ବଜ୍ରାଘାତରେ ୧୮ଗୋରୁ, ୫ଛେଳି ମୃତ ଚରାଳୀ ଅଚେତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ଆର.ଉଦୟଗିରି ବ୍ଲକ ରଣ୍ଡିବା ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଗତ ୩ତାରିଖ ଅପରାହ୍ନ ସମୟରେ ଅଚାନକ ପ୍ରାୟ ଏକ ଘଣ୍ଟାଯାଏ ପ୍ରବଳ ବର୍ଷା ସହିତ ବଜ୍ରାଘାତ ଘଟିଥିଲା । ସେହି ସମୟରେ ଲକ୍ଷ୍ମୀପୁର ଗ୍ରାମର ଗୃହପାଳିତ ଗାଇ ଗୋରୁ ମାନଙ୍କୁ ନେଇ ଗ୍ରାମର କିଛି ଗାଇ ଚରାଳି ଏକ ପାହାଡ ତଳେ ଚରାଉଥିଲେ । ପ୍ରବଳ ବର୍ଷା ଯୋଗୁଁ ଗାଇ ଚରାଳିମାନେ ଏକ ଗଛ ମୂଳରେ ଆଶ୍ରୟ ନେବା ସମୟରେ ହଠାତ ବିଜୁଳି ସହ ବଜ୍ରପାତ ହେବା ଯୋଗୁଁ ଅଠର ଗୋଟି ଗାଇଙ୍କର ଘଟଣା ସ୍ଥଳରେ ମୃତ୍ୟ ଘଟିଥିଲା । ତେବେ ସେମାନଙ୍କ ମଧ୍ୟରେ ଥିବା ତିନିଜଣ ଗାଇ ଚରାଳିମାନେ ପ୍ରାଣ ବିକଳରେ ଦୌଡିବାକୁ ଆରମ୍ଭ କରିଥିବ।।ବେଳେ, ବଜ୍ରାଘାତର ପ୍ରଭାବରେ ଜଣେ ନଦୀ ତଳକୁ ଖସି ପଡିଥିଲା । ଅନ୍ୟ ଦୁଇଜଣ ଗଛମୂଳେ ଆଶ୍ରୟ ନେଇଥିବା ବେଳେ ସେମାନେ ମଧ୍ୟ ବଜ୍ରାଘାତର ଆଘାତରେ ଅଚେତ ହୋଇଯାଇଥିଲେ । ଲକ୍ଷ୍ମୀପୁର ଗ୍ରାମବାସୀମାନେ ଖବର ପାଇ ଘଟଣା ସ୍ଥଳରେ ପହଞ୍ôଚ ଅଚେତ ବ୍ୟକ୍ତିମାନଙ୍କୁ ଉଦ୍ଧାର କରିଥିଲେ । ଗ୍ରାମବାସୀମାନେ ତୁରନ୍ତ ଆର୍.ଉଦୟଗିରିର ତହସିଲଦାରଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପ୍ରାଣି ଚିକିତ୍ସା ବିଭାଗର ଅଧିକାରୀମାନେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ସେପଟେ, କ୍ଷତିଗ୍ରସ୍ତ ହୋଇଥିବା ପରିବାରମାନଙ୍କୁ କ୍ଷତି ପୁରଣ ଯୋଗାଇ ଦେବାକୁ ଦାବି ହୋଇଛି । ସେହିପରି ଅନ୍ୟ ଏକ ଘଟଣା ଘଟିଛି ରାମଗିରି ନିକଟସ୍ଥ ଫୋକା ଗ୍ରାମରେ । ବର୍ଷା ସହ ପ୍ରବଳ ବଜ୍ରାଘାତ ଯୋଗୁଁ ୫ଗୋଟି ଛେଳିର ମୃତ୍ୟୁ ଘଟିଛି ।