ବଧିରଙ୍କୁ କର୍ମ ନିଯୁକ୍ତି ଦେବା ପାଇଁ “ସାଇଲେଣ୍ଟ କାଫେ’

ବଧିର ବ୍ୟକ୍ତିମାନଙ୍କୁ କର୍ମନିଯୁକ୍ତି ଦେବା ପାଇଁ ଷ୍ଟାରବକ୍ସ ନାମକ ଏକ କମ୍ପାନୀ ଏଇ କିଛିଦିନ ତଳେ ଚାଇନାର ଗୁଆଙ୍ଗଝୁଠାରେ ସାଇଲେଣ୍ଟ କାଫେର ଶୁଭାରମ୍ଭ କରିଛି । ଏହି କାଫେର ଅଧିକାଂଶ କର୍ମଚାରୀ ହେଉଛନ୍ତି ବଧିର । ଗ୍ରାହକମାନଙ୍କଠାରୁ ଅର୍ଡର ରଖିବା, ଖାଦ୍ୟ ପରଷିବା ତଥା ପଇସା କଲେକ୍ସନ ପାଇଁ ଉକ୍ତ କର୍ମଚାରୀମାନଙ୍କୁ ସାଇନ୍ ଲାଙ୍ଗୁଏଜ୍ର ସାହାଯ୍ୟ ନେବାକୁ ପଡିଥାଏ । ତେବେ ଯେଉଁ କର୍ମଚାରୀ ବା ଗ୍ରାହକଙ୍କୁ ସାଇନ୍ ଲାଙ୍ଗୁଏଜ୍ ଜଣା ନ ଥାଏ, ସେମାନଙ୍କ ସୁବିଧା ପାଇଁ କାଫେରେ ଏକ ବୋର୍ଡ ଟଙ୍ଗାଯାଇ ସେଥିରେ ସାଇନ୍ ଲାଙ୍ଗୁଏଜ୍ର ବିଭିନ୍ନ ସିମ୍ବଲ ସମ୍ପର୍କରେ ଉଲ୍ଲେଖ କରି ଦିଆଯାଇଛି । ସେହିପରି ଖାଦ୍ୟ ଅର୍ଡର ଦେବା ପାଇଁ ଏଠାରେ ପ୍ରତି ଖାଦ୍ୟ ଓ ପାନୀୟର ଭିନ୍ନ ଭିନ୍ନ ନମ୍ବର ମଧ୍ୟ ରଖାଯାଇଛି, ଯାହାର ସୂଚନା ମଧ୍ୟ ଉକ୍ତ ବୋର୍ଡରେ ଲେଖି ଦିଆଯାଇଛି । ଫଳରେ ଗ୍ରାହକ ନିଜ ପସନ୍ଦ ମୁତାବକ ଖାଦ୍ୟର ନମ୍ବରକୁ ଉକ୍ତ ବୋର୍ଡରୁ ପଢି ହାତରେ ବିଭିନ୍ନ ଭାବଭଙ୍ଗୀ କରି କାଫେ କର୍ମଚାରୀଙ୍କୁ ଖାଦ୍ୟ ଅର୍ଡର ଦେଇଥାନ୍ତିି । ଯଦି କୌଣସି ଗ୍ରାହକ ସାଇନ୍ ଲାଙ୍ଗୁଏଜ୍ ଦ୍ୱାରା କାଫେ କର୍ମଚାରୀଙ୍କୁ ଖାଦ୍ୟ ଅର୍ଡର ଦେବାରେ ଅସଫଳ ହେଉଥାନ୍ତି, ତା’ହେଲେ ସେମାନେ ଚାହିଁଲେ ନୋଟ୍ପ୍ୟାଡ୍ରେ ନିଜ ଅର୍ଡର ଲେଖିକି ମଧ୍ୟ ଦେବାର ସୁବିଧା ଏଠାରେ ଅଛି । ସେହିପରି ଗ୍ରାହକ ଓ କର୍ମଚାରୀଙ୍କ ମଧ୍ୟରେ ଡିଜିଟାଲ୍ କମ୍ୟୁନିକେଶନର ବ୍ୟବସ୍ଥା ବି ଉକ୍ତ କାଫେରେ ଉପଲବ୍ଧ ଅଛି । ବଧିର ବ୍ୟକ୍ତିଙ୍କ କର୍ମନିଯୁକ୍ତି ତଥା ଲୋକମାନଙ୍କୁ ସାଇନ୍ ଲାଙ୍ଗୁଏଜ୍ ସମ୍ପର୍କରେ ଶିକ୍ଷା ଦେବା ପାଇଁ ଗୁଆଙ୍ଗଡଙ୍ଗ ଡିଫ୍ ପିପୁଲ୍ ଆସୋସିଏଶନ୍ର ସହଯୋଗରେ ଷ୍ଟାରବକ୍ସ ଚାଇନାରେ ଏହି ଅଭିନବ ପ୍ରୟାସ କରି ୟା’ ଭିତରେ ଅନେକ ସଫଳତା ମଧ୍ୟ ପାଇସାରିଲାଣି । ତେବେ ଚାଇନା ପୂର୍ବରୁ ଷ୍ଟାରବକ୍ସ ୨୦୧୬ରେ ମାଲେସିଆ ଓ ୨୦୧୮ରେ ୱାଶିଂଟନ୍ ଡି.ସି.ରେ ମଧ୍ୟ ଏହି ସାଇଲେଣ୍ଟ କାଫେ କରି ସଫଳତା ହାସଲ କରିସାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ