ବଦଳୁଛି ଚାଷ କାମର ଢାଂଚା ବିଲରେ ବୁଲନି ପାରମ୍ପରିକ ହଳ ଲଙ୍ଗଳ
ହିଂଜିଳିକାଟୁ, (ଶେଷଦେବ ସାହୁ): ଚାଷ କାମ ଯାହାର କି ଆନନ୍ଦ ତାହାର, ସିଏ ପରା ଯୋଗାଉଛି ଦୁନିଆକୁ ଆହାର । ଏହି କାର୍ଯ୍ୟ ପାଇଁ ଚାଷୀ ସଭିଙ୍କ ପାଖରେ ଆଦର ପାଉଥିଲା । ଦିନ ଥିଲା ଗ୍ରାମାଂଚଳର ଲୋକେ ଅନ୍ୟ କାର୍ଯ୍ୟ ଅପେକ୍ଷା ଚାଷ କାର୍ଯ୍ୟ କରିବା ପାଇଁ ଆଗଭର ହେଉଥିଲେ । ବିଭିନ୍ନ କାରଣରୁ ଧୀରେ ଧୀରେ ଏବେ ଚାଷ କାମ ବନ୍ଦ ହେବାକୁ ବସିଛି । ପୂର୍ବରୁ ଚାଷ କରୁୂଥିବା ପ୍ରଣାଳୀ ବଦଳାଇ ନୂତନ ପଦ୍ଧତିରେ ଚାଷ କରି ଅଧିକ ଉପାର୍ଜନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେଏହା ଏବେ ପୋଥି ବାଇଗଣ ପାଲଟିଯିବା ଆଶଙ୍କା ପ୍ରକାଶ ପାଇଛି । ହିଂଜିଳିକାଟୁ ଅଂଚଳରେ ମୁଖ୍ୟତଃ ଖରିଫ୍ ଓ ରବି ଋତୁରେ ଧାନ ଚାଷ କରିଥାନ୍ତି । ଏବେ ଚାଷ କାମ ବାଟବଣା ହୋେଇଥିବା ବେଳେ ଚାଷର ଉପାୟ ବଦଳିବାରେ ଲାଗିଛି । ହଳରେ ଏବେ ଆଉ ପ୍ରାୟ କେହି ଚାଷ କରୁନଥିବା ବେଳେ ଚାଷୀ ମୁଖରୁ ହୁଳହୁଳି, ହଳିଆଗୀତ ପୂର୍ବଭଳି ଆଉ ରୂଆବୁଣା ବେଳେ ଶୁଣିବାକୁ ମିଳୁନାହିଁ । ପୂର୍ବରୁ ଚାଷୀ ଜମିରେ ଚାଷ ପାଇଁ ହଳ, ଲଙ୍ଗଳ ବ୍ୟବହାର କରୁଥିଲେ । ଏବେ ଚାଷ ପାଇଁ ଟ୍ରାକ୍ଟର, ପାୱାର ଟ୍ରିଲର ବ୍ୟବହାର ହେଉଛି । ମାସ ମାସ ଧରି ଚାଲୁଥିବା ଚାଷ କାମ ଏବେ କମ୍ ଦିନରେ ଶେଷ ହେଉଛି । ପ୍ରତିଗାଁରେ ପୂର୍ବେ ଘରେ ଘରେ ଚାଷ ଜମି ପାଇଁ ବଳଦ ଓ ପୋଢ ପାଳନ କରାଯାଉଥିଲା । ଏପରିକି କିଛି ଧନୀକ ଶ୍ରେଣୀର ଚାଷୀ ମଧ୍ୟ ଗାଇ ବଳଦଙ୍କ ପାଇଁ ହଳିଆ ମଧ୍ୟ ରଖୁଥିଲେ । ଘର ଆଗରେ ଗୁହାଳ ଦେଖିବାକୁ ମିଳୁଥିଲା । ହଳ ପାଇଁ ଚାଷୀ କୁସୁମ, ପାଶୀ, ବବୁଲ, ଗୁହାରିଆ ପ୍ରଭୃତି କାଠର ଲଙ୍ଗଳ. ଢାମଣ, ଇଷ ତଥା ଅନ୍ୟାନ ଉପକରଣ ରଖାଯାଉଥିଲା । କିଛି ଚାଷୀ ମାମୁଁ ଭଣଜା ବଳଦକୁ ଏକାଠି କରି ହଳ କାର୍ଯ୍ୟରେ ଲଗାଉଥିଲେ । ପ୍ରତିବର୍ଷ ପ୍ରଥମ ବର୍ଷ ପରେ ଚାଷୀ ମାନେ ବଳଦ କିଣା ବିକା କରିବା ସହିତ ଅନ୍ୟ ଗ୍ରମାରୁ ବଳଦ କିଣି ଆଣୁଥିଲେ । ମହାଲକ୍ଷ୍ମୀ ସ୍ନାନ ଦିନ ଭୋର ସମୟରେ ତଳିଘଣା ପରେ ପୂଜାର୍ଚ୍ଚନା କରି ରୂଆ କାର୍ଯ୍ୟ ଆରମ୍ଭ କରୁଥିଲେ । ହଳ ଧରି ବିଭିନ୍ନ ଢଙ୍ଗରେ ମଧୁର କଣ୍ଠରେ ଗୀତ ଗାଇ ହଳ କରୁଥିବା ଦେଖାଯାଉଥିଲା । ମହିଳା ମାନେ ହୁଳହୁଳି ସହ ମିଳିତ ଭାବେ ଗୀତ ଗାଉଥିଲେ । ଦୂରରୁ ଗୀତ ଶୁଭିଲେ ଚାଷ କାମ ଚାଲିଥିବାର ସଙ୍କେତ ମିଳିପାରୁଥିଲା । ଗୋଟିଏ ଜମିରେ ମହିଳା ଗୀତ ଗାଇବା ଆରମ୍ଭ କଲେ ଅନ୍ୟ ଜମିର ମହିଳା ତାହା ଅନୁସରଣ କରୁଥିଲେ । ବିଭିନ୍ନ କାରଣରୁ ଏବେ ହଳ ରଖିବା ବନ୍ଦ ହୋଇ ଯାଉଥିବା ବେଳ ଗ୍ରାମାଂଚଳରେ ପଶୁ ସମ୍ପଦ ବିଶେଷ ଭାବେ ହ୍ରାସ ପାଇଛି । ଚାଷ ଜମିରେ ଘର ନିର୍ମାଣ ସହ ବର୍ଷ ବର୍ଷ ଧରି ପଡ଼ିଆ ରଖାଯାଉଛି । ଉର୍ବର ଜମି ମଧ୍ୟ ଏଥିରୁ ବାଦ୍ ପଡ଼ୁନି । ପୂର୍ବରୁ ଶ୍ରମିକଙ୍କୁ ବର୍ଷିକିଆ ଚୁକ୍ତି ଭିତିରେ ନିଯୁକ୍ତି ଦିଆଯାଇ ଧାନ, ମାଣ୍ଡିଆ, ସୁଆଁ ପ୍ରଭୃତି ମୂଲ ଭାବେ ଦିଆଯାଉଥିଲା । ଶସ୍ୟ ମାପିବା ପାଇଁ ନଉତି, ଅନା ଆଦି ବ୍ୟବହାର କରାଯାଉଥିବା ବେଳେ ଏବେ ସବୁ ଟଙ୍କାରେ ହେଉଛି । ଟ୍ରାକ୍ଟରରେ ଚାଷ କାର୍ଯ୍ୟ କରାଯାଉଛି । ଟ୍ରାକ୍ଟର ଭଡ଼ା ବାବଦରେ ଘଂଟା ପ୍ରତି ୧୨୦୦ ରୁ ୧୪୦୦ ଟଙ୍କାରେ ମିଳୁଛି । ବହୁ ଚାଷୀ ଚାଷ କାର୍ଯ୍ୟ କରିବା ପାଇଁ ଆଗଭଳି ମନବଳାଉ ନାହାନ୍ତି । ଚାଷ କାର୍ଯ୍ୟ ଅପେକ୍ଷା ଦାଦନ ଖଟିବା ପାଇଁ ସୁଦୂର ମୁମ୍ବାଇ, ସୁରଥ, ଅଙ୍ଗୋଲ, ହାଇଦ୍ରାବାଦ ଯିବା ପାଇଁ ମନ ବଳାଉଛନ୍ତି । ସମୟକ୍ରମେ ଚାଷ କାର୍ଯ୍ୟରେ ଅନେକ ପରିବର୍ତନ ଗଟିଛି । ଚାଷ ଜମିର ଶୈଳୀ ପରିବର୍ତନ ଯୋଗୁଁ ହଳ, ହୁଳହୁଳି, ହଳିଆ ଗୀତ ଏବେ ଲୋପ ପାଇବାକୁ ବସିଲାଣି ।