ବଣୁଆ ହାତୀପଲ ପୁଣି ପାରଳା ସହର ଉପକଣ୍ଟରେ : ସାଧାରଣରେ ଆତଙ୍କ
ପାରଳାଖେମୁଣ୍ଡି (ପ୍ରକାଶ ଚନ୍ଦ୍ର ଦାଶ) ଗତ କିଛି ଦିନର ବ୍ୟବଧାନ ପରେ ପୁଣି ବଣୁଆ ହାତୀପଲ ପାରଳାଖେମୁଣ୍ଡି ସହର ମୁହାଁ ହୋଇଛନ୍ତି । ଜଙ୍ଗଲ ଛାଡି ବଣୁଆ ହାତୀପଲ ସହର ମୁଖା ହୋଇଥିବାରୁ ସାଧାରଣରେ ଆତଙ୍କ ଦେଖା ଦେଇଛି । ଏହି ହାତୀ ପଲରେ ଅଣ୍ଡିରା ହାତୀ ୩ଗୋଟ, ମାଇ ହାତୀ ଗୋଟିଏ ଏବଂ ୨ଗୋଟି ଛୁଆ ହାତୀ ମୋଟ ୬ଗୋଟି ହାତୀ ରହିଥିବା ଜଣାଯାଇଛି । ବର୍ତ୍ତମାନ ଏହି ୬ଗୋଟି ହାତୀପଲ ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ଠାରୁ କିଛିି କିମି ଦୁରରେ ଥିବା ଆନ୍ଧ୍ର-ଓଡିଶା ସିମାନ୍ତବର୍ତ୍ତୀ ଜଙ୍ଗଲରେ ରହିଛନ୍ତି । ଗତ କିଛି ଦିନ ହେଲା ଏହି ହାତୀପଲ ଆନ୍ଧ୍ରର ମେଳିଆପୁଟ ମଣ୍ଡଳର ଜଙ୍ଗଲରୁ ବାହାରି ମହେନ୍ଦ୍ରତନୟା ନଦୀ ପାର ହୋଇ ଗଜପତି ଜିଲ୍ଲାକୁ ପ୍ରବେଶ କରିଥିଲେ । ଗତ ୧୭ତାରିଖ ରାତ୍ର ୩ଘଣ୍ଟା ପର୍ଯ୍ୟନ୍ତ ହାତୀପଲ ସରଦାପୁର ଗ୍ରାମର ଏକ ସୂର୍ଯ୍ୟମୁଖୀ କିଆରିରେ ଡେରା ପକାଇଥିଲେ । ପରେ ହାତୀପଲ ଏହି ଅଞ୍ଚଳର ବିଭିନ୍ନ ତୋଟା ଓ ଜଙ୍ଗଲରେ ବିଚରଣ କରୁଥିବା ଅଞ୍ଚଳବାସୀ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ହାତୀ ମାନଙ୍କ ଦ୍ୱାରା ସେପରି କୌଣସି କ୍ଷୟକ୍ଷତି ଘଟିନଥିଲେ ସୁଦ୍ଧା ଜଙ୍ଗଲ ଛାଡି ହାତୀମାନେ ଜନବସତି ଓ ପାରଳା ସହର ନିକଟତର ହେଉଥିବାରୁ ସାଧାରଣରେ ଆତଙ୍କ ଦେଖାଦେଇଛି । ସଂପୃକ୍ତ ଅଞ୍ଚଳର ବିଶେଷ କରି ଗୋଷାଣୀ ବ୍ଲକର ଅନେକ ଗ୍ରାମର ଲୋକେ ଏହି ହାତୀପଲ ଯୋଗୁଁ ଦିବାରାତି ନ ଶୋଇ ହାତୀର ଗତି ବିଧିକୁ ନଜର ରଖିଛନ୍ତି । ସୂଚନା ଯୋଗ୍ୟ,ଏହି ହାତୀମାନେ ଗତ ୧ ବର୍ଷ ତଳେ ଗଞ୍ଜାମର ତୁମ୍ବା ଜଙ୍ଗଲରୁ ଗଜପତିର ଲାଖାରୀ ଜଙ୍ଗଲ ଦେଇ ଏପରି ଭାବେ ବିଚରଣ କରୁଛନ୍ତି । ଏଥିନେଇ ପାରଳାଖେମୁଣ୍ଡି ରେଞ୍ଜର ଏନ୍.ନରସିଂହ କହିଛନ୍ତି ଗତ କାଲି ମଧ୍ୟ ରାତ୍ରରେ ଏହି ହାତୀ ଗୁଡିକ ପୋଡଶୀ ଆନ୍ଧ୍ର ଜଙ୍ଗଲକୁ ଚାଲିଯାଇଛନ୍ତି । ତଥାପି ରାତ୍ରସାରା ବନ ବିଭାଗର ୩ ସ୍ୱତନ୍ତ୍ର ଦଳ ହାତୀମାନେ ଯେପରି ଜନବସତି ଆଡକୁ ନ ଆସନ୍ତି ସେଥିପାଇଁ ସଜାଗ ରହିବା ସହ । ସାଧାରଣରେ ଏଥି ନେଇ କହିଛନ୍ତି ଗତ ଏକ ବର୍ଷ ହେଲା ଏହି ହାତୀପଲ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଚରଣ କରି ଲୋକଙ୍କୁ ଭୟଭୀତ କରି ଚାଲିଛନ୍ତି । ହାତୀପଲ ଆନ୍ଧ୍ର-ଓଡିଶା ସିମାନ୍ତରେ ଥିବା ବିଭିନ୍ନ ତୋଟା,ଜଙ୍ଗଲ ଏବଂ ମହେନ୍ଦ୍ରତନୟା ନଦୀ ତଟ ଅଞ୍ଚଳରେ ବାରମ୍ବାର ବିଚରଣ କରୁଛନ୍ତି । ବନ ବିଭାଗ ହାତୀପଲକୁ ସେମାନଙ୍କ ବାସସ୍ଥାନ ତୁମ୍ବା ଜଙ୍ଗଲ ମଧ୍ୟକୁ ପଠାଇବା ବ୍ୟବସ୍ଥା ଗ୍ରହଣ ନ କଲେ ହାତୀମାନେ ଏପରି ଭାବେ ବିଚରଣ କରି ଚାଲିଥିବେ ।ତେଣୁ ତୁରନ୍ତ ତୁମ୍ବା ଜଙ୍ଗଲକୁ ଏହି ହାତୀପଲ ପଠାଇବା ସୁବ୍ୟବସ୍ଥା ଗ୍ରହଣ କରାଯାଉ ।


