ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ୱ ବନ ଦିବସ-୨୦୨୧ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ “ବିଶ୍ୱ ବନ ଦିବସ-୨୦୨୧” କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ବନଖଣ୍ଡିୟ ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କ ସଭାପତିତ୍ୱରେ ଜିଲ୍ଲାପାଳ ଅନୁପମ ସାହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମର ଯେମିତି ବଞ୍ôଚବାର ଅଧିକାର ରହିଛି ଠିକ ସେହିଭଳି ଜଙ୍ଗଲର ମଧ୍ୟ ବଞ୍ôଚବାର ଅଧିକାର ରହିଛି । ନିଜ ଘରେ ନିଆଁ ଲାଗିଲେ ଯେମିତି ଆମେ ପାଣିପକାଇ ଲିଭାଇଥାଉଁ ଠିକ୍ ସେହିଭଳି ଜଙ୍ଗଲରେ ମଧ୍ୟ ନିଆଁ ଲାଗିଲେ ତାକୁ ଲିଭାଇବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ହେବା ଉଚିତ । ଆଜିକାଲି ବିଭିନ୍ନ ଉପାୟରେ ଜଙ୍ଗଲ କ୍ଷୟ ଘଟୁଛି । କାଠ ମାଫିଆଙ୍କ ଜଙ୍ଗଲ ଲୁଟ, ପୋଡୁ ଚାଷ, ଜଙ୍ଗଲରେ ନିଆଁ ଲାଗିବା ଏହାର ମୁଖ୍ୟ କାରଣ । ଗଛ କି ଚାରା ରୋପଣ କଲେ ଗଛ ସୃଷ୍ଟି ହବ କିନ୍ତୁ ଜଙ୍ଗଲ ସୃଷ୍ଟି ହେବନି, ଜଙ୍ଗଲ ହେବାପାଇଁ ସେଥିରେ ବିଭିନ୍ନ ଜାତୀୟ ଗଛ, ଜୀବଜନ୍ତୁ ଓ ଅନ୍ୟାନ୍ୟ ପ୍ରଭୃତି ରହିଲେ ହିଁ ତାହା ଜଙ୍ଗଲ ସୃଷ୍ଟି ହୋଇଥାଏ । ତେଣୁ ଜଙ୍ଗଲ ସୁରକ୍ଷା ଓ ତାର ସଂରକ୍ଷଣ ହୋଇ ପାରିଲେ ଆମେ ସେଥିରୁ ବହୁ ଉପକାର ପାଇପାରିବା ବୋଲି କହିଥିଲେ । ପାରଳାଖେମୁଣ୍ଡି ବନଖଣ୍ଡୀୟ ଅଧିକାରୀ ଶ୍ରୀ ବେହେରା ଖରା ଦିନରେ ଜଙ୍ଗଲେ ବିଭିନ୍ନ ଉପାୟରେ ନିଆଁ ଲାଗୁଥିବା ଯୋଗୁଁ ଏହାର ନକରାତ୍ମକ ପ୍ରଭାବ ଜଙ୍ଗଲ ଜୈବ ବିଭିଧତା ଉପରେ ପଡି ଜଙ୍ଗଲ ପରିସୀମା ଧୀରେ ଧୀରେ ସଙ୍କୁଚିତ ହୋଇପଡୁଛି । ତେଣୁ ଆଧୁନିକରଣ ଆଳରେ ଜଙ୍ଗଲ ହ୍ରାସ କରୁଥିବା ଆଧୁନିକ ମାନବ ଜାତି ଏଥି ପ୍ରତି ସଚେତନ ହେବା ଜରୁରୀ ବୋଲି କହିଥିଲେ । ଏହା ସହ ସରକାରଙ୍କ ଆମ ଜଙ୍ଗଲ ଯୋଜନା ଅନ୍ତର୍ଗତ ବଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀ, ଏସିଏଫଓ ଗୌରୀ ପ୍ରସାଦ ରଥ, କେ. ଭାସ୍କର ରାଓ ପ୍ରମୁଖ ମଞ୍ଚାସିନ ରହି ଜଙ୍ଗଲ ସୁରକ୍ଷାର ବିଭିନ୍ନ ଦିଗ ସମ୍ପ୍ରକରେ କହିଥିଲେ । ଏହି ଅବସରରେ ଜଙ୍ଗଲ ସୁରକ୍ଷା ଦିଗରେ ଉତ୍ତମ କାର୍ଯ୍ୟ କରି ଆସୁଥିବା ୧୦ ଗୋଟି ବଣ୍ୟ ସୁରକ୍ଷା ସମିତିଙ୍କୁ ଜିଲ୍ଲାପାଳ ଶ୍ରୀ ସାହା ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।


