ବଦାନ୍ୟ ଯୁବତୀଙ୍କ ଦ୍ୱାରା କୋଭିଡରେ ଅନାଥ ଶିଶୁମାନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ
ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) – ଗଜପତି ଜିଲ୍ଲାରେ ଗତ ପ୍ରାୟ ୨ ବର୍ଷ ମଧ୍ୟରେ କୋଭିଡ୍ ସମୟରେ ନିଜ ବାପା ଓ ମାଙ୍କୁ ହରାଇ ଅନାଥ ହୋଇ ପଡିଥିବା ଶିଶୁ ମାନଙ୍କୁ ଆଜି ପାରଳାଖେମୁଣ୍ଡି ଠାରେ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି । ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିଶୁ କଲ୍ୟାଣ ସମିତି କାର୍ଯ୍ୟାଳୟର ସଭାଗୃହ ଠାରେ ଏହି ରିଲିଫ ସାମଗ୍ରୀ ଅନାଥ ଶିଶୁମାନଙ୍କୁ ବଣ୍ଟନ କରାଯାଇଥିଲା । ଏ.ପ୍ରଭାଲ୍ଲୀକା ନାମକ ଜଣେ ବଦାନ୍ୟ ଯୁବତୀ ଯିଏ କି ଟିସିଏସ୍ କମ୍ପାନୀରେ ସଫଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟରତ ସେ ଏଭଳି ଅନାଥ ଶିଶୁମାନଙ୍କୁ ବିଭିନ୍ନ ଆବଶ୍ୟକ ସାମଗ୍ରୀ ରିଲିଫ ଦେବାପାଇଁ ୧ ଲକ୍ଷ ଟଙ୍କା ଜିଲ୍ଲାରେ କୋଭିଡ ସମୟରେ ଅନାଥ ପିଲାଙ୍କ ଯତ୍ନ ଓ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ପ୍ରଭା” ମାଧ୍ୟମରେ ଦେଇଛନ୍ତି ଏବଂ ଆବଶ୍ୟକ ସ୍ଥଳେ ଆହୁରି ଏଭଳି ଯୋଗାଇ ଦେବେ ବୋଲି ଜଣାଇଛନ୍ତି । ଏହି ରିଲିଫ ସାମଗ୍ରୀ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ୨୦ ଜଣଙ୍କୁ କିଟ୍ ଆକରରେ ପ୍ରାୟ ୩ ହଜାର ଟଙ୍କାର ଯଥା ମଶାରୀ, ଚପଲ, ଛପାପଟି, ବହି, ଖାତା, ପେନ ଓ ଅନ୍ୟାନ୍ୟ ସାମଗ୍ରୀ ଦିଆଯାଇଛି । ଆୟୋଜିତ ବଣ୍ଟନ କାର୍ଯ୍ୟକ୍ରମରେ ପ୍ରଭା ଅନୁଷ୍ଠାନର ନିର୍ଦ୍ଦେଶକ ଏ.ଆପ୍ପାରାଓଙ୍କ ସବାପତିତ୍ୱରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଏବଂ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ ପ୍ରମୁଖ ଅତିଥି ବାବେ ଯୋଗଦେଇ ସଫଟୱେର ଇଞ୍ଜିନିୟର ଏ.ପ୍ରଭାଲ୍ଲିକାଙ୍କ ଏଭଳି ବଦାନ୍ୟ ମହତ ପଦକ୍ଷେପ ପ୍ରତି ଭୁୟସୀ ପ୍ରଶଂସା କରିଥିଲେ । କୋଭିଡ ଗତ ପ୍ରାୟ ୨ ବର୍ଷ ହେଲାଣି ମାନବ ସମାଜକୁ ଯେଉଁଭଳି ଭାବେ କବଳିତ କରି ରଖିଛି । ସେଥିରେ ଅନେକ ମାଆ ବାପାଙ୍କୁ ହରାଇ ଅନାଥ ହୋଇପଡିଛନ୍ତି । ଯେଉଁ ଅନାଥ ମାନେ କି ଓଳିଏ ଭଲକରି ମୁଠାଏ ଖାଇବାକୁ ନପାଇ ଅତି କଷ୍ଟରେ ଜୀବନ ବିତାଉଛନ୍ତି ସେହି ଅନାଥ ପିଲାମାନଙ୍କ ପାଇଁ ଏଭଳି ସମୟରେ ରିଲିଫ ସାମଗ୍ରୀ ଦେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶୁଶୁ କଲ୍ୟାଣ ସିତିର ବରିଷ୍ଠ ସଦସ୍ୟା ଅଳକା ସାହୁ ମଞ୍ଚାସିନ ରହି ସମାଜରେ ଏହିଭଳି ଅନେକ ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ରହିଛନ୍ତି ଯେଉଁମାନେ କି ଏଭଳି ଅନାଥ ମାନଙ୍କ ପ୍ରତି ମନୋବଳ ଦୃଢ ରଖି ବିଭିନ୍ନ ସାହାଯ୍ୟର ହାତ ବଢାଇ ଆସୁଛନ୍ତି । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ କଲ୍ୟାମ ସମିତିର ମୋନାଲିସା ଦାସଙ୍କ ସମେତ ଜିଲ୍ଲା ଚାଇଲ୍ଡ ଲାଇନ୍ର ଏ.ମିନାକ୍ଷୀ ଏବଂ ରାଜେଶ ନାୟକ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।


