ବଙ୍ଗୋପସାଗରରେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ କର୍ମଶାଳା
କୋଣାର୍କ (ଯୁଗାଦ୍ଦ ନ୍ୟୁଜ): ବଙ୍ଗୋପସାଗର ଉପକୂଳ ବର୍ତ୍ତମାନ ଗଭୀର ପରିବେଶୀୟ ସଙ୍କଟ ଦେଇ ଗତିକରୁଛି । ଦୀର୍ଘ ୪୮୦ କିମି ଉପକୂଳ ଅଞ୍ଚଳରେ ଯେପରି ଭାବେ ପରିବେଶୀୟ କ୍ଷତି ସହ ସାମୁଦ୍ରିକ ଜୀବଜନ୍ତୁଙ୍କ ବସତି ପ୍ରତି ଘୋର ବିପଦ ଉଭା ହେଲାଣି ଏବଂ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀରେ ଯେପରି ତାପ ହ୍ରାସ ଓ ବୃଦ୍ଧି ଘଟୁଛି, ସେ ନେଇ ଉଦ୍ବେଗ ପ୍ରକାଶ ସହ ତାର ନିରାକରଣ ଆବଶ୍ୟକ ବୋଲି ରବିବାର ସ୍ଥାନୀୟ ଯାତ୍ରୀନିବାସଠାରେ ୟଙ୍ଗ୍ ଇଣ୍ଡିଆ ଓ ୱାଟର ଇନିସିଏଟିଭର ମିଳିତ ଆୟୋଜନରେ ଅନୁଷ୍ଠିତ ବଙ୍ଗୋପସାଗରରେ ଜଳବାୟୁ ପରିବର୍ତ୍ତନ ଶୀର୍ଷକ କର୍ମଶାଳାରେ ବିଭିନ୍ନ ଗଣମାଧ୍ୟମ ବ୍ୟକ୍ତି ଏବଂ ବୈଜ୍ଞାନିକ ତଥା ସମାଜସେବୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ପରିବେଶ ପ୍ରଦୂଷଣ ଏବଂ ଉପକୂଳ କ୍ଷତିଗ୍ରସ୍ତ ଫଳରେ ଉପକୂଳୀୟ ଇଲାକାରେ ଏହାର କୁପରିଣାମ ସମସ୍ତେ ଭୋଗିବା ଏବଂ ଆଗାମୀ ଭବିଷ୍ୟତରେ ଏହା ଗୁରୁତର ଆକାର ଧାରଣ କରିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ।
ୟଙ୍ଗ୍ ଇଣ୍ଡିଆ ସଭାପତି ଏନ୍ଏ ଶାହ ଆନସାରୀଙ୍କ ସ୍ୱାଗତ ସମ୍ଭାଷଣ ପରେ ୱାଟର ଇନିସିଏଟିଭ୍ର ଆବାହକ ରଞ୍ଜନ ପଣ୍ଡା ଗଣମାଧ୍ୟମ କର୍ମଶାଳାର ଆବଶ୍ୟକତା ସମ୍ପର୍କରେ ବ୍ୟକ୍ତ କରିଥିଲେ । ଭୁବନେଶ୍ୱର ଆଇଆଇଟି ବୈଜ୍ଞାନିକ ଡଃ ସନ୍ଦୀପ ପଟ୍ଟନାୟକ ବଙ୍ଗୋପସାଗର ତଟୀୟ କ୍ଷେତ୍ରରେ ପରିବେଶ ପରିବର୍ତ୍ତନ ସଂକ୍ରାନ୍ତରେ ମତବ୍ୟକ୍ତ କରିଥିବାବେଳେ କ୍ୟାଥୋଲିକ ରିଲିଫ୍ ସର୍ଭିସ ଅଧିକାରୀ ଶୈଳେନ୍ଦ୍ର ପଟ୍ଟନାୟକ ଜଳବାୟୁ ପରିବର୍ତ୍ତନ ଏବଂ କୃଷି ଉପରେ ପ୍ରଭାବ ସମ୍ପର୍କିତ ବକ୍ତବ୍ୟ ରଖିଥିଲେ । କନସର୍ଣ୍ଣ ୱାର୍ଲ୍ଡ ୱାଇଡ୍ ଅଧିକାରୀ ସରୋଜ ଦାଶ ସ୍ଥାନୀୟ ପରିବେଶୀୟ ସମସ୍ୟାଗୁଡ଼ିକୁ କିପରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତର ସହିତ ଯୋଡ଼ାଯାଇ ଏହାର ନିରାକରଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇପାରିବ, ସେ ସମ୍ପର୍କରେ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ । ବସୁନ୍ଧରାର ଡଃ ହେମନ୍ତ କୁମାର ସାହୁ ହେନ୍ତାଳବଣର ଉପକାରିତା ସମ୍ପର୍କରେ ମତ ରଖିଥିବା ବେଳେ ଦ୍ୱିତୀୟ ଅଧିବେଶନରେ ରଞ୍ଜନ ପଣ୍ଡାଙ୍କ ଆବାହକତ୍ୱରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି ପରିବେଶ ସନ୍ତୁଳନ ରକ୍ଷା ଦିଗରେ ଗଣମାଧ୍ୟମର ଦାୟିତ୍ୱ ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ । ଆଲୋଚକ ଭାବେ ବରିଷ୍ଠ ସାମ୍ବାଦିକ ପ୍ରିୟରଞ୍ଜନ ସାହୁ, ବାସୁଦେବ ମହାପାତ୍ର ଏବଂ ବସୁନ୍ଧରାର ନିର୍ବାହୀ ନିର୍ଦ୍ଦେଶକ ମାନସ ରଞ୍ଜନ ମିଶ୍ର ଗଣମାଧ୍ୟମର ଦାୟିତ୍ୱ, ଭୂମିକା, ରିପୋର୍ଟିଂ ପ୍ରଣାଳୀ ଆଦି ସମ୍ପର୍କରେ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ଇଣ୍ଟରନ୍ୟୁଜ୍ ସହାୟତାରେ ଆୟୋଜିତ ଏହି କର୍ମଶାଳା ଆସନ୍ତାକାଲି ଶେଷ ହେବ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୦ରୁ ଊଦ୍ଧ୍ୱର୍ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ରେଡ଼ିଓ ନମସ୍କାରର ପ୍ରତିନିଧି ଉକ୍ତ କର୍ମଶାଳାରେ ଅଂଶଗ୍ରହଣ କରିଛନ୍ତି । ଶେଷରେ ବସୁନ୍ଧରାର ପ୍ରଗତି ପ୍ରଭା ଧନ୍ୟବାଦ ଅର୍ପଣ କରିଥିଲେ ।