ବଡଡୁମୁଳା ମାଁ ବାଙ୍କେଶ୍ୱରୀ ଯାତ୍ରା ଉଦ୍ଯାପିତ
ଦିଗପହଣ୍ଡି : ଦିଗପହଣ୍ଡି ବ୍ଳକ୍ ଅନ୍ତର୍ଗତ ବଡଡୁମୁଳାରେ ଥିବା ମା ବାଙ୍କେଶ୍ୱରୀ ଯାତ୍ରା ଉଦ୍ଯାପିତ ହୋଇଯାଇଛି । ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା । ବୁଧବାର ମଧ୍ୟରାତ୍ରରେ ରାଜାଗ୍ନି ପରେ ମାଙ୍କ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କିମ୍ବଦନ୍ତୀ କହେଯେ,ବହୁ ବର୍ଷ ତଳେ ଏଠାରେ ମାଙ୍କ କୌଣସି ପୀଠ ନଥିଲା । ବି.ତୁରୁବୁଡି ନିକଟସ୍ଥ କେରାଣ୍ଡିମାଳ ପାହାଡ ଜଙ୍ଗଲରେ ମାବାଙ୍କେଶ୍ୱରୀ ପ୍ରତ୍ୟେକ୍ଷ ବିଦ୍ୟମାନ ଥିଲେ । ଶୁଣାଯାଏ ଯେ, ମା ଭାରି ଭକ୍ତବତ୍ସଳ । ସତେ ଯେମିତିକି ଡାକିଲେ ଓ କରନ୍ତି । ଏଣୁ ବହୁ ଦୂରଦୂରାନ୍ତରୁ ମାନସିକଧାରୀ ତଥା ଶ୍ରଦ୍ଧାଳୁମାନେ ଏହି ଦୁର୍ଗମ ଜଙ୍ଗଲକୁ ଅତିକ୍ରମ କରି ମାଙ୍କ ଭୋଗରାଗ ତଥା ପୂଜାର୍ଚ୍ଚନା କରିବା ନିମନ୍ତେ ଆସୁଥିଲେ । ଏହି ସବୁ ଅସୁବିଧାକୁ ଲକ୍ଷକରି ମା ବାଙ୍କେଶ୍ୱରୀ ଏକ ଆଲୌକିକ ଧାତବ ନିର୍ମିତ ଢାଳ ପାହାଡ ପାଦଦେଶକୁ ଫୋପାଡିଥିଲେ ସେବେ ଠାରୁ ସେହି ସ୍ଥାନରେ ଅର୍ଥାତ୍ ଏବେକାର ବଡଡୁମୁଳା ଠାରେ ମା ସିଦ୍ଧ ବାଙ୍କେଶ୍ୱରୀ ନାମରେ ନାମିତ ହୋଇ ଏକ ସ୍ଥାୟୀ ମନ୍ଦିରରେ ପୂଜାପାଇଲେ । ତେବେ ମନ୍ଦିର ହେବା ଠାରୁ ଦୋଳପୂର୍ଣ୍ଣିମା ପୂର୍ବଦିନ ମନ୍ଦିର ନିକଟରେ ଏକ ସ୍ଥାନରେ ପ୍ରତିବର୍ଷ ଏକ ଆଲୌକିକ ଘଟଣା ଘଟେ, ହଠାତ୍ ଏକ ପ୍ରକାର ଅଗ୍ନିପିଣ୍ଡ ପାହାଡରୁ ଦୋଦୁଲ୍ୟମାନ ଅବସ୍ଥାରେ ହଠାତ୍ ଆସି ନିଆଁ ଲାଗିଥାଏ । ସେବେଠାରୁ ଉକ୍ତ ସ୍ଥାନରେ ରାଜାଗ୍ନି ଦେବୀ ପୂଜା ପାଉଛନ୍ତି । ଶୁଣାଯାଏଯେ,ସେଠାରେ ପୂର୍ବେ ତାନ୍ତ୍ରିକମାନେ ସାଧନା କରୁଥିଲେ,ଏଣୁ କିଛି ତନ୍ତ୍ରସାଧନ ଶକ୍ତି ରହିଛି,ଯାହାଫଳରେ ଏହି ଅଗ୍ନିପିଣ୍ଡ ଆସୁଥିବା ସମୟରେ କେହି ଦେଖିଲେ ସଙ୍ଗେ ସଙ୍ଗେ ମୃତ୍ୟୁବରଣ କରିଥାନ୍ତି । ଏହାକୁ ଦେଖି ସେବାୟତମାନେ ମାଙ୍କ ପୂଜାର୍ଚ୍ଚନା ଲାଗି ଆଦେଶ ପାଇଥାନ୍ତି ଏବଂ ସର୍ବପ୍ରଥମେ ବଡଖେମୁଣ୍ଡି ରାଜବଂଶର ଭୋଗ ଲାଗିଥାଏ । ଏହି ପରମ୍ପରା ରାଜଅମଳରୁ ରହିଆସିଅଛି । ପ୍ରତକ୍ଷ ଦେବୀପୀଠ ହୋଇଥିବାରୁ ବର୍ଷର ବିଭିନ୍ନ ସମୟରେ ଶ୍ରଦ୍ଧାଳୁମାନଙ୍କ ଭିଡ ପରିଲିକ୍ଷିତ ହୋଇଥାଏ । ଏହି ଅବସରରେ ବହୁ ଦୂରଦୂରାନ୍ତରୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଶ୍ରଦ୍ଧାଳୁମାନେ ଆସି ମନୋସ୍କାମନା କରିବା ସହିତ ସନ୍ତାନ ସନ୍ତତି ମାନଙ୍କର ଉତ୍ତରତ୍ତୋର ଉନ୍ନତି ପାଇଁ ପ୍ରଥମ ମୁଣ୍ଡନ କରାଇଥିବା ବେଳେ ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ ଦମ୍ପତ୍ତି ମାନେ ମାନସିକ ରଖି ମା’ଙ୍କୁ ଅମୃତ ମଣେହିଥିଲେ । ଯାତ୍ରା ଅବସରରେ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ,ଭଜନ ସନ୍ଧ୍ୟା ସମେତ ମୀନାବଜାରର ଆୟୋଜନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଯାତ୍ରା ପରିଚାଳନା କମିଟି ପକ୍ଷରୁ ହରିସେବକ ପଣ୍ଡା, କେ.ସଞ୍ଜୀବ କୁମାର ରେଡ୍ଡି, ବି.କ୍ରୀଷ୍ଣାରାଓ ସୁବୁଦ୍ଧି, ରମେଶଚନ୍ଦ୍ର ପାଢୀ, କେ.ହରିବନ୍ଧୁ ରେଡି ପ୍ରମୁଖଙ୍କ ସମେତ ସମସ୍ତ ଗ୍ରାମବାସୀ ପରିଚାଳନାରେ ସହେଯାଗ କରିଥିଲେ । ସେହିପରି ଶାନ୍ତିଶୃଙ୍ଖଳା ରକ୍ଷା ଦୃଷ୍ଟିରୁ ୩ପ୍ଳାର୍ଟୁନ୍ ପୋଲିସ ମୁତୟନ ସାଙ୍ଗକୁ୨୦ଟି ଏଏସଆଇ, ୭ଟି ସବ୍ଇନସିପେକ୍ଟର, ୩ଟି ଇନ୍ସପେକ୍ଟର, ଜଣେ ଡିଏସପି ଓ ଡେପୁଟି କମାଣ୍ଡେଣ୍ଟ୍ ନିଯୁକ୍ତି ହେବା ସହ ଅହରୋହ ପେଟ୍ରୋଲିଂ କରାଯାଇଥିବାର ଆଇଆଇସି ଗୌରାଙ୍ଗ ଚରଣ ସାହୁ କହିଛନ୍ତି ।