ବଜାର ସଉଦା କରିବାକୁ ଗଲେ ଗୋଲେଇ ଭିତରେ ଠିଆହେବାକୁ ପଡ଼ିବ

ସାମାଜିକ ଦୂରତାରକ୍ଷାକୁ ଗୁରୁତ୍ୱ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ହିଞ୍ଜିଳିକାଟୁ ପୌରାଂଚଳ ଓ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଂଚଳର ଜନସାଧାରଣଙ୍କୁ କରୋନା କଟକଣା ମାନି ଚଳିବା ସକାଶେ ପୀରାମର୍ଶ ଦିଆଯାଇଛି । ହିିଞ୍ଜିଜିଳିକାଟୁ ସହରରେ କଡ଼ାକଡ଼ି ହୋଇଛି ସାମାଜିକ ଦୂରତା ନିୟମ । ସରକାରଙ୍କ ପକ୍ଷରୁ କିଛି ଦିନ ହେବ ସାମାଜିକ ଦୂରତ୍ୱ ନିୟମ ଲାଗୁ କରାଯାଇଥିଲେ ମଧ୍ୟ ଜନସାଧାରଣ ଏହାକୁ ମାନୁନଥିଲେ । ସହରର ଲକ୍ଷ୍ମୀ ବଜାର ସ୍ଥିତ ଗ୍ରୋସେରୀ ଦୋକାନ ସମେତ ଫଳ ଓ ପନିପରିବା ବଜାରରେ ଭିଡ଼ ଜମାଉଛନ୍ତି । ଲୋକଙ୍କ ବହୁତ ଭିଡ଼ ହେଉଥିବାରୁ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ସାମାଜିକ ଦୂରତ୍ୱକୁ ଯେତେ ଗୁରୁତ୍ୱ ଦେଲେ ମଧ୍ୟ କୌଣସି ପ୍ରକାର ସଫଳତା ମିଳୁ ପାରୁନାହିଁ । ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପାୟ ବାହାର କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ ପ୍ରକାରେ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ତତ୍ୱାବଧାନରେ ଶନିବାର ଅପରାହ୍ନରେ ସ୍ଥାନୀୟ ପରିବା ବଜାରରେ ଧଳା ରଙ୍ଗର ଗୋଲେଇ ଟଣାଯାଇଛି । ଥାନା ଭାରପ୍ରାପ୍ତ ଅଧିକାରୀ ସ୍ଥାନୀୟ ପରିବା ବଜାର ପରିସରରେ ଦୋକାନ ସମ୍ମୁଖରେ ଧଳା ରଙ୍ଗରେ ଗୋଲେଇ ଟାଣି ସଚେତନ କରାଇବା ସହ ସାମାଜିକ ଦୂରତ୍ୱ ରକ୍ଷା ସକାଶେ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ଗୋଲେଇ ଅନ୍ୟ ଏକ ଗୋଲେଇ ମଧ୍ୟରେ ଏକ ମିଟର ଦୂରତା ରଖାଯାଇଛି । ଗ୍ରାହକ ମାନେ ପରିବା ବଜାରକୁ ବଜାର ସଉଦା କରିବାକୁ ଆସିଲେ ଶୃଙ୍ଖଳିତ ଭାବେ ସେହି ଗୋଲେଇ ମଧ୍ୟରେ ଠିଆ ହୋଇ ଜଣକ ପରେ ଜଣେ ବଜାର ସଉଦା କରି ଫେରିପାରିବେ ବୋଲି ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କହିଛନ୍ତି । ଏହାର ପ୍ରତିଫଳନ ସ୍ଥାନୀୟ ପରିବା ବଜାରରେ ଦେଖିବାକୁ ମିଳିଛି । ଆଗାମୀ ଦିନରେ ସ୍ଥାନୀୟ ପୌରାଂଚଳର ଲକ୍ଷ୍ମୀ ବଜାର ପରିସରରେ ମଧ୍ୟ ସାମାଜିକ ଦୂରତ୍ୱ ନିୟମ ପାଳନ କରାଯିବ ବୋଲି ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ