ବଦଳିଲା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନାମ
କଟକ : କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇ “ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନ’ (ଏଏଚପିଜିଆଇସି) କରାଯାଇଛି । ସୋମବାର ଏ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସ୍ୱାସ୍ଥ୍ୟ ବିଭାଗ ପତ୍ର (ସଂଖ୍ୟା- ୩୮୧୭, ତା ୧୦ ଫେବ୍ରୁଆରି ୨୦୨୦)ରେ ସ୍ୱାସ୍ଥ୍ୟ ସଚିବ ପ୍ରତିଷ୍ଠାନର ନିଦେ୍ର୍ଧଶକଙ୍କୁ ଚିଠି ଦେଇଛନ୍ତି । ଏହି କେନ୍ଦ୍ରକୁ ଉନ୍ନତମାନର କରାଯିବା ପରେ ଏବେ ନିଶ୍ଚେତକ ବିଭାଗ, ପାଥୋଲୋଜି, ଇଏନଟି, ୟୁରୋ ଅଙ୍କୋଲୋଜି ଆଦି ବିଭାଗରେ ପିଜି ପାଠ୍ୟକ୍ରମ ଖୋଲାଯିବା ସହିତ ବର୍ତ୍ତମାନ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଶଯ୍ୟା ସଂଖ୍ୟା ୨୮୧ରୁ ୪୨୫କୁ ବୃଦ୍ଧି କରାଯିବା ପାଇଁ ପୂର୍ବରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିସହ ପ୍ରତିଷ୍ଠାନର ସଂପ୍ରସାରଣ ଓ ଭିତ୍ତିଭୂମିର ବିକାଶ କରାଯିବାର ଯୋଜନା ରହିଛି । ଅନ୍ୟପଟେ କ୍ୟାନସର କେୟାର ଯୋଜନାରେ ୩୭୮.୫୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବଜେଟ ପ୍ରସ୍ତୁତ କରାଯାଇଥିବା ବେଳେ ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ୪୭ କୋଟି ୯୫ ଲକ୍ଷ ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି ।


