ବଣିକ ସଙ୍ଘ ସଭାପତିଙ୍କ ଦାୟିତ୍ୱ ହସ୍ତାନ୍ତର ଓ ମହାଲକ୍ଷ୍ମୀ ପୂଜାର ସମୀକ୍ଷା ବୈଠକ
ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକ୍ ଅନ୍ତର୍ଗତ ବାଲିପଦର ବଣିକ ସଙ୍ଘର ଓ ପରିବା ବ୍ୟବସାୟୀ ସଙ୍ଘର ଏକ ମିଳିତ ବୈଠକ ବଣିକ ସଙ୍ଘର ନୂତନ ସଭାପତି ଇଂ ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ପେଣ୍ଠ ଗୃହରେ ଅନୁଷ୍ଠିତ ହୋଇଥିଲା । ବଣିକ ସଙ୍ଘର ପୂର୍ବତନ ସଭାପତି ଜି ସଞ୍ଜୀବ ପାତ୍ର ନୂତନ ସଭାପତି ଇଂ ଲକ୍ଷ୍ମୀ ପ୍ରସାଦ ନାୟକଙ୍କୁ ବଣିକ ସଙ୍ଘର ଦାୟିତ୍ବ ହସ୍ତାନ୍ତର କରିବା ସହ ସମସ୍ତ ଦଲିଲ ପତ୍ର ସହ ବ୍ୟାଙ୍କ ଖାତାରେ ଥିବା ଟଙ୍କା ବୈଠକରେ ସମସ୍ତଙ୍କ ଉପସ୍ଥିତରେ ପ୍ରଦାନ କରିଥିଲେ । ଏହି ବୈଠକରେ ବଣିକ ସଙ୍ଘ ଓ ପରିବା ବ୍ୟବସାୟୀ ସଙ୍ଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଗତ ମହାଲକ୍ଷ୍ମୀ ପୂଜାର ଆୟବ୍ଯୟର ସଂପୂର୍ଣ୍ଣ ବିବରଣୀ ପୂଜା କମିଟିର କର୍ମକର୍ତ୍ତା ନାରାୟଣ ସାମନ୍ତରା, ଉମାଶଙ୍କର ନାୟକ ଓ ଇ.ଶଙ୍କର ରାଓ ମିଳିତ ଭାବେ ଉପସ୍ଥାପନ କରିବା ପରେ ଆଲୋଚନା ହୋଇ ଗୃହୀତ ହୋଇଥିଲା । ପ୍ରତ୍ୟେକ ସଂକ୍ରାନ୍ତି ଦିନ ଦୋକାନ ବଜାର ବନ୍ଦ ରଖିବାକୁ ସମସ୍ତ ସଭ୍ୟ ମତ ପ୍ରକାଶ କରିଥିଲେ । ପୂଜା କମିଟିର କର୍ମକର୍ତ୍ତାମାନଙ୍କୁ ଏଇ ଅବସରରେ ଉତ୍ତରୀୟ ପ୍ରଦାନ କରି ସମ୍ୱର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବଣିକ ସଙ୍ଘ ସଂପାଦକ ଜି.ମନୋଜ ପାତ୍ର, ସହସଂପାଦକ ଇ.ବାଳକୃଷ୍ଣ ଦୋରା, କର୍ତ୍ତା କେ.କୃଷ୍ଣମୂର୍ତ୍ତି ଆଚାରୀ ପ୍ରମୁଖ ଅତିଥି ଥିବା ବେଳେ ଉପଦେଷ୍ଟା କେ.ରାଘବ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


