ବଢିଲା ଅନୁରାଗ କଶପ୍ୟଙ୍କ ଅଡୁଆ
ମୁମ୍ବାଇ: ଯୌନ ନିର୍ଯାତନା ମାମଲାରେ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଅଭିନେତ୍ରୀ ପାୟଲ ଘୋଷ ଯୌନ ନିର୍ଯାତନା ଅଭିଯୋଗ କରିବା ପରେ ମୁମ୍ବାଇ ପୁଲିସ ଜେରା ପାଇଁ ଅନୁରାଗଙ୍କୁ ସମନ ପଠାଇଛି, ଯେଉଁଥିରେ ତାଙ୍କୁ ଆସନ୍ତାକାଲି ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପାୟଲ ଘୋଷ ମୁମ୍ବାଇର ବର୍ସୋବା ଥାନାରେ ଅନୁରାଗଙ୍କ ବିରୋଧରେ ଯୌନ ନିର୍ଯାତନା ନେଇ ଅଭିଯୋଗ କରିଥିଲେ । ହେଲେ ଅନୁରାଗ କଶ୍ୟପଙ୍କୁ ଏଯାଏଁ ପୁଲିସ ଗିରଫ୍ କରିନଥିବା ନେଇ ଅସନ୍ତୋଷ ଜାହିର କରିଛନ୍ତି ପାୟଲ ଘୋଷ । ସେ ଦାବି କରିଛନ୍ତି କି ଯଥାଶୀଘ୍ର ଅନୁରାଗ କଶ୍ୟପଙ୍କୁ ଗିରଫ କରାଯାଉ।ସୂଚନା କିଛି ଦିନ ତଳେ ଅସଦାଚରଣ ଅଭିଯୋଗ ଆଣି ଅନୁରାଗଙ୍କ ନାମରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ ଅଭିନେତ୍ରୀ। ଏହାବ୍ୟତୀତ ଅଭିନେତ୍ରୀ ତାଙ୍କୁ ଭୁଲ୍ ଭାବେ ଅଟକ ରଖିବା, ଷଡ଼ଯନ୍ତ୍ର କରିବା ଏବଂ ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କରିବା ଅଭିଯୋଗରେ ମଧ୍ୟ ଏତଲା ରୁଜୁ କରିଥିଲେ। ଅଭିନେତ୍ରୀଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଆଇପିସିର ଧାରା ୩୭୬, ୩୫୪, ୩୪୧,୩୪୨ ଅଧୀନରେ ନିର୍ମାତାଙ୍କ ନାମରେ ଅଭିଯୋଗ ହୋଇଛି। ଆଇପିସିର ଧାରା ଅନୁଯାୟୀ ଏତଲା ରୁଜୁ ହେବା ସହ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଉଛି।