ବଣମଲ୍ଲି ବଣରେ ଫୁଟୁଛି;ପେନସିଲ ଧରିଲେ ଆନମନା ହୁଅନ୍ତି ଚିତ୍ର ନିମଗ୍ନା ନୀଵେଦିତା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): କଥାରେ ଅଛି କାହାର କାନଥିଲେ ସୁନା ନାହିଁ, ପୁଣି କାହାର ସୁନା ଥିଲେ କାନ ନାହିଁ । ବଣ ମଲ୍ଲୀ ବଣରେ ଫୁଟି ଝଡିଯାଉଛି ହେଲେ ତାହାର ସୁଗନ୍ଧ ସମାଜରେ ପହଞ୍ଚି ପାରୁନାହିଁ । ଯଦି ସେହି ବାସ୍ନା ଦୈବାତ କାହା ନଜରକୁ ଆସିଯାଏ ତାହା ସାରା ସଂସାରକୁ ସୁଗନ୍ଧିତ କରିଦେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଏମିତି ଏକ ବଣର ମଲ୍ଲି ହେଉଛନ୍ତି ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ କୁଲଣା ଗ୍ରାମର ନୀଵେଦିତା ଜେନା । ଗ୍ରାମର ରମାକାନ୍ତ ଓ ପ୍ରମିଳା ଜେନାଙ୍କ ବଡଝିଅ ନୀଵେଦିତାଙ୍କ ପିଲାବେଳୁ ଚିତ୍ର ନିମଗ୍ନା ଚିନ୍ତାଧାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ସ୍ଥାନୀୟ କୁଲଣା-ବିଶୋଳ ବିଦ୍ୟାଳୟ ଠାରେ ପାଠ ପଢିବା ଆରମ୍ଭ କରିବା ସମୟରେ ଚିତ୍ର ପ୍ରତି ଆକୃଷ୍ଟ ହୋଇଯାଇଥିଲେ । ପେନସିଲ ଖଣ୍ଡିଏ ହାତରେ ପଡିଲେ ଆନମନା ହୋଇଯାଉଥିଲେ ନୀଵେଦିତା । ରଫଖାତା ଠାରୁ ଆରମ୍ଭ କରି ଚିତ୍ରାଙ୍କନ ଖାତା ଯାଏଁ କେତେ ଯେ ନଦ, ନାଳ, ପାହାଡ, ପର୍ବତର ଚିତ୍ର ଆଙ୍କିଛନ୍ତି ତାହାର ହିସାବ କରିବା ମୁସ୍କିଲ । ୨୦୧୩ ମସିହାରେ ମାଟ୍ରିକ ପାଶ୍ କରିବା ପରେ ନୀଵେଦିତା ଭଦ୍ରକ କଲେଜକୁ ଉଚ୍ଚ ଶିକ୍ଷା ପାଇଁ ଯାଇଥିଲେ । ଏହି ସମୟ ମଧ୍ୟରେ ସେ ଚିତ୍ରର ଏକ ବରିଷ୍ଠ ଦିଗ ଆଡକୁ କେଇପାଦ ଆଗେଇଥିଲେ । ନୀଵେଦିତାଙ୍କ ତୁଳୀ ଓ ପେନସିଲ ମୁନରେ ଅଦ୍ୟାବଧି ୫୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କ ଚିତ୍ର ପ୍ରସ୍ଫୁଟିତ ହୋଇଥିବାବେଳେ ଅବଦୁଲ କଲାମ, ମଦର ଟେରେସା, ମହାତ୍ମାଗାନ୍ଧୀ ଓ ବିବେକାନନ୍ଦଙ୍କ ଭଳି ମହାପୁରୁଷଙ୍କ ଚିତ୍ର ଆଙ୍କି ସେ ଆତ୍ମତୃପ୍ତି ପାଇଥିବା କହିଛନ୍ତି । ଏହାଛଡା ଉତ୍କଳମଣୀ ଗୋପବନ୍ଧୁ ଦାସ, ଫକିର ମୋହନ ସେନାପତି, ଭଗତ ସିଂ, ମଧୂସୁଦନ ଦାସ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଚଳଚିତ୍ର ତାରକା ଅମିତାଭ ବଚ୍ଚନ, କ୍ରୀଡାବିତ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂଧୋନିଙ୍କ ଅବିକଳ ଚିତ୍ର ଆଙ୍କି ନିବେଦିତା ନିଜ ଦକ୍ଷତାକୁ ପ୍ରମାଣିତ କରିଛନ୍ତି । ୨୦୧୮ ମସିହାରେ ଅର୍ଥନୀତିରେ ଡିଗ୍ରୀ ହାସଲ କରିବା ପରେ ଚିତ୍ରକଳାରେ ଉଚ୍ଚ ଶିକ୍ଷା ପାଇଁ ଇଚ୍ଛା ରଖିଥିଲେ । ହେଲେ ପରିବାରର ଆର୍ଥିକ ସ୍ଥିତି ଅନୁଯାୟୀ ନୀଵେଦିତାଙ୍କ ବାପା ଜଣେ କ୍ଷୁଦ୍ର ଚାଷୀ ହୋଇଥିବା ବେଳେ ଏଥିରେ ତାଙ୍କର ଆଉ ଦୁଇଭଉଣୀଙ୍କ ପାଠପଢା ଖର୍ଚ୍ଚ ତୁଲାଇବା କଷ୍ଟକର ମଧ୍ୟ ହୋଇପଡେ । ତେଣୁ ପରିସ୍ଥିତିକୁ ଆଖିଆଗରେ ରଖି ଚିତ୍ର ନିମଗ୍ନା ଏବେ ଘରର ବଡଝିଅ ହିସାବରେ ସରକାରୀ ଚାକିରୀ ଖଣ୍ଡେ ପାଇଁ ନିଜକୁ ପ୍ରସ୍ତୁତ କରୁଥିବାବେଳେ ରଙ୍ଗତୁଳୀ ଓ ପେନସିଲକୁ ସାଥି କରି ଏକ ବିରାଟ ଚିତ୍ର ଦୁନିଆର ସ୍ୱପ୍ନ ଦେଖୁଛନ୍ତି । ସେ ଯାହାବି ହେଉ ନିବେଦିତାଙ୍କ ଭଳି ପ୍ରତିଭାକୁ ସରକାରୀ ସ୍ତରରେ ଯଦି ମାନ୍ୟତା ଦିଆଯାଏ ତାହେଲେ ବଣମଲ୍ଲୀ ବଣରୁ ଯାଇ ନିଶ୍ଚିତ ଦୁନିଆକୁ ମହକାଇବ ଏଥିରେ ସନ୍ଦେହ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ