ବଢୁନି ଗାଁର ଲୋକସଂଖ୍ୟା

ଚାଇନା, ଭାରତ ସମେତ କେତେକ ଦେଶରେ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଚାଲିଥିବାରୁ ବିଶ୍ବ ସମୁଦାୟ ଚିନ୍ତା ପ୍ରକଟ କରିଆସୁଛନ୍ତି। ଆମ ଭାରତରେ ଜନସଂଖ୍ୟା ନିୟନ୍ତ୍ରଣ କରିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଇଛି। ତେବେ ମଧ୍ୟ ପ୍ରଦେଶର ବୈତୁଲ ଜିଲ୍ଲା ଅନ୍ତର୍ଗତ ଅବସ୍ଥିତ ଧନୋରା ଗାଁରେ ଗତ ୯୭ ବର୍ଷରେ ଜନସଂଖ୍ୟା ବଢ଼ି ନାହିଁ। ଏହା ଶୁଣିବାକୁ ଅଜବ ଓ ଅବାସ୍ତବ ଲାଗିପାରେ। କିନ୍ତୁ ଏହା ନିରାଟ ସତ। ଗତ ୯୭ ବର୍ଷରେ ଏହି ଗାଁର ଜନସଂଖାରେ କୌଣସି ପ୍ରକାରର ବୃଦ୍ଧି ଘଟି ନ ଥିବା କୁହାଯାଉଛି।
ଏହି ଗାଁରେ ୧୯୨୨ରେ ୧୭୦୦ ଲୋକ ରହୁଥିଲେ। ଏବେ ବି ଏହି ଗାଁରେ ସମାନ ସଂଖ୍ୟକ ଲୋକ ରହୁଛନ୍ତି। ଗତ ୯୭ ବର୍ଷ ହେଲାଣି ଏହି ଗାଁର ଲୋକମାନେ ଜନସଂଖ୍ୟା ଉପରେ ନିୟନ୍ତ୍ରଣ ପାଇଛନ୍ତି। ଜନସଂଖ୍ୟା ନିୟନ୍ତ୍ରଣ କରିବା ପଛରେ କୌଣସି ଠୋସ୍‌ କାରଣ ନ ଥିଲେ ବି ଏକ ସୁନ୍ଦର ପ୍ରୋତ୍ସାହନ ରହିଛି। ୧୯୨୨ ମସିହାରେ ଏହି ଗାଁରେ କଂଗ୍ରେସର ଏକ ବୈଠକ ହୋଇଥିଲା। ଯେଉଁଥିରେ ଜାତିର ପିତା ମହାତ୍ମା ଗାନ୍ଧିଜୀଙ୍କ ପତ୍ନୀ କସ୍ତୁରବା ଗାନ୍ଧି ଗାଁ ଲୋକଙ୍କୁ ଛୋଟ ପରିବାର, ସୁଖୀ ପରିବାରର ସ୍ଲୋଗାନ୍‌ ଦେଇଥିଲେ। ଏହା ଧନୋରା ଗାଁର ସମସ୍ତ ଗ୍ରାମବାସୀଙ୍କୁ ବହୁତ ପ୍ରଭାବିତ କରିଥିଲା। ସେତେବେଳେ ଗାଁରେ ଥିବା ବୟସ୍କମାନେ ଏହି ସନ୍ଦେଶକୁ ଭଲ ଭାବେ ବୁଝିଥିଲେ ଓ ସେମାନଙ୍କ ପରବର୍ତ୍ତୀ ପିଢ଼ିକୁ ବୁଝାଇଥିଲେ। ଏହାପରେ ପ୍ରତ୍ୟେକ ପରିବାର ପରିବାର ନିୟୋଜନ ଆପଣାଉଛନ୍ତି ଓ ଜନସଂଖ୍ୟା ନିୟନ୍ତ୍ରଣରେ ରଖିଛନ୍ତି। ଧନୋରା ଗାଁର କୌଣସି ବ୍ୟକ୍ତିଙ୍କର ଦୁଇରୁ ଅଧିକ ପିଲା ନାହାନ୍ତି। ପୁଅ ହେଉ ବା ଝିଅ, ଏହି ଗାଁର ପ୍ରତ୍ୟେକ ଲୋକଙ୍କର ଗୋଟିଏ କିମ୍ବା ଦୁଇଟି ସନ୍ତାନ ରହିଛନ୍ତି। ସବୁଠାରୁ ବଡ଼ କଥା ଏହି ଗାଁରେ ପୁଅ ଓ ଝିଅଙ୍କ ମଧ୍ୟରେ କୌଣସି ପ୍ରଭେଦ କରାଯାଏ ନାହିଁ। ଏହି ଗାଁ ଏବେ ବାକି ଅନ୍ୟମାନଙ୍କ ପାଇଁ ପରିବାର ନିୟୋଜନର ମଡେଲ ହୋଇସାରିଛି। ଧନୋରା ଭାରତର ମାନଚିତ୍ରରେ ଏକ ଛୋଟ ଗାଁ ହୋଇପାରେ। କିନ୍ତୁ ଏହି ଗାଁ କେବଳ ଦେଶ ପାଇଁ ନୁହେଁ, ସାରା ବିଶ୍ବ ପାଇଁ ପରିବାର ନିୟୋଜନର ମଡେଲ ପାଲଟିଛି। ସ୍ବାସ୍ଥ୍ୟକର୍ମୀ ଜଗଦୀଶ କହିଛନ୍ତି ଯେ ଏହି ଗାଁର ଲୋକଙ୍କୁ ପରିବାର ନିୟୋଜନ କରିବା ଲାଗି ବାଧ୍ୟ କରାଯାଏ ନାହିଁ। ସେମାନେ ଏଥିପ୍ରତି ବହୁତ ସଚେତନ ଅଛନ୍ତି ବୋଲି ଜଗଦୀଶ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ