ବଧୂ ହତ୍ୟା ଅଭିଯୋଗ, ସ୍ୱାମୀ ଗିରଫ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ବାଲିପୋଖରୀ ପଞ୍ଚାୟତ ଜଗନ୍ନାଥପ୍ରସାଦ ଗ୍ରାମରେ ଜଣେ ନବ ବଧୂକୁ ହତ୍ୟା କରାଯାଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି। ପ୍ରାପ୍ତ ଅଭିଯୋଗ ଅନୁଯାୟୀ ଗ୍ରାମର ପ୍ରଭାତ ବାରିକଙ୍କ ପୁଅ ବିଶ୍ୱଜିତ ଯାଜପୁର ଜିଲ୍ଲା ମୋଟରାଙ୍ଗପାଳ ଗ୍ରାମର ସ୍ବର୍ଗତ କାମଦେବ ବାରିକଙ୍କ ଝିଅ ଶକ୍ତିମୟୀକୁ ବୈଦିକ ରୀତିରେ ବିବାହ କରିଥିଲେ। ବାହାଘର ବେଳେ ସମସ୍ତ ଯାନି ଯୌତୁକ ଦିଆଯାଇଥିଲେ ସୁଦ୍ଧା ଅଧିକ ଅର୍ଥ ପାଇଁ ଶାଶୂଘର ଲୋକେ ଶକ୍ତିମୟୀକୁ ଅନେକ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଗତ ୯ତାରିଖ ସନ୍ଧ୍ୟାରେ ଶକ୍ତିମୟୀ ଫାଶୀ ଦେଇଥିବା ବାପ ଘର ଲୋକଙ୍କୁ ଶାଶୂ ଘର ଲୋକ ଖବର ଦେଇଥିଲେ। ବାପଘର ଲୋକେ ସଂଗେ ସଂଗେ ଜଗନ୍ନାଥପ୍ରସାଦ ଗ୍ରାମରେ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥାରୁ ଅନୁମାନ କରି ଶକ୍ତିମୟୀକୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ଭାଇ ଅନନ୍ତ କିଶୋର ବାରିକ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ସ୍ୱାମୀଙ୍କ ସମେତ ଶାଶୁ, ଶ୍ବଶୁର, ଦିଅର, ନଣଦ, ନଣଦେଇ ପ୍ରମୁଖଙ୍କର ଏଥିରେ ସମ୍ପୃକ୍ତି ରହିଥିବା ଦର୍ଶାଯାଇଛି। ଅଭିଯୋଗକୁ ଭିତ୍ତିକରି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ୪୩୫/୨୩ରେ ମାମଲା ରୁଜ୍ଜୁ କରି ସ୍ୱାମୀ ବିଶ୍ଵଜିତକୁ ଗିରଫ କରିଛି।