ବଡମାଧପୁରରେ ମୋ ଗାଁରେ ତହସିଲ ସମାଧାନ ଶିବିର ଶୁଭାରମ୍ଭ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ମୁଖ୍ୟମନ୍ତ୍ରୀଙ୍କ ୫-ଟିକୁ ଆଧାର କରି ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନେତୃତ୍ୱରେ ଜିଲ୍ଲାର ଜନସାଧାରଣଙ୍କ ସହାୟତା ଏବଂ ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ହାତ ପାହାନ୍ତାରେ ପହଂଚାଇବା ନିମନ୍ତେ ଜିଲ୍ଲାରେ ଆଜିଠାରୁ ଏକ ଅଭିନବ ସମାଧାନ ଶିବିର ମୋ ଗାଁରେ ତହସିଲ ଶୁଭାରମ୍ଭ ହୋଇଛି । ଏହାଦ୍ୱାରା ବସୁନ୍ଧରା, ମ୍ୟୁଟେସନ, ଇ-ପାଉତି, ଗ୍ରାମକଣ୍ଠକ, ମିସଲେନିଏସ, ସାର୍ଟିଫିକେଟ, ୧୯(୧) ସିଓଏଲଆର ୮ଏ ସମେତ ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟ ସମାଧାନ ହେବ ଏବଂ ଆବେଦନ କରାଯାଇପାରିବ । ଏହି ପରିପ୍ରେକ୍ଷୀରେ ଆଜି ଛତ୍ରପୁର ତହସିଲ ଅନ୍ତର୍ଗତ ବଡ଼ମାଧପୁର ଗ୍ରାମର ରାଜୀବ ଗାନ୍ଧି ସେବା କେନ୍ଦ୍ର ପରିସରରେ ମୋ ଗାଁରେ ତହସିଲ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ହିତାଧିକାରୀମାନଙ୍କୁ କିପରି ସମସ୍ତ କାର୍ଯ୍ୟକ୍ରମ ସୁବିଧାରେ ଜାଣିପାରିବେ, ସେଥିପ୍ରତି ଉପସ୍ଥିତ ଅଧିକାରୀମାନଙ୍କୁ କହିବା ସହ କେତେକ ହିତାଧିକାରୀମାନଙ୍କୁ ପ୍ରମାଣ ପତ୍ର ବଂଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ଜିଲ୍ଲା ରାଜସ୍ୱ ଅଧିକାରୀ ଡ.ଦିବ୍ୟଲୋଚନ ମହନ୍ତ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ବଡ଼ମାଧପୁର ସରପଂଚ ଶରତ ଖୁଂଟିଆ, ସମିତିସଭ୍ୟ ଏନ.କ୍ରିଷ୍ଣା ରେଡ୍ଡିଙ୍କ ସମେତ ରାଜସ୍ୱ ବିଭାଗର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ଚାରୋଟି ପଂଚାୟତର ଜନସାଧାରଣଙ୍କୁ ମୋ ଗାଁରେ ତହସିଲ ସେବା ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମର ସୂଚି ସମ୍ପର୍କରେ ସଚେତନ କରାଇଥିଲେ ।