ବଡମାଣତିଆ ଗ୍ରାମରେ ୪୧ତମ ଗୃହଲକ୍ଷ୍ମୀ ପୂଜାରେ ପାୟଲ ମ୍ୟୁଜିକ ସ୍କୁଲର ସାଂସ୍କୃତିକ ବିଚିତ୍ରା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆ ପଂଚାୟତର ବଡମାଣିତିଆ ଗ୍ରାମରେ ୪୧ତମ ଗୃହଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଇନ୍ଦୁପୁରର ପାୟଲ ମ୍ୟୁଜିକ ସ୍କୁଲ ପକ୍ଷରୁ ଏକ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠାନର ସଭାପତି ରବୀନ୍ଦ୍ର କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏଥିରେ ପାୟଲ ମ୍ୟୁଜିକ ସ୍କୁଲର ପ୍ରତିଷ୍ଠାତା ତଥା ସମାଜସେବୀ ଦେବାଶିଷ ସାମଲଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ପାୟଲ ମ୍ୟୁଜିକ ସ୍କୁଲର ନୃତ୍ୟଗୁରୁ ଦିଲ୍ଲିପ କୁମାର ଜେନା, ଦିବାକର ସଙ୍ଗୀତ ନିକେତନର ସଭାପତି ସରୋଜକାନ୍ତ ପରିଡା, ସମ୍ପାଦକ ଗଣେଶ ଚନ୍ଦ୍ର ରାଉତଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଶେଷରେ ପାୟଲ ମ୍ୟୁଜିକ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦଳଗତ ଓଡିଶୀ ନୃତ୍ୟ, ଦଳଗତ ସମ୍ବଲପୁରୀ ନୃତ୍ୟ ଓ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା । ଶେଷରେ ଅନୁଷ୍ଠାନର ସମ୍ପାଦକ କୁଳମଣୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।


