ବଦଳିବ ସୁକନ୍ୟା ସମୃଦ୍ଧି ନିୟମ

ଆର୍ଥିକ ଭାବେ ଝିଅର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା ସବୁଠୁ ଉନ୍ନତ ନିବେଶ ଯୋଜନା ଭାବେ ବିବେଚନା କରାଯାଉଛି। ଏହାର ସବୁଠୁ ବଡ଼ କାରଣ ହେଉଛି ଏହା ଏକ ସରକାରୀ ଯୋଜନା ଏବଂ ଏଥିରେ ଭଲ ରିଟର୍ଣ୍ଣ ମଧ୍ୟ ମିଳିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ଯେଉଁ କେତେକ ଚମତ୍କାର ଯୋଜନାର ପ୍ରଣୟନ କରିଛନ୍ତି, ସେଥିମଧ୍ୟରୁ ସୁକନ୍ୟା ସମୃଦ୍ଧି ଯୋଜନା ଅନ୍ୟ ଏକ ପ୍ରମୁଖ ଫଳପ୍ରଦ ଯୋଜନା। ୧୦ ବର୍ଷରୁ କମ୍‌ ବୟସର ଶିଶୁଙ୍କ ଉଚ୍ଚଶିକ୍ଷା ଏବଂ ବିବାହ ପାଇଁ ସଞ୍ଚୟ କରିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏପରି ଏକ ଉନ୍ନତ ନିବେଶ ଯୋଜନାର ପ୍ରଚଳନ କରିଛନ୍ତି। ଏବେ ଏହି ନିବେଶ ଯୋଜନାରେ କେତେଗୁଡ଼ିଏ ପରିବର୍ତ୍ତନ କରାଯାଇଛି। ଆସନ୍ତୁ ଜାଣିବା ଏଥିରୁ ମିଳୁଥିବା ଫାଇଦା ସମ୍ପର୍କରେ।
ମ୍ୟାଚୁରିଟି ପୂର୍ବରୁ ବନ୍ଦ କରିହେବ
ସୁକନ୍ୟା ଯୋଜନାର ନୂଆ ନିୟମ ଅନୁଯାୟୀ ନିର୍ଦ୍ଧାରିତ ଅବଧି ପୂର୍ବରୁ କୌଣସି ସୁକନ୍ୟା ଆକାଉଣ୍ଟକୁ ବନ୍ଦ କରି ଦିଆଯାଇ ପାରିବ। ଶିଶୁଟିର ଗୁରୁତର ରୋଗ କିମ୍ବା ପିତାମାତାଙ୍କ ମୃତ୍ୟୁର ସ୍ଥିତି ଉପୁଜିଲେ ସୁକନ୍ୟା ଆକାଉଣ୍ଟକୁ ବନ୍ଦ କରାଯାଇ ପାରିବ। ପୂର୍ବରୁ ଶିଶୁର ମୃତ୍ୟୁ କିମ୍ବା ତାର ଆବାସିକ ଠିକଣାରେ ପରିବର୍ତ୍ତନ ହେଲେ ମ୍ୟାଚୁରିଟି ପୂର୍ବରୁ ଖାତାକୁ ବନ୍ଦ କରିଦିଆଯିବାର ସୁବିଧା ଥିଲା। ଏବେ ଶିଶୁଟିର ରୋଗ ଓ ପିତାମାତାଙ୍କ ମୃତ୍ୟୁ ଘଟିଲେ ଖାତାକୁ ବନ୍ଦ କରି ଦିଆଯିବାର ନିୟମରେ ପରିବର୍ତ୍ତନ ଘଟିଛି।
ସୁରକ୍ଷିତ ଭବିଷ୍ୟତ
ଯଦି ସୁକନ୍ୟା ସମୃଦ୍ଧି ଯୋଜନାର ଖାତାକୁ ନିୟମିତ କରା ନ ଯାଏ, ତେବେ ବି ଏହାର ପୂର୍ବ ଜମା ଉପରେ ସୁଧ ମିଳିଚାଲିବ। ଅଚଳ ଖାତାର ଜମା ଉପରେ ସୁଧ ପ୍ରଦାନର ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥା ଏହି ଯୋଜନାରେ ରହିଛି। ନୂଆ ନିୟମ ଅନୁଯାୟୀ ସୁକନ୍ୟା ଆକାଉଣ୍ଟ ଶିଶୁର ୧୮ ବର୍ଷ ନ ହେଲା ପର୍ଯ୍ୟନ୍ତ ନିଜେ ପରିଚାଳନା କରିପାରିବେ ନାହିଁ। ୧୮ ବର୍ଷ ହେବା ପରେ ଶିଶୁଟି ନିଜେ ଏହି ଖାତାକୁ ପରିଚାଳନା କରିପାରିବେ। ଆଗରୁ ଏହା ୧୦ ବର୍ଷ ବୟସ ଥିଲା। ଜଣକୁ ୧୦ ବର୍ଷ ହୋଇଯିବା ପରେ ସେ ନିଜ ଖାତା ଚଳାଇ ପାରିବାର ସୁବିଧା ଉପଲବ୍ଧ ଥିଲା। ନୂଆ ନିୟମ ଅନୁଯାୟୀ ସୁକନ୍ୟା ଆକାଉଣ୍ଟ ଶିଶୁର ଅଭିଭାବକ ହିଁ ପରିଚାଳନା କରିବେ। ଯଦି ଦୁଇରୁ ଅଧିକ କନ୍ୟା ସନ୍ତାନ ଥିବେ, ତେବେ ସେମାନଙ୍କ ଜନ୍ମ ପ୍ରମାଣପତ୍ର ସହିତ ଏକ ଆଫିଡେଭିଟ ଦେବାକୁ ପଡ଼ିବ। ପୁରୁଣା ନିୟମରେ ଅଭିଭାବକଙ୍କୁ ମେଡିକାଲ ସାର୍ଟିଫିକେଟ ଦେବାକୁ ପଡ଼ୁଥିଲା। ଏବେ ସୁକନ୍ୟା ଆକାଉଣ୍ଟରେ ପ୍ରତି ଆର୍ଥିକ ବର୍ଷ ଶେଷରେ ସୁଧ ପ୍ରଦାନ କରାଯିବ।
ସୁକନ୍ୟା ସମୃଦ୍ଧି ଯୋଜନା ମୋଦି ସରକାରଙ୍କ ଦ୍ବାରା ପ୍ରଚଳନ କରାଯାଉଥିବା ଛୋଟ ଏକ ସଞ୍ଚୟ ଅଭିଯାନ। ବେଟୀ ବଚାଅ ବେଟୀ ପଢ଼ାଅ ଅଭିଯାନ ଅନ୍ତର୍ଗତ ଏହି ଯୋଜନାକୁ ଅୟମାରମ୍ଭ କରାଯାଇଥିଲା। ଏହି ଯୋଜନା ଶିଶୁଙ୍କ ଶିକ୍ଷା ଏବଂ ତାଙ୍କ ବିବାହ ପାଇଁ ଅର୍ଥ ଯୋଗାଡ଼ କରିବାରେ ଫଳପ୍ରଦ ଭୂମିକା ନିର୍ବାହ କରିବ। ଏବେ ଏହି ଯୋଜନାରେ ସର୍ବାଧିକ ୮.୧ ପ୍ରତିଶତ ସୁଧ ମିଳିବାର ବ୍ୟବସ୍ଥା କରାଯାଇଛି। ଆୟକର ନିୟମ ଧାରା ୮୦(ଗ) ଅନୁଯାୟୀ ସୁକନ୍ୟା ସମୃଦ୍ଧି ଯୋଜନାରେ ନିବେଶ କଲେ ଟିକସ ରିହାତି ମିଳିବ। ଅର୍ଥାତ୍‌ ବାର୍ଷିକ ୧.୫ ଲକ୍ଷ ଟଙ୍କା ନିବେଶ ଉପରେ ଟିକସ ରିହାତିର ଫାଇଦା ମିଳିବ। ମ୍ୟାଚୁରିଟି ପରେ ମିଳୁଥିବା ଅର୍ଥ ଉପରେ ସମ୍ପୂର୍ଣ୍ଣ ଟିକସ ଛାଡ଼ର ବ୍ୟବସ୍ଥା ରହିଛି।
ଝିଅର ବୟସ ୧୦ ବର୍ଷ ହେବା ପୂର୍ବରୁ ଏହି ଖାତା ଖୋଲାଯାଇ ପାରିବ। ୨୫୦ ଟଙ୍କା ଜମା କରି ଏହା କରାଯାଇପାରିବ। ସର୍ବାଧିକ ୧.୫ ଲକ୍ଷ ଟଙ୍କା ଜମା କରାଯାଇ ପାରିବ। ପୋଷ୍ଟ ଅଫିସ ବା ବ୍ୟାଙ୍କରେ ଏହି ଖାତା ଖୋଲାଯାଇ ପାରିବ। କନ୍ୟାକୁ ୧୮ ବର୍ଷ ହୋଇଯିବା ପରେ ଉଚ୍ଚଶିକ୍ଷା ପାଇଁ ସୁକନ୍ୟା ସମୃଦ୍ଧି ଖାତାରୁ ୫୦ ପ୍ରତିଶତ ଅର୍ଥ ଉଠାଇ ଅଣାଯାଇ ପାରିବ। ୧ ଏପ୍ରିଲ ୨୦୧୪ରେ ଏହି ଯୋଜନାରେ ୯.୧ ପ୍ରତିଶତ ହାରରେ ସୁଧ ଦିଆଯାଉଥିଲା। ୧ ଏପ୍ରିଲ ୨୦୧୫ରେ ୯.୨ ପ୍ରତିଶତ ଏବଂ ୧ ଜାନୁଆରୀ ୨୦୧୯ ଠାରୁ ୮.୫ ପ୍ରତିଶତ ହାରରେ ସୁଧ ପ୍ରଦାନର ବ୍ୟବସ୍ଥା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ