ବଢ଼ୁଛି… କମୁଛି , ସପ୍ତାହେ ଧରି ବୈତରଣୀ ବନ୍ୟା ଲୋକଙ୍କୁ ଡରାଉଛି
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଗତ ସପ୍ତାହରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ପ୍ରାୟ ୪/୫ଦିନ ଧରି ସ୍ୱଳ୍ପ ଓ ମଧ୍ୟମ ଧରଣର ବର୍ଷା ଲାଗି ରହିଥିଲା । ଫଳରେ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳ ପ୍ରାୟ ଜଳମଗ୍ନ ହୋଇଯାଇଥିଲା । ଏହାରି ଭିତରେ ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀର ଜଳସ୍ତର ମଧ୍ୟ ବଢିବାରେ ଲାଗିଥିଲା । ନଦୀର ଉପର ଅବବାହିକାରେ ଲଘୁଚାପ ଜନିତ ବର୍ଷା କାରଣରୁ ଆଖୁଆପଦା ଆନିକଟ ଠାରେ ବନ୍ୟା ଜଳସ୍ତର ବୃଦ୍ଧି ପାଇଥିଲା । ଗତ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଆନିକଟ ଠାରେ ଜଳସ୍ତର ବିପଦସଂଙ୍କେତ ଟପିଯାଇଥିବାବେଳେ ଚର୍ଚ୍ଚିତ କଣ୍ଟିଘାଇ ଦେଇ ବନ୍ୟା ଜଳ ନିଷ୍କାସିତ ହୋଇଥିଲା । ବୁଧବାର ଦିନ ଜଳସ୍ତର କମିଥିଲେ ସୁଦ୍ଧା ବିପଦସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଉଥିଲା । ପୁଣି ୧୨ଘଣ୍ଟା ନଯାଉଣୁ ଗୁରୁବାର ସକାଳୁ ଜଳସ୍ତର ସ୍ଥିତ ଥାଇ ଅପରାହ୍ନରେ ପୁଣି ବୃଦ୍ଧି ପାଇଥିଲା । ଆନନ୍ଦପୁର, ଚମ୍ପୁଆ, ସ୍ୱାମପାଟଣା ଠାରେ ବୁଧବାର ରାତି ସୁଦ୍ଧା ବଡବର୍ଷା ହୋଇଥିବାରୁ ବଢିବା କମିବା ମଧ୍ୟରେ ବୈତରଣୀ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି । ପ୍ରାୟ ସପ୍ତାହେ ଧରି ବୈତରଣୀ ବନ୍ୟା ଲୋକଙ୍କୁ ଡରାଉଥିବାବେଳେ ଆଜି ବ୍ଲକ ଅଧିନ ଷୋଳମପୁର, ରହଣିଆ, ମାଳଦା, କୁରିଗାଁ, ନପଙ୍ଗ ପ୍ରମୁଖ ପଞ୍ଚାୟତ ଅଞ୍ଚଳକୁ ଜଳାର୍ଣ୍ଣବ କରିଛି । ଆଜି ସନ୍ଧ୍ୟା ସୁଦ୍ଧା —-ମିଟରରେ ଜଳ ପ୍ରବାହିତ ହେଉଥିବାବେଳେ କଣ୍ଟିଘାଇ ଦେଇ ଆସୁଥିବା ବନ୍ୟା ପାଣି ଯୋଗୁ ବରାହନୂଆପଡା, ଚାଙ୍ଗୁଆ, ବିରୋଳି, ଷଠଗାଁ, ଦେଉଳପଦି, ଚତୁର୍ଭୁଜପୁର, ମାଳଦା, ରହଣିଆ, ନୌରଙ୍ଗପୁର ପ୍ରମୁଖ ଗ୍ରାମର ଚାଷଜମିରେ ସମ୍ପୂର୍ଣ୍ଣ ଜଳପୂର୍ଣ୍ଣ ହୋଇଯାଇଛି । ଏପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏଡିଏମ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ସାମ୍ଭାବ୍ୟ ବନ୍ୟାଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ପ୍ରଶାସନିକ ଅଧିକାରୀମାନେ ପ୍ରଥମେ ମାଳଦା, ବାହାଣିଆ, ଖପୁରିଆପଦା, ଷୋଳମପୁର ପ୍ରମୁଖ ଅଞ୍ଚଳକୁ ଗସ୍ତ କରିଥିବାବେଳେ ମଣିନାଥପୁର ଓ ଜଳହରି ଠାରେ ଥିବା ଦୁଇଗୋଟି ବହୁମୁଖି ବାତ୍ୟା ଆଶ୍ରୟ ସ୍ଥଳୀକୁ ବୁଲି ଦେଖିଥିଲେ । ବିଡିଓ ଦେବଦତ୍ତ ଦାସ, ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଦାସ, ଗ୍ରାମ ପଞ୍ଚାୟତ ଅଧିକାରୀ ମୀନକେତନ ବାରିକ, ଯୋଗାଣ ଅଧିକାରୀ ରେବତୀସ ସିଂନାୟକ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି । ଏହାଛଡା ଆଜି ସନ୍ଧ୍ୟା ୬ଟା ସୁଦ୍ଧା ପ୍ରଶାସନ ପକ୍ଷରୁ ମାଳଦା ବନ୍ୟା ଅଞ୍ଚଳକୁ ଡଙ୍ଗା ମଧ୍ୟ ପଠାଯାଇଛି । ସେଭଳି ବଡଧରଣର ବନ୍ୟା ଆଶଙ୍କା ନଥିଲେ ସୁଦ୍ଧା ଚାଷ ଓ ଗମନାଗମନ ବ୍ୟବସ୍ଥା ପ୍ରଭାବିତ ହେବ ବୋଲି ଜଣାପଡିଛି । ତଥାପି ବନ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ଜଣାଯାଇଛି ।