ବଡମଙ୍ଗରାଜପୁର ଗ୍ରାମରେ ପାନୀୟ ଜଳ ସଙ୍କଟ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ବଡମଙ୍ଗରାଜପୁର ଗ୍ରାମରେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ପାନୀୟ ଜଳର ଅଭାବକୁ ପୁରଣ କରାଯିବା ପାଇଁ କୁରୁଜଙ୍ଗା ଗ୍ରାମରେ ଯେଉଁ ଜଳ ଅମଳ ପ୍ରକଳ୍ପଟି ନିର୍ମାଣ କରାଯାଇଥିଲା ସେଥିରୁ ବଡମଙ୍ଗରାଜପୁର ଗ୍ରାମର ୯ନମ୍ବର ୱାର୍ଡକୁ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା । କିନ୍ତୁ ବର୍ତ୍ତମାନ କେତେକ ଯାନ୍ତ୍ରିକ ତୃଟି ଯୋଗୁଁ ଏହି ୱାର୍ଡକୁ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇପାରୁନାହିଁ । ଫଳରେ ସେହି ୱାର୍ଡର ୫୦ରୁ ଅଧିକ ପରିବାରର ଲୋକମାନେ ପାନୀୟ ଜଳ ନପାଇ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ହନ୍ତସନ୍ତଃ ହେଉଥିବା ନେଇ ଅଭିଯୋଗ ହୋଇଛି । ସେହି ଗ୍ରାମରେ ଥିବା ନଳକୂପର ପାଣି ଲୁଣିଆ ହୋଇପଡିଥିବା ବେଳେ ଲୋକମାନଙ୍କ କୂଅର ପାଣି ମଧ୍ୟ ଶୁଖି ଗଲାଣି । ତେଣୁ ଲୋକମାନେ ନଦୀର ଦୂଷିତ ପାଣିକୁ ପିଇବାକୁ ବାଧ୍ୟ ହେଉଛନ୍ତି । ଏହାଦ୍ୱାରା ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହି ଜଳକଷ୍ଟରୁ ରକ୍ଷା ପାଇଁ ବଡମଙ୍ଗରାଜପୁର ଗ୍ରାମର ଅଧିବାସୀମାନେ ସ୍ଥାନୀୟ ସରପଞ୍ଚ ଓ ଡେରାବିଶି ବିଡିଓଙ୍କୁ ଲିଖିତ ଭାବେ ଜଣାଇବା ପରେ ମଧ୍ୟ କୈାଣସି ସୁଫଳ ମିଳିପାରିନାହିଁ । ତେଣୁ ଗ୍ରାମବାସୀଙ୍କ ପକ୍ଷରୁ ଗୋଲକ ଚନ୍ଦ୍ର ସାହୁ, ରମେଶ ଚନ୍ଦ୍ର ବେହେରା, ଶ୍ରୀଚରଣ ବିହାରୀ ପ୍ରମୁଖ ଏହି ସମସ୍ୟାର ନିରାକରଣ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ତୁରନ୍ତ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇଦେବାକୁ ନିବେଦନ କରିଛନ୍ତି ।