ବଡ଼ଦିନ ପାଇଁ ସାନ୍ତାକ୍ଲସ୍ ବାଣ୍ଟିଲେ ବଡ଼ ଉପହାର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବଡ଼ଦିନ ଆସିଲେ ସାନ୍ତାକ୍ଲସ୍ର ଉପହାର କଥା ମନେ ପଡ଼ିଯାଏ । କି କି ଉପହାର ଥାଏ ସେହି ମୁଣା ଭିତରେ ଚକୋଲେଟ, ଖେଳନା ନା ଆଉ କିଛି! ଏବେ କିନ୍ତୁ ବୌଦ୍ଧ ପୀଠ ଧଉଳିରେ ଦେଖିବାକୁ ମିଳିଥିଲା ସାନ୍ତାକ୍ଲସ୍ର ଏକ ନିଆରା ଉପହାର । ପ୍ରକୃତିର ସୁରକ୍ଷା ପାଇଁ ଯେପରି ସେ ଅଣ୍ଟାଭିଡ଼ି ବାହାରିଥିଲେ, ଆଉ ତାଙ୍କ ମୁଣାରୁ ବାହାରିଥିଲା ଏଇ ସ୍ୱତନ୍ତ୍ର ଉପହାର । ସେ ଧଉଳି ଆସିଥିବା ପର୍ଯ୍ୟଟକ ମାନଙ୍କୁ ସେଇ ଉପହାରଟି ବଢାଇ ଦେଉଥିଲେ । ଉପହାରଟି ଥିଲା ବିହନ ପିଣ୍ଡୁଳା । ମାଟି, ସାର ଆଉ ମଞ୍ଜିକୁ ନେଇ ପ୍ରସ୍ତୁତ ହୋଇଥିଲା ଏହି ବିହନ ପିଣ୍ଡୁଳା । ସବୁଜ ବନାନୀ ସୃଷ୍ଟି କରି ପ୍ରକୃତିକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ସାନ୍ତାକ୍ଲସ୍ର ଏଇ ଉପହାର ପାଇବା ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଥିଲା । ପରିବେଶବିତ୍ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ଏଥିରେ ଧଉଳି ଚାରୁ ଓ କାରୁକଳା ମହାବିଦ୍ୟାଳୟର ଏନ୍ଏସ୍ଏସ୍ର ଛାତ୍ରଛାତ୍ରୀ, ମହାବିଦ୍ୟାଳୟର ଅଧ୍ୟକ୍ଷ ଚନ୍ଦନ କୁମାର ସାମଲ, ସାମାଜିକ କର୍ମୀ ତ୍ରିଲୋଚନ ବେଉରା, ଲକ୍ଷ୍ମୀଧର ସ୍ୱାଇଁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।