ବଜାରୀ କରଣ ପ୍ରଭାବରେ ପାରମ୍ପରିକ ଚାଷ ଧ୍ୱଂସ

କନ୍ଧମାଳରେ ପାରମ୍ପରିକ ଚାଷ ଗୁଡିକ କମିଗଲାଣି

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ବିଶ୍ୱରେ ବଜାରୀକରଣ ବ୍ୟବସ୍ଥା ହେବା ପରେ ପାରମ୍ପରିକ ଚାଷର କୁପ୍ରଭାବ ଦେଖିବାକୁ ମିଳିଛି କନ୍ଧମାଳ ଜିଲାରେ । ଏଠାରେ ପୂର୍ବରୁ ପାରମ୍ପରିକ ଚାଷ ମଧ୍ୟରେ କୁଏରୀ, ମାଣ୍ଡିଆ, କାଙ୍ଗୁ, ଜନା, ସୋରିଷ, ତିଳା, କାନ୍ଦୁଲ, ହଳଦୀ, ଅଦା, ଧୂଆଁପତ୍ର ଭଳି ତେଲ ଜାତୀୟ, ଡାଲି, ମସଲା ଫସଲ ବହୁ ପରିମାଣରେ ଅମଳ ହେଉଥିଲା । ହେଲେ ୧୯୯୦ରେ ଗ୍ଲୋବାଲାଇଜେଶନ ବା ମୁକ୍ତ ବଜାରୀକରଣ ହେବା ପରେ ସମସ୍ତ ସାମଗ୍ରୀ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସହଜରେ ଉପଲବ୍ଧ ହେଲା। ଥଣ୍ଡା ଠାରୁ ଅଣ୍ଡା ପର୍ଯ୍ୟନ୍ତ ହାତ ପାହାନ୍ତା ରେ ମିଳିବା ପରେ ପାରମ୍ପରିକ ଚାଷରୁ ଅମଳ ହେଉଥିବା ବିଭିନ୍ନ ସାମଗ୍ରୀ ବଜାରରେ ପ୍ରତିଯୋଗିତା କରି ନ ପାରି ଧୀରେ ଧୀରେ ଲୋପ ପାଇବାକୁ ଯାଉଛି। ଏବେ କେନ୍ଦ୍ର ଏବଂ ରାଜ୍ୟ ସରକାର ଏଭଳି କିଛି ଚାଷର ପୁନରୁଦ୍ଧାର ପାଇଁ ଯୋଜନା କରି ଚାଷୀଙ୍କୁ ସଚେତନ କରୁଛନ୍ତି। ହେଲେ ଏବେ ବି ଅନେକ ଚାଷ ପୁନରୁଦ୍ଧାର ହୋଇପାରି ନାହିଁ। ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଥିବା ବେଳେ ସେସବୁ ପ୍ରତି ଜିଲା ପ୍ରଶାସନ ମଧ୍ୟ ଦୃଷ୍ଟି ଦେଉନାହିଁ।
ସେହି ମଧ୍ୟରେ କନ୍ଧମାଳ ଜିଲାରେ ବହୁଳ ଭାବେ ବ୍ୟବହୃତ ହେଉଥିବା ଧୂଆଁ ପତ୍ର ଚାଷ ଏବେ ହଜିବାକୁ ବସିଛି। କନ୍ଧମାଳର ଧୂଆଁପତ୍ର ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ବିବାହ ଉତ୍ସବ ହେଉ କି ମୃତ୍ୟୁ ସମୟରେ ବନ୍ଧୁ ପରିଜନଙ୍କୁ ଶଙ୍ଖୁଳିବା ପାଇଁ ପୂର୍ବରୁ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ପକ୍ଷରୁ ବାଡ଼ିରୁ ଅମଳ ହୋଇଥିବା ଧୂଆଁ ପତ୍ରରୁ ପ୍ରସ୍ତୁତ ପିକା(ବିଡ଼ି) ଏବଂ ନାଶ ଦେଇ ଅତିଥିଙ୍କୁ ଆପ୍ୟାୟିତ କରିଥାନ୍ତି। ଏହାର ପ୍ରଥମେ ଆବଶ୍ୟକତା ରହୁଥିଲା। କିନ୍ତୁ ବର୍ତ୍ତମାନ ତାହା ଧୀରେ ଧୀରେ ଲୋପ ପାଇବାକୁ ବସିଛି। ଜିଲାର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏହି ଚାଷ ପୂର୍ବରୁ ବହୁ ପରିମାଣର କରାଯାଉ ଥିଲା। ଏଥି ଲାଗି ଚାଷୀଙ୍କୁ ଖର୍ଚ୍ଚ କରିବାକୁ ପଡ଼ୁ ନ ଥିଲା ବା ନିଜ ବାଡ଼ିରେ ଜୈବିକ ପଦ୍ଧତିରେ ଏହା ସହଜରେ ହେଉଥିଲା। ଏଥିରେ କୌଣସି ରାସାୟନିକ ଦ୍ରବ୍ୟ ବ୍ୟବହୃତ ହେଉ ନ ଥିଲା। କିନ୍ତୁ ଏବେ ଆଉ କେଉଁଠି ଏହି ଚାଷ କରାଯାଉନାହିଁ। ଧୂଆଁ ପତ୍ରରୁ ପିକା (ବିଡ଼ି) ସହ ନାଶ ଗୁଣ୍ଡ ପ୍ରସ୍ତୁତ କରି ପୂର୍ବରୁ ଲୋକେ ବ୍ୟବହୃତ କରୁଥିଲେ। ଫଳରେ କୌଣସି ମୃତ୍ୟୁମୁଖରେ ପଡ଼ିବା ଭଳି ରୋଗ ସୃଷ୍ଟି ହେଉ ନ ଥିବା କୁହାଯାଉଛି। ଏବେ ବଜାରୀକରଣ ପରେ ବଜାରରେ ସହଜରେ ଉପଲବ୍ଧ ହେଉଥିବା ଗୁଟ୍‌କା ସହ ରାସାୟନିକ ମିଶ୍ରଣ ନାଶ ଖାଇ ବିଭିନ୍ନ ମୁଖ ଗହ୍ବର ରୋଗ, କ୍ୟାନସର ଆଦି ରୋଗରେ ଆକ୍ରାନ୍ତ ହେଉଥିବା ଦୃଷ୍ଟାନ୍ତ ରହିଛି। ଏଥି ପାଇଁ ନିଶା ଦ୍ରବ୍ୟ ଗ୍ରହଣ ନ କରିବା ପାଇଁ ସରକାରଙ୍କ ପକ୍ଷରୁ ମଧ୍ୟ ବ୍ୟାପକ ସଚେତନତା କରାଯାଉଛି। ହେଲେ ଲୋକେ ପୂର୍ବଭଳି ପାରମ୍ପରିକ ଚାଷ ଭୁଲି ବଜାର ଉପରେ ନିର୍ଭର କରୁଛନ୍ତି। ଏନେଇ ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗିଆ ପଞ୍ଚାୟତ ବାସିନ୍ଦା ଡାକ୍ତର ଜୟପାଲ ସେନାପତି କହିଛନ୍ତି, ସେ ପିଲାଦିନେ ଏହି ଅଞ୍ଚଳରେ ଦେଖିଆସିଛନ୍ତି ଧୂଆଁପତ୍ର ଚାଷ। ତାକୁ ବ୍ୟବହାର କଲେ କୌଣସି ରୋଗ ହେଉ ନ ଥିଲା। କିନ୍ତୁ ଏବେ ରାସାୟନିକ ସାମଗ୍ରୀ ବ୍ୟବହାର କରି ଭୟଙ୍କର ରୋଗ ସୃଷ୍ଟି ହେଉଛି। ଏଣୁ ବହୁ ପରିମାଣରେ ଜୈବିକ ପଦ୍ଧତିରେ ଏହି ଚାଷ କରି ନିଜ ଅମଳ ସାମଗ୍ରୀ ବ୍ୟବହାର ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଏନେଇ ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ କହିଛନ୍ତି, ଅଞ୍ଚଳରେ ଏବେ ମଧ୍ୟ କାଁ ଭାଁ ଲୋକ ଏହି ଚାଷ କରୁଛନ୍ତି। ସହଜ ଉପାୟ ଯୋଗୁ ଲୋକେ ବଜାର ଉପରେ ନିର୍ଭର କରୁଛନ୍ତି। ସେମାନେ ପୁଣି ନିଜ ପାରମ୍ପରିକ ଚାଷକୁ ଗୁରୁତ୍ୱ ଦେବା ସମୟ ଆସିଯାଇଛି ବୋଲି କହିଛନ୍ତିି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ