ବଢ଼ିବ ରେଳଭଡ଼ା : କିଲୋମିଟର ପିଛା ୪୦ ପଇସା ଯାଏଁ ମହଙ୍ଗା
ନୂଆଦିଲ୍ଲୀ : ଖୁବଶୀଘ୍ର ମହଙ୍ଗା ହେବ ରେଳଯାତ୍ରା । ଭାରତୀୟ ରେଳପଥ ଚଳିତ ସପ୍ତାହରୁ ସବୁ ଟ୍ରେନ ତଥା ସବୁ ଶ୍ରେଣୀ ପାଇଁ ରେଳ ଭଡ଼ା ବଢ଼ାଇବ । ବିଭିନ୍ନ ଶ୍ରେଣୀରେ ରେଳ ଭଡ଼ା କିଲୋମିଟର ପିଛା ୫ ପଇସାରୁ ୪୦ ପଇସା ଯାଏଁ ବୃଦ୍ଧି ଘଟିବ । ରେଳ ଭଡ଼ା ବୃଦ୍ଧି ପାଇଁ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ରୁ ଅନୁମୋଦନ ମିଳିସାରିଛି । କିନ୍ତୁ ଝାଡ଼ଖଣ୍ଡରେ ଚାଲିଥିବା ବିଧାନସଭା ନିର୍ବାଚନ ଯୋଗୁଁ ରେଳ ଭଡ଼ା ଘୋଷଣାକୁ ସ୍ଥଗିତ ରଖାଯାଇଥିବା ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି । ଭାରତରେ ଅର୍ଥନୈତିକ ମାନ୍ଦାବସ୍ଥା କାରଣରୁ ଭାରତୀୟ ରେଳପଥ ବହୁ ଆର୍ଥିକ ଚାପ ଦେଇ ଗତି କରୁଛି । କିନ୍ତୁ ସଡ଼କ ପରିବହନ ସହ କଡ଼ା ପ୍ରତିଯୋଗିତା ହେତୁ ମାଲ ଭଡ଼ା ବୃଦ୍ଧିର ସୁଯୋଗ ନାହିଁ । କିନ୍ତୁ କିଛି ବର୍ଷ ହେଲା ଯାତ୍ରୀବାହୀ ରେଳଭଡ଼ା ବଢ଼ିନାହିଁ । ଏଣୁ ଯାତ୍ରା ଭଡ଼ା ବଢ଼ାଇ ରାଜସ୍ୱ ବୃଦ୍ଧି ପାଇଁ ସରକାର କେତେକ ଟ୍ରେନରେ ଫ୍ଲେକ୍ସି ଫେୟାର (ପରିବର୍ତ୍ତିତ ଭଡ଼ା) ବ୍ୟବସ୍ଥା ମଧ୍ୟ ଲାଗୁ କରିଛନ୍ତି । ସେପ୍ଟେମ୍ବରରେ ରେଳପଥର ମୋଟ ରାଜସ୍ୱ ଲଗାତର ଦ୍ୱିତୀୟ ମାସ ପାଇଁ ୪.୨%କୁ ଖସି ୧୩,୧୬୯ କୋଟି ୨୦ ଲକ୍ଷ ଟଙ୍କା ହୋଇଛି ।


