ବଢିଲା ସୁନା, ରୂପା ଦର
ନୂଆଦିଲ୍ଲୀ: କ୍ରମାଗତ ଭାବେ ପଞ୍ଚମ ଦିନ ପାଇଁ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ଧାରା ଜାରି ରହିଛି । ଘରୋଇ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ବା ଭରି ୪୭,୪୪୨ ଟଙ୍କା ଛୁଇଁଛି । ଏହା ଫଳରେ ବଜାରରେ ସୁନା ଦର ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି । ସମ୍ପ୍ରତି କୋଭିଡ-୧୯ କୁ ନେଇ ବିଶ୍ୱ ଷ୍ଟକ ବଜାରରେ ମାନ୍ଦାବସ୍ଥା ଛାଇ ରହିଥିବା ଯୋଗୁଁ ନିବେଶକମାନେ ସୁନାକୁ ଏକ ସୁରକ୍ଷିତ ନିବେଶ ମାଧ୍ୟମ ଭାବେ ବିବେଚନା କରୁଛନ୍ତି । ଯାହାର ଫଳସ୍ୱରୂପ ଅନ୍ତର୍ଜାତୀୟ ବଜାରରେ ସୁନା ଚାହିଦା ଢେ଼ର ବଢ଼ିଯାଇଛି । ଏଥିଯୋଗୁଁ ବିଦେଶୀ ଏବଂ ଘରୋଇ ବାଜରରେ ସୁନା ମହଙ୍ଗା ହୋଇଛି । ନୂଆଦିଲ୍ଲୀ ଠାରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୪୧ ଟଙ୍କା ବୃଦ୍ଧି ଘଟି ୪୭,୪୪୨ ଟଙ୍କାରେ ପହଞ୍ଚିଛି । ସେହିପରି ରୂପା କିଲୋ ପିଛା ୨୦୦୦ ଟଙ୍କା ବୃଦ୍ଧି ଘଟି ୪୬,୨୦୦ ଟଙ୍କା ହୋଇଛି । ରାଜଧାନୀ ଭୁବନେଶ୍ୱରରେ ସୁନା ୧୦ ଗ୍ରାମ ପିଛା ୪୮,୨୫୦ ଟଙ୍କା ଏବଂ ରୂପା କିଲୋ ପିଛା ୪୮୦୦୦ ଟଙ୍କାରେ ପହଞ୍ଚିଛି । ଏହା ଛଡ଼ା ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ଆଉନ୍ସ ପିଛା ୧୬.୨୩ ଡଲାର ବୃଦ୍ଧି ଘଟି ୧୭୩୦ ଡଲାର ହୋଇଛି ।


