ବଣୁଆ ହାତୀଙ୍କ ସୁରକ୍ଷା ନିମନ୍ତେ ସଚେତନତା
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଆରମ୍ଭ ହୋଇ ଯାଇଛି ଜଙ୍ଗଲି ହାତୀଙ୍କ ଉପଦ୍ରବ। ଗତ ୫ ମାସ ଭିତରେ ୪୦ ହାତୀଙ୍କ ମୃତ୍ୟୁ ଘଟିଛି। ଗତ ତିନି ବର୍ଷରେ ୬୬୮ ଜଣଙ୍କ ହାତୀ ଆକ୍ରମଣରେ ଯାଇଛି ଜୀବନ। ୫୦୯ ଲୋକ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି। ବିଧାନସଭାରେ ଏନେଇ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ଉପଦ୍ରବ ଆରମ୍ଭ ନ ହୋଇଥିଲେ ମଧ୍ୟ ବାକି ଅନ୍ୟ ଅଞ୍ଚଳରେ ଆରମ୍ଭ ହୋଇ ଯାଇଛି। ପ୍ରତିବର୍ଷ ଜଗନ୍ନାଥ ପ୍ରସାଦ ଓ ତାରାସିଂ ବନାଞ୍ଚଳ ର ସମସ୍ତ ଅଞ୍ଚଳରେ ବଣୁଆ ହାତୀ ବ୍ୟାପକ କ୍ଷୟକ୍ଷତି କରିଥାଏ। ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥ ପ୍ରସାଦ ବନାଞ୍ଚଳ ଅଧୀନରେ ଥିବା ଗ୍ରାମ ମାନଙ୍କରେ ବର୍ତ୍ତମାନ ଚାଷୀ ମାନେ ନିଜ ଜମିରୁ ପାଚିଲା ଧାନ ଅମଳ କରି ଘରକୁ ଆଣିବା ପାଇଁ ଦିନରାତି ବିଲରେ ଜଗି ରହୁଛନ୍ତି। ପାଚିଲା ଧାନ ଖାଇବା ପାଇଁ ହାତୀ ମାନଙ୍କ ଜଙ୍ଗଲରୁ ଗ୍ରାମାଞ୍ଚଳ କ୍ଷେତ ମୁହାଁ ହୋଇଥିବା ମଧ୍ୟ ନଜର କୁ ଆସିଛି। ସମସ୍ତ କର୍ମଚାରୀ ଦିନ ରାତି ତମାମ କାର୍ଯ୍ୟ କରୁଛନ୍ତି। ମଣିଷକୁ କାର୍ଯ୍ୟ କରିବା ପରେ ଯେମିତି ବି ଟିକେ ଆରାମ କରିବା ଦରକାର। ନିଜ କର୍ମଚାରୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ କୁ ଦେଖି ଏବଂ ଜଙ୍ଗଲି ହାତୀ ମାନଙ୍କ ଗତିବିଧିକୁ ଲକ୍ଷ୍ୟ ରଖିବାକୁ ଜଗନ୍ନାଥ ପ୍ରସାଦ ବନାଞ୍ଚଳ ଅଧିକାରିଣୀ ସୁଶ୍ରୀ ସୁଜାତା ରାଣୀ ପଣ୍ଡା ନିଜେ ଏକୁଟିଆ ଜଙ୍ଗଲି ହାତୀଙ୍କ ସୁରକ୍ଷା ନିମନ୍ତେ ସମସ୍ତ ଗ୍ରାମାଞ୍ଚଳ ବୁଲି ସନ୍ଧ୍ୟା ସମୟରେ ସମସ୍ତଙ୍କୁ ସଚେତନ କରୁଛନ୍ତି। କିଛି ଅସାଧୁ ଲୋକ ବାରହା ଶୀକାର ନିମନ୍ତେ ବିଦ୍ୟୁତ୍ ତାରରେ ଜାଲ ବିଛାଉ ଥିବାରୁ ନିରୀହ ହାତୀ ମାନେ ମୃତ୍ୟୁ ମୁଖରେ ପଡୁଛନ୍ତି। ସେଥିରୁ ଦୂରେଇ ରହିବା ସଙ୍ଗେ ସଙ୍ଗେ ହାତୀକୁ ଦେଖିଲେ ବନ ବିଭାଗ କୁ ଖବର ଦେବାକୁ ସେ ବୁଝାଉଛନ୍ତି। ସମସ୍ତ ଗ୍ରାମବାସୀ ସହଯୋଗ କରିବା ସହ ବନାଞ୍ଚଳ ଅଧିକାରିଣୀ ଙ୍କୁ ପ୍ରଶଂସା ଦେବା ସହ ସାଧୁବାଦ ଜଣାଉଛନ୍ତି।