋଳନ ଥିଲା। ଏଥିପାଇଁ ସମସ୍ତ ପାଇକ ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ପାଇକଙ୍କ ଅଦମ୍ୟ ସାହସ ପାଇଁ ହିଁ ଆମେ ଗଙ୍ଗାରୁ ଗୋଦାବରୀ ପର୍ଯ୍ୟନ୍ତ ଜୟ କରିପାରିଥିଲୁ। ସମ୍ରାଟ ଖାରବେଳ ଓ କପିଳେନ୍ଦ୍ରଙ୍କ ଦିଗବିଜୟ ଆମ ପାଇଁ ଗୌରବମୟ ଇତିହାସ। ୧୮୦୩ ପର୍ଯ୍ୟନ୍ତ ଓଡ଼ିଶା ଅପରାଜେୟ ରହିଥିଲା। ୧୮୧୭ରେ ପାଇକମାନେ ହିଁ ପ୍ରଥମେ ବ୍ରିଟିଶ ବିରୋଧରେ ଲଢ଼ିଥିଲେ। ଏହି କାରଣରୁ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ କରିବା ସକାଶେ ଓଡ଼ିଶା ତା’ର ଦାବିକୁ ସବୁବେଳେ ଦୃଢ଼ କରିଆସିଛି। ଏଥିସହ ବକ୍ସି ଜଗବନ୍ଧୁଙ୍କ ନାମରେ ସ୍ବତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚଳାଯିବା ତାଙ୍କ ପ୍ରତି ଅସଲ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶାର ଏହି ଦାବିର ସୁବିଚାର କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଥିବା କହିଥିଲେ।