ବଡରମ୍ପାସ କେନାଲ ନିକଟରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

ହାଟଡିହି, (ବିକାଶ ବିଶ୍ୱାଳ) :-ବଡରମ୍ପାସ ଗାଁ ଠାରୁ ଏକ କିଲୋମିଟର ଦୁର କେନାଲ ନିକଟରେ ଥିବା ଏକ ଫାର୍ମରେ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଯୁବକ ଜଣକ କୁକୁଡା ଚୋରୀ କରିବାକୁ ଯାଇ ବିଦ୍ୟୁତ ଆଘାତରେ ପ୍ରାଣ ହରାଇ ଥିବା କୁହାଯାଉଥିବାବେଳେ ପରିବାର ଲୋକେ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହୁଛନ୍ତି । ଖବରରୁ ଜଣାଯାଇଛି ଯେ ବଡରମ୍ପାସ ଗ୍ର୍ରାମର କାଳନ୍ଦୀ ସାହୁଙ୍କର ଗାଁ ଠାରୁ ଏକ କିଲୋମିଟର ଦୁରରେ କେନାଲ ନିକଟରେ ଏକ ଫାର୍ମ ହାଉସ ଅଛି । ଆଜି ଦିନ ୧୦ଟାବେଳେ ସେ ଫାର୍ମ ହାଉସକୁ ଯାଇଥିବାବେଳେ ସେଠାରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇବା ସହ ପୁଲିସକୁ ଖବର ଦେଇଥିଲେ । ନନ୍ଦିପଦା ଥାନା ଆଇ.ଆଇ.ସି ଗଗନ ବିହାରୀ ବିଶ୍ୱାଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକ ଏକ ବିଦ୍ୟୁତ ତାର ଧରି ପଡିଥିବାବେଳେ ତା ପକେଟରେ ଏକ ମୋବାଇଲ ଥିବା ଦେଖିବାକୁ ପାଇଥିଲେ । ପରିଚୟ ଜାଣିବାପାଇଁ ଅନେକ ଚେଷ୍ଟା କରାଯାଇଥିଲେ ମଧ୍ୟ ପରିଚୟ ନମିଳିବାରୁ ମାଜିଷ୍ଟେଟ ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସଙ୍କ ଉପସ୍ଥିତିରେ ଶବକୁ ଜବଦ କରାଯିବା ସହ ପୋଷ୍ଟମଟମ ପାଇଁ ପଠାଯିବାର ବ୍ୟବସ୍ଥା କରାଇଥିଲେ । ଅପରାହ୍ନ ତିନିଟା ବେଳେ ସୋସିଆଲ ମିଡିଆରୁ ଦେଖି ଜଣେ ଯୁବକ ତାମିଲନାଡୁରୁ କଳିଗାଁର ଏହି ଯୁବକ ବୋଲି ଜାଣି ତାଙ୍କ ପରିବାରକୁ ସୁଚନା ଦେବାପରେ ପରିବାର ଲୋକେ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ । ଏହା କଳିଗାଁର ମାଗୁଣି ଯେନାଙ୍କ ପୁଅ ଶ୍ୱେତ ଜେନା ବୋଲି ଜଣାପଡିଥିଲା । ମୃତକର ଭାଇର କହିବାନୁଯାଇ ସେ ଗତକାଲି ରାତିରେ ତାଙ୍କୁ ଓରାଳିରେ ନାଚ ଦେଖିବାପାଇଁ ଛାଡିଦେଇ ଘରକୁ ଯାଇଥିଲା । କିନ୍ତୁ ତା ପରେ ଆମେ ତାର ମୃତ୍ୟୁ ଘଟିଥିବା ଖବର ପାଇ ଆସିଛୁ । ସେ ପିନ୍ଧିଥିବା ବାନିୟନ ଦେହରେ ନଥିବାବେଳେ ପିନ୍ଧିଥିବା ଯୋତା ମଧ୍ୟ ନାହିଁଁ । ସେ ଆଣିଥିବା ସାଇକେଲଟିର ମଧ୍ୟ ପତ୍ତା ମିଳୁନି । ତେଣୁ ତାଙ୍କୁ ଅନ୍ୟ ସ୍ଥାନରେ ହତ୍ୟାକରିି ଆଣି ଏଠାରେ ପକାଇ ଦେଇଥିବା ସେମାନେ ଅନୁମାନ କରୁଛନ୍ତି । ତେଣୁ ଏହାର ଉପଯୁକ୍ତ ତଦନ୍ତ କରାଯାଇ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବାକୁ ପରିବାର ଲୋକେ ଦାବି କରିଛନ୍ତି । ଆମେ ଶବକୁ ଜବଦ କରି ପୋଷ୍ଟମଟମ ପାଇଁ ପଠାଇଛୁ, ପୋଷ୍ଟ ମଟମ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ