ବନାରସ ରେ ଛାତ୍ରୀ ପ୍ରତି ଅସଦାଚରଣ ପ୍ରତିବାଦରେ ଏ.ଆଇ.ଡି.ଏସ.ଓ ପକ୍ଷରୁ କଳା ଦିବସ ପାଳନ।
ବାଲେଶ୍ୱର, (ସରୋଜ ପଣ୍ଡା) : ଶନିବାର -ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ର ଜନୈକା ଛାତ୍ରୀ ପ୍ରତି ଅସଦାଚରଣ ପ୍ରତିବାଦ ରେ ଏ ଆଇ ଡି ଏସ ଓ ସର୍ବଭାରତୀୟ କମିଟି ଡାକରାରେ ସାରାଭାରତ କଳାଦିବସ ପାଳନ ଅବସରରେ ସଂଗଠନ ର ବାଲେଶ୍ୱର ଜିଲ୍ଲା କମିଟି ପକ୍ଷରୁ ଫକୀର ମହାନ କଲେଜ ସମ୍ମୁଖରେ ଆଜି ପ୍ରତିବାଦ କରାଯାଇଛି l ସକାଳ ୧୦ ଘଣ୍ଟା ସମୟରେ ଜିଲ୍ଲା କମିଟି ସମ୍ପାଦକ ପ୍ରଶାନ୍ତ କୁମାର ଦାସ ନେତୃତ୍ୱରେ ସଂଗଠନ ର କର୍ମକର୍ତା ମାନଙ୍କ ସହିତ ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଛାତ୍ରୀ ପ୍ରତି ଅସଦାଚରଣ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ସମ୍ବଳିତ ବ୍ୟାନର ଓ ପ୍ଲାକାଡ ପ୍ରଦର୍ଶନ କରିଥିଲେ ଓ ସ୍ଲୋଗାନ ଦେଇଥିଲେ l ଏହାପରେ ଛାତ୍ରୀ ଯୁଙ୍ଗା ବାନାରା ଓ ଅର୍ଚିତା ବାରିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ l ଶେଷରେ ସମ୍ପାଦକ ପ୍ରଶାନ୍ତ କୁମାର ଦାସ ତାଙ୍କ ବକ୍ତବ୍ୟ ରେ ବନାରସ ସମେତ ସାରା ଦେଶରେ ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଛାତ୍ରୀ ମାନଙ୍କ ପ୍ରତି ଦିନକୁ ଦିନ ବଢୁଥିବା ପାଶବିକ ଅତ୍ୟାଚାର ତୀବ୍ର ନିନ୍ଦା କରିବା ସହିତ ଘଟଣାରେ ସମ୍ପୃକ୍ତ ସମସ୍ତ ଅପରାଧୀମାନଙ୍କୁ ଦୃଷ୍ଟାନ୍ତ ମୂଳକ ଶାସ୍ତି ଦେବା, ଶିକ୍ଷାନୁଷ୍ଠାନ ରେ ଗଣତାନ୍ତ୍ରିକ -ସାଂସ୍କୃତିକ ପରିବେଶ ସୃଷ୍ଟି କରିବା ତଥା ଗଣମାଧ୍ୟମ ରେ ଆଶ୍ଳୀଳତା ଓ ମଦ ମାଦକ ଦ୍ରବ୍ୟର ପ୍ରଚାରପ୍ରସାର ସମ୍ପୂର୍ଣ୍ଣ ବନ୍ଦ କରିବା ଦାବିରେ ଦୀର୍ଘସ୍ଥାୟୀ ଆନ୍ଦୋଳନ ଗଢ଼ିତୋଳିବାକୁ ଆହ୍ୱାନ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମୃତୁଞ୍ଜୟ ସେନାପତି, ହିମାଂଶୁ ଗୋଛାୟତ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।