ବଡ ମାଧପୁର ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ

ଛତ୍ରପୁର, (ଦେବଦତ୍ତ ମହାରଣା) : ଆଗାମୀ ୨୦୨୨ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଛତ୍ରପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ଏକ ସ୍ୱତନ୍ତ୍ର ଭେଟି ପ୍ରଦାନ କରିଛନ୍ତି । ଅଂଚଳବାସୀଙ୍କ ଦୀର୍ଘ ଦିନର ରହିଥିବା ଦାବୀକୁ ମାନି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅଂଚଳର ଲାଇଫ୍ ଲାଇନ୍ ଭାବେ ଜଣାଶୁଣା ପିଏଚଡି ରୋଡ୍ ର ପୁନଃ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଏନେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଆନୁକୁଲ୍ୟରେ ସ୍ଥାନୀୟ ବ୍ଲକର ଜଗତପଲ୍ଲୀ ଛକ ଠାରୁ ବଡ ମାଧପୁର ରାସ୍ତାର ଉନ୍ନତିକରଣ ନିମନ୍ତେ ଶୁକ୍ରୁବାର ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି । ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଶେଷ ହେଲେ ୫ ଟି ପଂଚାୟତ ସହ ଆଖପାଖ ଗଞ୍ଜାମ ଓ ପୁରୁଷୋତ୍ତମପୁର ବ୍ଲକର ଜନସାଧାରଣ ମାନେ ଉପକୃତ ହେବେ । ଏହି ରାସ୍ତାର ଉନ୍ନତିକରଣ କାର୍ଯ୍ୟ ପାଇଁ ୭ କୋଟି ଟଙ୍କା ମଞ୍ଜୁର ହୋଇଛି । ଭିତ୍ତି ପ୍ରସ୍ତର ସ୍ଥାପନ ହେବା ପରେ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହୋଇ ଏକ ବର୍ଷ ମଧ୍ୟରେ ଶେଷ ହେବ ବୋଲି ଲକ୍ଷ ଧାର୍ଯ୍ୟ ରହିଛି । ୧୬ ନମ୍ବର ଜାତୀୟ ରାଜପଥର କାଳିଆବାଲି ଛକ ଠାରୁ ବଡ ମାଧପୁର ପର୍ଯ୍ୟନ୍ତ ୧୨ କି.ମି ବିଷିଷ୍ଟ ଏହି ରାସ୍ତାର କାଳିଆବାଲି ପଟୁ ଜଗତପଲ୍ଲୀ ପର୍ଯ୍ୟନ୍ତ ୩ କି.ମି ରାସ୍ତା ବିଭିନ୍ନ ଯୋଜନା ଦ୍ୱାରା ନିର୍ମିତ ହେଉଛି । ଜଗତପଲ୍ଲୀ ଠାରୁ ବଡ ମାଧପୁର ପର୍ଯ୍ୟନ୍ତ ବଳକା ୯ କି.ମି ରାସ୍ତା ନିମନ୍ତେ ଉଦଘାଟନୀ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡି, ଉପାଧ୍ୟକ୍ଷା ଅମିତା ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା, ପୂର୍ବତନ ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, ଯୁବ ବିଜେଡିର ଛତ୍ରପୁର ଏନଏସି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ପୂର୍ବତନ ସାଂସଦ ପ୍ରତିନିଧି ଜଟିଆ ନାହାକ ଓ ବିଶ୍ୱନାଥ ସୁବୁଦ୍ଧି ଙ୍କ ସମେତ ସଛତ୍ରପୁର ବ୍ଲକର ବିଭିନ୍ନ ପଂଚାୟତର ଜନ ପ୍ରତିନିଧି ଏବଂ ବୁଦ୍ଧିଜିବୀମାନେ ଉପସ୍ଥିତ ଥିଲେ । ଏହା ସହ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସମ୍ବିତ ଜେନା ଓ କନିଷ୍ଠ ଯନ୍ତ୍ରୀ ସଚ୍ଚିକାନ୍ତ ଦାସ ମଧ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ