ବଡଡୁମ୍ବୁଳା ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟରେ ଅନିୟମିତତା ଅଭିଯୋଗ : ତଦନ୍ତ ନିମନ୍ତେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ , ବିଡ଼ିଓ ଙ୍କୁ ସ୍ମାରକପତ୍ର ପ୍ରଦାନ

ଦିଗପହଣ୍ଡି,(ୱାଇଏନ୍ଏସ୍): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବଡଡୁମ୍ବୁଳା ପଞ୍ଚାୟତ ଅଧୀନ ଗାଁ ମାନଙ୍କରେ ସରକାରୀ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟରେ ବହୁ ଅନିୟମିତତା,ପ୍ରୀୟାପ୍ରିତି ଓ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ଗ୍ରାମବାସୀ ଙ୍କ ପକ୍ଷରୁ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହାର ତଦନ୍ତ ଦାବିରେ ବି ଡି ଓ ହଳଧର ଶବର ଙ୍କ ଅନୁପସ୍ଥିତିରେ ବ୍ଳକ ମୁଖ୍ୟ କିରାଣୀ ତ୍ରିନାଥ ଶବର ଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି । ଖବରପ୍ରକାରେ , ବଡଡୁମ୍ବୁଳା ପଞ୍ଚାୟତ ପାଇଁ ଆସୁଥିବା ବିଭିନ୍ନ ସରକାରୀ ଯୋଜନାରେ ଚଞ୍ଚକତା କରାଯାଇ ଅର୍ଥ ଆତ୍ମସାତ କରାଯାଇଥିବା ପ୍ରତିବାଦରେ ଗ୍ରାମର ଯୁବ ଗୋଷ୍ଠୀଙ୍କ ନେତୃତ୍ୱରେ ଗ୍ରାମବାସୀ ଏକତ୍ରିତ ହୋଇ ପୂର୍ବାହ୍ନରେ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ପଞ୍ଚାୟତର ଜଣେ କାର୍ଯ୍ୟରତ ପୋଷ୍ଟ ମାଷ୍ଟର ଓ ଅବସର ପ୍ରାପ୍ତ ଶିକ୍ଷକ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିଜ ସହ ନିଜ ସ୍ତ୍ରୀଙ୍କ ନାମକୁ ଯୋଡ଼ି ସରକାରଙ୍କ ଠାରୁ ନିଜକୁ ଶ୍ରମିକ ଦର୍ଶାଇ ହଜାର ହଜାର ଟଙ୍କା ଆତ୍ମାସାତ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ବିକ୍ଷୋଭ ରେ ସାମିଲ ହୋଇ ବହୁ ସଂଖ୍ୟକ ବୃଦ୍ଧ ବୃଦ୍ଧା , ବିକଳାଙ୍ଗ , ବିଧବା ଭତ୍ତା , ଭିନ୍ନକ୍ଷମ ତଥା ଅସହାୟ ଲୋକ ସରକାର ପକ୍ଷରୁ ଆସୁଥିବା ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି । ଏଥିସହ ଜବକାର୍ଡଧାରୀ ଗରିବ ହିତାଧିକାରୀଙ୍କୁ କାମ ଦିଆଯିବା ପରିବର୍ତ୍ତେ ସରକାରୀ ଚାକିରିଆ ଲୋକଙ୍କ ଜବକାର୍ଡ କରାଯାଇ ବିନା କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଥିବା , ଗ୍ରାମାଞ୍ଚଳ ପାର୍କ , ମୋ ବଗିଚା , ଜମି ସମାନ୍ତରାଳ , ରାସ୍ତା , ପ୍ରଧାନମନ୍ତ୍ରୀ ଆବାସ , ବିଜୁ ପକ୍କାଘର , ଇନ୍ଦିରା ଆବାସ , ବିଭିନ୍ନ ପ୍ରକାରର ଭତ୍ତା , ରାସନ୍ କାର୍ଡ
ଦୁର୍ନୀତି ଓ ପଞ୍ଚାୟତର ଯେକୌଣସି ସରକାରୀ କାମ କରାଯାଉଛି ତାହା ଅତି ନିମ୍ନ ମାନର ବୋଲି ସ୍ମାରକପତ୍ର ରେ ଉଲ୍ଲେଖ କରାଯାଇଛି । ଗ୍ରାମବାସୀ ପକ୍ଷରୁ ଏହାର ତଦନ୍ତ ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଆଗାମୀ ଦିନରେ ଏହାର ତଦନ୍ତ ନହେଲେ ବ୍ଳକ କାର୍ଯ୍ୟାଳୟ ପରିସରରେ ଗ୍ରାମବାସୀ ଙ୍କ ପକ୍ଷରୁ ବୃନ୍ଦାବନ ଭୁଁ ୟା, ସିମାଞ୍ଚଳ ରେଡ୍ଡୀ, ରଙ୍କ ଗୌଡ, ସୁବାସ ଗୌଡ ପ୍ରମୁଖ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି । ତେବେ ଏନେଇ ବିଡ଼ିଓ ଶ୍ରୀ ଶବରଙ୍କୁ ପଚାରି ବୁଝିବାରୁ ସମସ୍ତ ଅଭିଯୋଗ ର ସତ୍ୟତା ତଦନ୍ତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ