ବଗଦା ଶାସନ ପାଣି ଘେରରେ: ଯାତାୟତ ବାଧାପ୍ରାପ୍ତ
ବନ୍ତ, (ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତର ୧ନଂ.ୱାର୍ଡ ବଗଦା-କାଶିପୁରର ବଗଦା ଶାସନ ଗ୍ରାମ ପାଣି ଘେରରେ ରହିଛି । ଉକ୍ତ ଗ୍ରାମରେ ପ୍ରାୟ ୨୫ଟି ପରିବାରର ୨୫୦ରୁ ଉଦ୍ଧ୍ୱର୍ ଲୋକ ବସବାସ କରନ୍ତି । ଗ୍ରାମର ଆରମ୍ଭରେ କପାଳୀ ନଦୀ ଯାଇଥିବାରୁ ଏହାର ପ୍ରଭାବରେ ଅସରାଏ ବର୍ଷାରେ ପ୍ରାୟ ୪ ଫୁଟ୍ ଉଚ୍ଚତାରେ ପାଣି ରାସ୍ତା ଉପରେ ଠିଆ ହୋଇଥାଏ । ଫଳରେ ଗ୍ରାମର ଲୋକ ମାନେ ଘରୁ ବାହାରି ରାସ୍ତାରେ ଯିବା ଆସିବା କରିପାରନ୍ତି ନାହିଁ । ସେହିପରି ପିଲା ମାନେ ନିକଟସ୍ଥ ବିଦ୍ୟାଳୟକୁ ଯାଆସ କରିପାରନ୍ତି ନାହିଁ । ଉକ୍ତ ଗ୍ରାମର ରାସ୍ତା ଉଚ୍ଚତା କମ୍ ଥିବାରୁ ଅସରାଏ ବର୍ଷାରେ ପାଣି ଜମି ରହିଥାଏ । ଉକ୍ତ ରାସ୍ତା ନିକଟରେ ଯାଇଥିବା କପାଳୀ ନଦୀର ପଥର ପ୍ୟାକିଂ ୩ ବର୍ଷ ତଳେ ନିମ୍ନମାନର ହୋଇଥିବା ଯୋଗୁଁ ତାହା ବନ୍ୟା ଜଳରେ ଧୋଇ ହୋଇ ଯାଇଛି । ଉକ୍ତ ରାସ୍ତାର ଉଚ୍ଚତା ବୃଦ୍ଧି ପାଇଁ ଗ୍ରାମବାସୀ ମାନେ ପ୍ରଶାସନ ନିକଟରେ ବାରମ୍ବାର ଦାବୀ କରି ଆସୁଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ଉକ୍ତ ରାସ୍ତାକୁ ଉଚ୍ଚତା କରିବା ସହିତ ନଦୀ ପାଶ୍ୱର୍ରେ ପଥର ପ୍ୟାକିଂ କରାଗଲେ ଏପରି ସମସ୍ୟା ସୃଷ୍ଟି ହୁଅନ୍ତା ନାହିଁ ବୋଲି ଗ୍ରାମର ଗୋବିନ୍ଦ ଚନ୍ଦ୍ର ପଣ୍ଡା, ନିଳାମ୍ବର ମିଶ୍ର, ସୁକେଶ ତ୍ରିପାଠୀ, ସିଦେ୍ଧଶ୍ୱର ପାଢୀ, ମାନସ ପତି, ଅନାମ ମିଶ୍ର, ବିଷ୍ଣୁ ମୋହନ ତ୍ରିପାଠୀ, ରଘୁନାଥ ତ୍ରିପାଠୀ, ରବିନ୍ଦ୍ର ପତି, ଦାମୋଦର ପତି, ବାପିନ ପାଢୀ କହିଛନ୍ତି । ତୁରନ୍ତ ଏହି ରାସ୍ତା ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଗ୍ରାମବାସୀ ମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।