ବନସ୍ତେ ଡାକିଲା ଗଜ…

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ବନସ୍ତେ ଡାକିଲା ଗଜ….ବରସକେ ଥରେ ଆସିଛି ରଜ….ଗୀତରେ ପୁରପଲ୍ଲୀରେ ଖୁସୀର ମାହୋଲ ସୃଷ୍ଟି ହୋଇଛି । ସହରରେ ଲୋକ ମାନେ ନିଜ ଘର ଛାତରେ ଦୋଳି ବାନ୍ଧିିଥିବା ବେଳେ ଗ୍ରାମାଞ୍ଚଳରେ ଗଛରେ ଦୋଳି ଲାଗିଛି । ଦୋଳି ଖେଳ ନିକଟରେ ରଜ ଗୀତ ବାଜୁଛି । ଏହି ଗୀତ ଶୁଣିବା ପାଇଁ ଯୁବତୀ ମାନେ ବେଶ ଭିଡ଼ ଜମାଇଥିବା ଦେଖାଯାଇଛି । ସେହିପରି ଦୋଳି ଖେଳିବା ପାଇଁ ମଧ୍ୟ ଛୋଟ ପିଲା, ଯୁବତୀ ଓ ମହିଳାମାନଙ୍କ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ରଜପାନ ବିକ୍ରି ହେଉଥିଲା । ଯୁବତୀ ଓ ମହିଳାମାନେ ରଜପାନ ଖାଇ ମସଗୁଲ ହୋଇଥିଲେ । ସେହିପରି ଝିଅମାନେ ସଜ ହୋଇ ଦୋଳି ଖେଳୁଥିବା ଦେଖି ବାକୁ ମିଳିଥିଲା । ସହର ଉପକଣ୍ଠ ଜଜାଙ୍ଗ ପଞ୍ଚାୟତ ପାର୍କରେ ଅପରାହ୍ଣରେ ଯୁବତୀ, ମହିଳା ଓ ଝିଅମାନଙ୍କର ବେଶ ଭିଡ଼ ଦେଖିବାକୁ ମିଳିଥିଲା । ସହରର ଝିଅମାନେ ଦୋଳି ଖେଳିବା ପାଇଁ ସେଠାକୁ ଯାଇଥିବା ଦେଖାଯାଇଥିଲା । କାରଣ ସେହି ପାର୍କରେ ଦୋଳି ଖେଳିବାର ସୁବିଧା ସହିତ ପରିସରରେ ଥିବା ପୋଖରୀରେ ବୋଟିଂର ମଧ୍ୟ ମଜା ନେଇଥିଲେ । ଦିନ ସାରା ଗୁଳୁଗୁଳି ହୋଇ ରଜ ମାହୋଲକୁ ଟିକେ ଫିକା କରିଦେଇଥିଲା । କାରଣ ଏତେ ଗରମ ଅନୁଭୁତ ହେଉଥିଲା ଯେ ଲୋକେ ଅସ୍ୱାଭାବିକ ଅନୁଭବ କରୁଥିଲେ । ଅପରାହ୍ଣ ପ୍ରାୟ ୫ଟା ବେଳକୁ ପ୍ରବଳ ବର୍ଷା ହୋଇଥିଲା । ଫଳରେ ଧରଣୀ ଶୀତଳତା ଲାଭ କରିଥିଲା । ଲୋକେ ଘରେ ଘରେ ପୋଡ଼ ପିଠା ସମେତ ବିଭିନ୍ନ ପ୍ରକାର ଅନ୍ୟାନ୍ୟ ପିଠା ମଧ୍ୟ ପ୍ରସ୍ତୁତ କରିଥିଲେ । ବନ୍ଧୁବାନ୍ଧବ ସବୁ ଘରକୁ ଆସିଥିଲେ । ତେଣୁ ଖୁବ ଧୂମଧାମରେ ରଜ ପର୍ବ କେନ୍ଦ୍ରାପଡ଼ା ସହର ଓ ପୁରପଲ୍ଲୀରେ ପାଳିତ ହୋଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ