ବଞ୍ଚୋ ଦଧିବାନଜୀୟୁଙ୍କ ୯ମ ବାର୍ଷିକ ଉତ୍ସବ, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକର ବଞ୍ଚୋ ଗ୍ରାମରେ ପ୍ରଭୂ ଦଧିବାବନଜୀୟୁଙ୍କ ମନ୍ଦିରର ନବମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ତିନିଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିନରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହି ଉପଲକ୍ଷେ ଆଜି ସକାଳୁ ବୈତରଣୀ ନଦୀରୁ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରାଯାଇଥିଲା । କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ସମୟରେ ପ୍ରତ୍ୟେକ ପରିବାର ପକ୍ଷରୁ ଧୂପ ଦ୍ୱୀପ ଦ୍ୱାରା ବନ୍ଦାପନା କରାଯିବା ସହ ଶଙ୍ଖ ହୁଳହୁଳୀ ଧ୍ୱନିରେ ଗ୍ରାମଟି ପ୍ରକମ୍ପିତ ହୋଇ ଉଠିଥିଲା । ପରେ ଦଧିବାବନଜୀୟଙ୍କ ମନ୍ଦିରରେ ନିର୍ମିତ ଯଜ୍ଞମଣ୍ଡପରେ କଳଶ ଗୁଡିକୁ ସ୍ଥାପନ କରାଯାଇ ପୂଜାକାର୍ଯ୍ୟ ଆରମ୍ଭ କରାଯିବା ସହ ଅଗ୍ନି ସ୍ଥାପନ କରାଯାଇଥିଲା । ଏଥି ନିମନ୍ତେ ଗ୍ରାମର ଅନେକ ମହିଳା ନିଜ ନିଜ ପରିବାରର ମଙ୍ଗଳ ମନାସୀ ବୈତରଣୀ ନଦୀରୁ ପୁଣ୍ୟଘଟ ଉତ୍ତୋଳନ କରି ନିଜ ନିଜ ଗୃହ ସମ୍ମୁଖରେ ସ୍ଥାପନ କରୁଥିବା ଦେଖିବାକୁ ମିଳିଥିଲା । ଅଶାନ୍ତ ନାୟକ, ବାବୁଲା ମହାନ୍ତି, ନାଣ୍ଡୁ ବିଶ୍ୱାଳ, ଅମୀୟ ନାୟକ, ଘନଶ୍ୟାମ ରାଉତ ପ୍ରମୁଖ କର୍ତ୍ତା ଭାବେ ସାମିଲ ହୋଇଥିବାବେଳେ ପଣ୍ଡିତ ପ୍ରହଲାଦ ପାଢ଼ୀ, ସନାତନ ପଣ୍ଡା, ଆନନ୍ଦ ଦାଶ, ନନ୍ଦ କିଶୋର ଦାଶ ପ୍ରମୁଖ ବେଦମନ୍ତ୍ରରେ ପୂଜାକାର୍ଯ୍ୟ ସମ୍ପାଦାନ କରୁଛନ୍ତି । ଏଥିପାଇଁ ପ୍ରଭୂ ଦଧିବାବନଙ୍କ ନିକଟରେ ଆଜି ଠାରୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ସକାଳ ୯ଟାରୁ ଦିନ ତମାମ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଗାଁରୁ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କ ପାଖରେ ପୂଜାର୍ଚ୍ଚନା କରି ପ୍ରସାଦ ସେବନ କରୁଛନ୍ତି । ଅପରାହ୍ନରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ମଞ୍ଚକୁ ଉଦଘାଟନ କରିବା ସହ ବଞ୍ଚୋ ଗ୍ରାମକୁ ସମଗ୍ର ରାଜ୍ୟରେ ଏକ ମଡେଲ ଗ୍ରାମ ଭାବରେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଥିଲେ । ସରପଞ୍ଚ ଚମ୍ପାବତୀ ପୁହାଣ, ମନ୍ଦିର ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ଅଶୋକ ପୁହାଣ, ରତିକାନ୍ତ ରାଉତ, ସୁଧାଶୁଂ ରାଉତ ପ୍ରମୁଖ ବିଧାୟକ ଶ୍ରୀଯୁକ୍ତ ସେଠୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସନ୍ଧ୍ୟାରେ ନାମ ସଂଙ୍କିର୍ତ୍ତନ କରାଯିବା ପରେ ସୁନାମଧନ୍ୟ କଣ୍ଠଶିଳ୍ପୀ ସୁଧାକର ମିଶ୍ର ଓ ସୁଜାତା ରଥଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା ।