ବନୀକରଣ ପାଇଁ ଲକ୍ଷଲକ୍ଷ ବ୍ୟୟ ,ଫଳ ଶୂନ
ପାରଳାଖେମୁଣ୍ଡି, -(ତାରିଣୀ ପ୍ରଶାଦ ପଣ୍ଡା) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ବନୀକରଣ ପାଇଁ ପ୍ରତ୍ୟେକ ବର୍ଷ ଲକ୍ଷଲକ୍ଷ ଟଙ୍କା ବନ ବିଭାଗ ତରଫରୁ ବ୍ୟୟ କରାଯାଉଛି । ତେବେ ରକ୍ଷଣା ବେକ୍ଷଣ ଓ କର୍ମକର୍ତ୍ତାଙ୍କ ହେୟଜ୍ଞାନ ଯୋଗୁଁ ବନୀକରଣ ଫଳ ଶୂନ ହୋଇଛି । ଏହାର ଏକ ନଗ୍ନ ଉଦାହରଣ ହେଉଛି ପାରଳାଖେମୁଣ୍ଡି ରେଳ ଷ୍ଟେସନ ନିକଟରେ କରାଯାଇଥିବା ବନୀକରଣ ପ୍ରକଳ୍ପ । ଏଠାରେ ଲଗାଯାଇଥିବା ଗଛର ରକ୍ଷଣାବେକ୍ଷଣ ଅଭାବରୁ ୨ ବର୍ଷ ମଧ୍ୟରେ ଏହା ବଢିବା ତ ଦୁରର କଥା ଓଲଟି ଏହି ଅଞ୍ଚଳରେ ଗାଇଗୋରୁ ଚରୁଛନ୍ତି । ବନୀକରଣ ପାଇଁ ଜଙ୍ଗଲବିଭାଗ ତରଫରୁ ପ୍ରତିବର୍ଷ ବୃକ୍ଷରୋପଣ କରାଯାଉଛି । ଏହା ବିଦ୍ୟାଳୟ ସ୍ତରଠାରୁ ଆରମ୍ଭ ହୋଇ ସରକାରୀ କର୍ମଚାରୀଙ୍କ ଯାଏ ସବୁସ୍ତରରେ ଏହାକୁ ପାଳନ କରାଯାଇଥାଏ । ହେଲେ ଗଛ ଲଗାଯିବା ପରେ ତାହା ବଢିଲା କି ନାହିଁ ତାହା ଉପରେ କାହାର ନଜର ରହୁନାହିଁ । ପାରଲାଖେମୁଣ୍ଡି ରେଳ ଷ୍ଟେସନ ନିକଟରେ ଦେବଗିରି ବନାଞ୍ଚଳ ପକ୍ଷରୁ ୨୦୧୬-୧୭ ଆର୍ଥିକ ବର୍ଷରେ ୨୨ଶହ ଗଛ ଲଗାଯାଇଥିଲା । ପ୍ରତି ଗଛ ପିଛା ୨ଶହ ଟଙ୍କା ଖର୍ଚ୍ଚ ହିସାବରେ ପ୍ରାୟ ୪ଲକ୍ଷ ୪୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । କିନ୍ତୁ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହା ବଢିବା ତ ଦୂରର କଥା ବର୍ତ୍ତମାନ ଏହା ଗୋରୁଗାଇଙ୍କ ଚରାଭୁଇଁରେ ପରିଣତ ହୋଇଛି । କେବଳ ରେଳ ଷ୍ଟେସନ ନୁହେଁ ପାରଳାଖେମୁଣ୍ଡି ସାରା ସହରରେ ଦୋଳବନ୍ଧ ଛକ,ଫରେଷ୍ଟ ଗେଟ ଠାରୁ ଆରମ୍ଭ କରି ରାଣୀପେଣ୍ଠ ଫରେଷ୍ଟ ଗେଟ ପର୍ଯ୍ୟନ୍ତ ଗଛ ଲଗାଯାଇଛି । କର୍ମକର୍ତ୍ତାଙ୍କ ହେୟଜ୍ଞାନ ଓ ଦାୟିତ୍ୱ ହୀନତାରୁ ଅଧାରୁ ଅଧିକ ଭାଗ ଗଛ ନାହିଁ । ତେଣୁ ବନବିଭାଗ କେବଳ ଲୋକ ଦେଖାଣିଆ ଏଭଳି କାର୍ଯ୍ୟକ୍ରମ କରୁଥିବା ପରି ମନେ ହେଉଛି । ଏ ନେଇ ଦେବଗିରି ବନାଞ୍ଚଳ ଅଧିକାରୀ ଏମ୍.ନରସିଂହଙ୍କ ସହ ଯୋଗାଯୋଗ କରିବାରୁ ଏହି ସମୟରେ ମୁଁ ନଥିଲି । ତେଣୁ ବର୍ତ୍ତମାନ କ’ଣ ହୋଇଛି ତାହା ଉପରେ ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି ।


