ବଣି ଚଢେଇ


ସୁନନ୍ଦା ମହାନ୍ତି

ଝଡ଼ର ସାମ୍ନା କରି କରି କଠିନ ହୃଦୟକୁ ଏ ପ୍ରାକୃତିକ ଝଡ଼ କଣ କରିପାରିବ ଭାବି ଦାମୋଦର ସେଦିନ ରିକ୍ସା ନେଇ ବାହାରିଗଲା ବେଳେ ସ୍ତ୍ରୀ ବାରଣ ମାନିଲେନି କି ପିଲାଙ୍କ ଡାକ ଶୁଣିଲେନି. ବାଟରେ କିନ୍ତୁ ରିକ୍ସାର ହୂଡ଼ ଉଡ଼ିଗଲା ପରେ ଦାମ ବୁଝିଗଲେ ସଂସାରିକ ଝଡ଼ ଓ ପ୍ରାକୃତିକ ଝଡ଼ ଭିତରେ କେତେ ଫରକ.ଏ ପ୍ରାକୃତିକ ବିପର୍ଯ୍ୟୟରେ ମଣିଷ ବଣି ଚଢେଇଟିଏ ମାତ୍ର.ରାସ୍ତାରେ କେହି ନଥିଲେ ପୁରା ଖାଁ ଖାଁ ଓ ଶୂନଶାନ ସାଙ୍ଗକୁ ସାଇଁ ସାଇଁ ପବନ, ବିଜୁଳି ଘଡଘଡିରେ ଗଛ ସବୁ ସତେକି ତା ଉପରେ ଓ ତା ଅତିପ୍ରିୟ ରିକ୍ସାକୁ ଭଙ୍ଗିରୁଜି ଚୁରମାର କରିଦେବ. ଝଡ଼ର ପ୍ରକୋପରୁ ରକ୍ଷା ପାଇବା ପାଇଁ ଆଉ ବୁଦ୍ଧି ବାଟ ଦିଶୁନଥିଲା ତ ମିଞ୍ଜି ମିଞ୍ଜି ଜଳୁଥିବା ଦୀପ ଆଲୋକରେ ସେ ଯୋଉଠି ଆଶ୍ରୟ ନେଲେ ତାହା ଏକ ମନ୍ଦିର ଥିଲା.ସେଠି ରତ୍ନବେଦୀ ଉପରେ ରାମ, ଲଷ୍ମଣ, ସୀତା ବସିଥିଲେ. ଜୀବନରେ ଅନେକ ଝଡ଼ର ସାମ୍ନା କରୁ କରୁ ଠାକୁରଙ୍କ ଉପରେ ବିଶ୍ୱାସ ଭରଷା ତୁଟେଇ ଦେଇଥିବା ଦାମୋଦର ଓରଫ ଦାମ ଆଜି ପ୍ରଭୁ ଶ୍ରୀରାମଙ୍କ ଆଗେ ହାତ ଯୋଡୁଥିଲେ,ପ୍ରଭୁହେ ମୋ ସଂସାର ରକ୍ଷା କର. କିଛି ସମୟ ଅତିକ୍ରାନ୍ତ ହେବା ପରେ ଝଡ଼ ଚାଲିଗଲା ଝଡ଼ର ବାଟରେ ବାତାସୀ ହୋଇଲା ଠିଆ… ଭଗ୍ନ ମନ ନେଇ ମନ୍ଦିର ଭିତରୁ ଦାମ ଚାଲିଲେ ଏକୁଟିଆ.
ଘରେ ପହଁଚିଲା ପରେ ଦଉଡି ଆସିଲା ସ୍ତ୍ରୀ. ଦେହ ମୁଣ୍ଡ ପୋଛି ପକେଇ କୋଉଠି ଥିଲ ଏଯାଏଁ ପଚାରିଲା ବେଳେ ପୁଅ ଦଉଡି ଆସି କହୁଥିଲା ଦୁଃଖ କରନି ବାପା ଏଇ ନିଅ ମୋ ସରାଗାତ, ଏଥିରେ ଥିବା ପଇସାରେ ତୁମ ରିକ୍ସାର ହୁଡ ତିଆରି କରିନେବ. ଝିଅ ଆସି ଦେଖାଉଥିଲା ଦେଖିଲ ବାପା ଏ ବଣି ଚଢେଇଟିକୁ. ଝଡ଼ ବର୍ଷାରେ ଖସି ପଡିଥିଲା ନୀଡ଼ରୁ ତ ମୁଁ ତାକୁ ଚାଉଳ ଖୁଆଇ ପାଣି ପିଆଇ ଅଖା ଭିତରେ ରଖିଛି. ହେଲେ ସେ ଖାଲି ଉଡିଯିବାକୁ ଚାହୁଁଛି. ଏବେ ଉଡିଗଲେ ଝଡ଼ ପ୍ରଭାବରେ ତାର ଯଦି କିଛି ହୋଇଯାଏ ମତେ କାନ୍ଦ ମାଡିବ ବାପା. ଦାମ କହୁଥିଲେ କିଛି ହେବନି ଝିଅ ତା ପରିବାର ତାକୁ ଚାହିଁଥିବେ. ଠାକୁର ଘରୁ ଦାମର ବୁଢୀମା ବାହାରି ଆସି କହୁଥିଲେ ଏଇ ନେ ପ୍ରଭୁ ଶ୍ରୀରାମଙ୍କ ଛଡା ତୁଳସୀ ସମସ୍ତେ ପାଇ ବଣିକୁ ଦିଅ. ସେ ନିର୍ବିଘ୍ନରେ ଉଡିଯିବ. ଦାମ ଆଖିରେ ସେଇ ମନ୍ଦିରରେ ଥିବା ତିନି ମୂର୍ତ୍ତି ଦୃଷ୍ଟି ଗୋଚର ହେଉଥିଲେ ତ ନିଜ ଅଜଣାତରେ ତାଙ୍କ ପାଟିରୁ ବାହାରୁଥିଲା ଜୟ ଶ୍ରୀରାମ.ମୁଣ୍ଡିଆ ମାରି ନିଜକୁ ନିଜେ କହୁଥିଲେ ଦାମ ଯେ ଆସୁ ଯେତେ ଝଡ଼ ବିଭୀଷିକା… ପରିବାରରେ ଥିଲେ ସ୍ନେହ ଶ୍ରଦ୍ଧା ଆନ୍ତରିକତା ଭରା କଳିକା… ସମାଧାନ କରିବାକୁ ଝଡ଼ ଏକ ମଉକା.ସ୍ତ୍ରୀ କହୁଥିଲେ ତୁମେ କେବେଠୁ କବି ହେଲଣି ମ. ପୁଅ ଝିଅ ହସି ହସି ବେଦମ ତ ବୁଢୀମା ନାତି ନାତୁଣୀଙ୍କ ପଛରେ ଯାଉଥିଲେ ବଣି ଚଢେଇକୁ ସୁବିଧାରେ ଉଡେଇଦେବାକୁ.ଦାମ ସେଦିନ କହୁଥିଲେ ପ୍ରକୃତରେ ଟଙ୍କା ନୁହେଁ ବରଂ ସ୍ନେହ, ଶ୍ରଦ୍ଧା, ଭଲପାଇବା, ସହୃଦୟତା ହିଁ ପ୍ରକୃତ ଶାନ୍ତି, ଯାହା ଭଗବାନ ନିଜ ଗୋଡ଼ ତଳେ ଲୁଚାଇ ମୋ ଭଳି ଗରୀବ ଲୋକ ଝୁଲାରେ ଦେଇଛନ୍ତି ଭରି. ତ ଶେଷ କେଇ ପଦ ଶୁଣି ସ୍ତ୍ରୀ କହୁଥିଲେ ପ୍ରଭୁ ନାରାୟଣ କଣ ତାଙ୍କ ଗୋଡ଼ ତଳେ ଚାପି ରଖିଥିଲେ? ଦାମ କହିଚାଲିଥିଲେ କଥାଟି ଥିଲା,ସୃଷ୍ଟି ରଚନା ସମୟର କଥା. ସମସ୍ତ ପ୍ରାଣୀ ନିଜ ନିଜର ଦାବି ଏବଂ ଆବଶ୍ୟକତା ମାଗିବାକୁ ଭଗବାନ ବିଷ୍ଣୁଙ୍କ ସମ୍ମୁଖରେ ଉପସ୍ଥିତ ହେଲେ.କାହାର କ’ଣ ଦରକାର ସେମାନେ ଭଗବାନ ବିଷ୍ଣୁଙ୍କୁ ମାଗୁଥାନ୍ତି.ଯିଏ ଯାହା ମାଗୁଥାଏ, ତା’କୁ ଭଗବାନ ଅଚିରେ ଦାନ କରୁଥାନ୍ତି. ଶ୍ରୀବିଷ୍ଣୁଙ୍କ ଦାନଶୀଳତା ଦେଖି ମାତା ମହାଲକ୍ଷ୍ମୀ ଅତ୍ୟନ୍ତ ଗର୍ବ ଅନୁଭବ କରୁଥାନ୍ତି.ତେବେ ଦାନ କରିବା ସମୟରେ ଶ୍ରୀବିଷ୍ଣୁ କୌଣସି ଏକ ବସ୍ତୁକୁ ନିଜ ପାଦ ତଳେ ଚାପି ଦେଉଥିବାର ଦେଖିପାରିଲେ ମାତା ଲକ୍ଷ୍ମୀ.ସମସ୍ତ ପ୍ରାଣୀ ନିଜ ଇଚ୍ଛା ମୁତାବକ ବସ୍ତୁ ପାଇସାରି ସୃଷ୍ଟିରେ ନିଜ ନିଜ ସ୍ଥାନକୁ ଫେରିଗଲେ. ଏକାନ୍ତ ହେବାରୁ ମାତା ଲକ୍ଷ୍ମୀ ପଚାରିଲେ, ହେ ନାରାୟଣ. ନିଜର ପଦ୍ମ ପାଖୁଡା ସଦୃଶ ପାଦତଳେ ଆପଣ ଏମିତି କେଉଁ ବସ୍ତୁ ଲୁଚାଇଦେଲେ ? ଶ୍ରୀବିଷ୍ଣୁ କହିଲେ, ଦେବୀ କମଳା ! ମୁଁ ସମସ୍ତ ଜୀବଙ୍କୁ ସବୁ ପ୍ରକାର ବସ୍ତୁ ପ୍ରଦାନ କଲି, କିନ୍ତୁ ” ଶାନ୍ତି ” ନାମକ ବସ୍ତୁ କାହାରିକୁ ଦେଇନାହିଁ. ସଂସାରର ଭୋଗବିଳାସ ଏବଂ ମୋହମାୟାର ଜଞ୍ଜାଳରେ ପଡି ବ୍ଯତିବ୍ଯସ୍ତ ହୋଇ ପଡୁଥିବା ଜୀବ ଯେତେବେଳେ ମୋ ଚରଣରେ ଶରଣ ଯିବ ସେତିକିବେଳେ ମୁଁ ତା’କୁ ମୋ ପାଦତଳେ ଲୁଚାଇ ରଖିଥିବା ଶାନ୍ତି ପ୍ରଦାନ କରିବି.ଠିକ ସେତିକି ବେଳକୁ ପୁଅ ଝିଅ ଦୁହେଁ ଜେଜେମଙ୍କ ସଙ୍ଗେ ଘରେ ପହଁଞ୍ଚି, କି ଶାନ୍ତିରେ ବଣିଚଢେଇଟି ଆକାଶକୁ ଉଡ଼ିଗଲା ଦେଖିବାର କଥା. ସ୍ୱାମୀ ସ୍ତ୍ରୀ ପରସ୍ପର ମୁଁହକୁ ଚାହିଁ ରହିଥିଲେ.

ସାକ୍ଷୀଗୋପାଳ, ପୁରୀ
9040977327

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ