ବଡ଼ଦିନ ପାଇଁ କ୍ୟାଥୋଲିକ ଚର୍ଚ୍ଚରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ବାଲେଶ୍ୱର, (ସରୋଜ ପଣ୍ଡା):ମହାପୁରୁଷ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପବିତ୍ର ବଡ଼ଦିନ ପାଇଁ ସମଗ୍ର ବିଶ୍ୱରେ ଉତ୍ସବର ମାହଲ ଆରମ୍ଭ ହୋଇଥିବା ବେଳେ ବାଲେଶ୍ୱର ସହରର ପାଣିଟାଙ୍କି ଛକସ୍ଥିତ କ୍ୟାଥୋଲିକ ଚର୍ଚ୍ଚରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଆୟୋଜିିତ ସାଂଧ୍ୟ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ, ବାଲେଶ୍ୱର ରୋମାନ କାଥୋଲିକ ଡାଇଓସିସର ପ୍ରଶାସକ ଫାଦର ଆଇଜାକ ଓ ସମ୍ପାଦକ ଫାଦର ଜଜ ଏବଂ କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟ ପୁରୋହିତ ଫାଦର ସାଜି ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ଶ୍ରୀଷ୍ଟମାସ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଅତିଥିମାନେ ବଡ଼ଦିନ କେକ କାଟି ସମସ୍ତଙ୍କୁ ଶାନ୍ତି, ମୈତ୍ରୀ ଓ ପ୍ରେମର ସଦିଚ୍ଛା ଦେଇଥିଲେ । ବିଶ୍ୱକଲ୍ୟାଣ ପାଇଁ ଦୁଇହଜାର ବର୍ଷ ପୂର୍ବରୁ ମହାପୁରୁଷ ଯୀଶୁଖ୍ରୀଷ୍ଟ ଜନ୍ମ ହୋଇ ସମଗ୍ର ବିଶ୍ୱକୁ ଦୟା ପ୍ରେମ ଓ ଶାନ୍ତିର ବାର୍ତ୍ତା ଦେଇଥିଲେ । ତେବେ ଏହି ବଡ଼ଦିନ ବାଲେଶ୍ୱରବାସୀଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ସହ ସମସ୍ତଙ୍କୁ ଆନନ୍ଦ ଦେଉ ବୋଲି ଅତିଥିମାନେ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଖ୍ରୀଷ୍ଟିୟାନ ଭାଉ-ଭଉଣୀ ଉପସ୍ଥିତ ରହି ଫାଦରଙ୍କ ବାଣୀକୁ ଶୁଣିବା ସହ ବାଇବେଲ ପାଠ ଏବଂ କାରୋଲ ସଂଗୀତ ଗାନ କରିଥିଲେ । ସିଲୁ ସାହାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଦୀପ୍ତ ପିଟର ବାଇବେଲ ପାଠ କରିଥିଲେ । ସୁନୀତା ସାହା ଓ ରୂପା ବାଟିଲ ବଡ଼ଦିନ ସଙ୍ଗୀତ ଗାନ କରିଥିବା ବେଳେ ସଞ୍ଜୟ ସାହା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କ୍ୟାଥୋଲିକ ଚର୍ଚ୍ଚ ପରିସରରୁ ଖ୍ରୀଷ୍ଟଧର୍ମୀ ଯୁବକ ଯୁବତୀଙ୍କୁ ନେଇ ଏକ ଶାନ୍ତି-ମୈତ୍ରୀର ଶୋଭାଯାତ୍ରା ବାହାରି ସହର ପରିକ୍ରମା ସହ ସହରବାସୀଙ୍କୁ ପବିତ୍ର ଖ୍ରୀଷ୍ଟମାସର ଶୁଭେଚ୍ଛା ପ୍ରଦାନ କରାଯାଇଥିଲା । ଅତିଥିମାନେ ଆନୁଷ୍ଠାନିକ ଭାବେ ଏହି ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ । ଅନ୍ୟପକ୍ଷରେ ୨୪ ତାରିଖ ମଧ୍ୟରାତ୍ରୀରେ ବାଲେଶ୍ୱର କ୍ୟାଥୋଲିକ ଚର୍ଚ୍ଚରେ ବିଶେଷ ଉତ୍ସବ ସାଙ୍ଗକୁ ପ୍ରାର୍ଥନା ବିଧି ସମ୍ପାଦନ ହେବ ବୋଲି ସୂଚନା ଦିଆଯାଇଛି । ଦେବାଶିଷ ରେଜା, ଦୀନେଶ କୁମାର ଗିରି, ବିଶ୍ୱଜିତ ସାହା, ସଜଲ ଗୋମେଶ, ସୁବୀର ଗୋମେଶ, ରାକ୍ଷୀ ଗୋମେଶ, ଅନି ବିଶ୍ୱାସ, ଅଞ୍ଜଳି ମହାପାତ୍ର, ରାଜା ଶାହା, ଭିନ୍ସେନ୍ ଜୋଶେଫ, ଅଜୟ ଦାସ, ସାଗର ଦାସ, ସୁଜିତ୍ ଶାହା, ରାଜେଶ ବିଶ୍ୱାଳ, ଈନ୍ଦ୍ରଜିତ୍ ଶାହା, ସାଗର ମଲ୍ଲିକ, ଗାୟତ୍ରୀ ଶାହା, ଅର୍ଚ୍ଚନା ଲିମାଙ୍କ ସମେତ ଷ୍ଟାର କ୍ଲବର ସଦସ୍ୟମାନେ ଏଥିରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।


