ବଡଖଣ୍ଡି ହତ୍ୟା ଘଟଣା, ଫେରାର ଅଭିଯୁକ୍ତ ଗିରଫ ଗିରଫ ସଂଖ୍ୟା ୩ ରେ ପହଞ୍ଚିଲା 

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗତ ଅକ୍ଟୋବର ୬ ତାରିଖ ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ବଡଖଣ୍ଡି ଜଗନ୍ନାଥ ମନ୍ଦିର ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବ୍ରହ୍ମପୁର ସଦର ଥାନା ସାତପହଣ୍ଡିଆ ଗ୍ରାମର ରାଜୁ ରେଡ୍ଡି (୩୨)ଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିଲା। ସଂପୃକ୍ତ ହତ୍ୟା ଘଟଣାରେ ହିଞ୍ଜିଳି ପୁଲିସ ଅନ୍ୟ ଜଣେ ଫେରାର ଅଭିଯୁକ୍ତଙ୍କୁ ଶନିବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ସମରଝୋଳ ଗ୍ରାମ ଛକରୁ ଗିରଫ କରିଛି। ଗିରଫ ଜଣଙ୍କ ହେଲେ ବ୍ରହ୍ମପୁର ସଦର ଥାନା ସାତପହଣ୍ଡିଆ ଗ୍ରାମର ବି. ଅଭି ରେଡ୍ଡି (୨୮) । ଏ ନେଇ ହିଞ୍ଜିଳି ଥାନାର କେସ ନଂ- ୮୩୬/୨୪ ରେ ମାମଲା ପ୍ରକାରେ ଗିରଫ ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି। ପୂର୍ବରୁ ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେମାନେ ହେଲେ ବ୍ରହ୍ମପୁର ସଦର ଥାନା ସାତପହଣ୍ଡିଆ ଗ୍ରାମର ବି. ସୁବ୍ରତ ରେଡ୍ଡି (୨୪) ଓ ଏସ. ଶିବରାମ ରେଡ୍ଡି @ କାଳିଆ (୨୯) ।‌ ଗିରଫ ସଂଖ୍ୟା ୩ ରେ ପହଞ୍ଚିଛି।

ପ୍ରକାଶ ଯେ, ବ୍ରହ୍ମପୁର ସଦର ଥାନା ସାତପହଣ୍ଡିଆ ଗ୍ରାମର ରାଜୁ ରେଡ୍ଡି ସହ ସୁବ୍ରତ ରେଡ୍ଡିଙ୍କ ସହ ପୂର୍ବରୁ ଶତୃତା ରହିଥିଲା। ଅକ୍ଟୋବର ୬ ତାରିଖ ବିଳମ୍ବିତ ରାତିରେ ରାଜୁ ବ୍ରହ୍ମପୁରରୁ କାମ ସାରି ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ପୂର୍ଵ ଶତୃତାର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ସୁବ୍ରତଙ୍କ ସମେତ ଅଭି ଓ କାଳିଆ ହିଞ୍ଜିଳି ଥାନା ବଡଖଣ୍ଡି ଜଗନ୍ନାଥ ମନ୍ଦିର ନିକଟସ୍ଥ ଏକ ନିକାଞ୍ଚନ ଜାଗାରେ ଛକି ବସିଥିଲେ। ରାଜୁ ସେହି ରାସ୍ତା ଦେଇ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ସୁବ୍ରତ, ରାଜୁଙ୍କୁ ଅଟକାଇବା ସହ ଗାଳି ଗୁଲଜ କରିଥିଲେ। ପରେ ଉତକ୍ଷିପ୍ତ ହୋଇ ସୁବ୍ରତ ଧରିଥିବା ଏକ ଧାରୁଆ ଛୁରୀରେ ସୁବ୍ରତଙ୍କ ବେକକୁ କାଟି ଦେଇଥିଲେ। ପ୍ରଚୁର ରକ୍ତସ୍ରାବ ହେବା ସହ ମୃତ୍ୟୁ ଘଟିବା ପରେ ରାସ୍ତା ପ୍ବାର୍ଶ୍ବ ଏକ ଧାନ ଚାଷଜମିକୁ ରାଜୁଙ୍କ ମୃତଦେହକୁ ଫୋପାଡି ଘଟଣା ସ୍ଥଳକୁ ଫେରାର ହୋଇଯାଇଥିଲେ। କୈାଣସି ସୂତ୍ରରୁ ଖବର ପାଇ ତତ୍କାଳୀନ ଆସିକା ଏସଡିପିଓ ସଞ୍ଜୟ କୁମାର ମହାପାତ୍ର, ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି, ଶେରଗଡ଼ ଥାନା ଆଇଆଇସି ବରେନ୍ଦ୍ର ସିଅଳ, ତତ୍କାଳୀନ ହିଞ୍ଜିଳି ଥାନା ଏଡିସିନାଲ ଆଇଆଇସି ପଦ୍ମ ଚରଣ ଭଟ୍ଟଙ୍କ ସମେତ ପୁଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଥିଲେ। ମୃତଦେହକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। ସୁବ୍ରତ ଘଟଣା ସ୍ଥଳରେ ନିଜ ମୋଟର ସାଇକେଲ (ଓଡି୦୭ଏଭି ୨୪୬୪)କୁ ଛାଡି ଚାଲି ଚାଲି ହିଞ୍ଜିଳିକାଟୁ ଅଭିମୁଖେ ଫେରାର ହେଉଥିବା ସମୟରେ ହିଞ୍ଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ପୋଚିଲିମା ଛକ ନିକଟରେ ଦୂର୍ଘଟଣାର ଶୀକାର ହୋଇ ରାସ୍ତାରେ ପଡି ଯାଇଥିଲେ। ସେହି ରାସ୍ତାଦେଇ ଯାତାୟତ କରୁଥିବା କିଛି ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଉଦ୍ଧାର କରିଥିବା ଲୋକଙ୍କୁ ଆହତ ଜଣଙ୍କ ଗୋଟିଏ ହତ୍ୟା କରି ଆସିଛି ଏବଂ ତୁମ୍ଭ ମାନଙ୍କୁ ମଧ୍ୟ ହତ୍ୟା କରିବି ବୋଲି ଧମକ ଦେଇଥିଲେ। ଉଦ୍ଧାର କରୁଥିବା ବ୍ୟକ୍ତି ମାନେ ଭୟରେ ଘଟଣା ନେଇ ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଆସିକା ଏସଡିପିଓଙ୍କ ସମେତ ପୁଲିସ ଅଧିକାରୀ ଓ ଫୋର୍ସ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଯୁବକଙ୍କୁ କାବୁ କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାଜୁ ଙ୍କୁ ହତ୍ୟା କରିଥିବା ନେଇ ସୁବ୍ରତ ଆସିକା ଏସଡିପିଓଙ୍କ ନିକଟରେ ସ୍ବୀକାର କରିଥିଲେ। ସୁବ୍ରତଙ୍କ ପ୍ରାଥମିକ ଚିକିତ୍ସା ପରେ ପୁଲିସ ଗିରଫ କରିଥିଲା । ପରେ ଶିବରାମ @ କାଳିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗିରଫ ୨ ଯୁବକଙ୍କ ନିକଟରୁ ୨ଟି ମୋଟର ସାଇକେଲ ଓ ହତ୍ୟାରେ ବ୍ୟବହୃତ ଏକ ଛୁରୀକୁ ଜବତ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ