ବନ୍ତରେ ପବିତ୍ର ରଥ ଯାତ୍ରା ମହାସମାରୋହରେ ପାଳିତ
ବନ୍ତ(ଯୁଗାଦ୍ଧ ନ୍ୟୁଜ୍) : ଆଜି ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ପବିତ୍ର ରଥ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ବନ୍ତ ପୁରୁଣା ବଜାର ସ୍ଥିତ ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କୁ ଯଥାରୀତି ପୂଜାର୍ଚ୍ଚନା କରାଯାଇ ତ୍ରିଲୋଚନ ପଣ୍ଡାଙ୍କ ଦ୍ୱାରା ଛେରା ପହରା କରାଯାଇଥିଲା । ପରେ ତିନି ଦିଅଁଙ୍କୁ ରଥା ରୁଢ କରାଯିବା ପରେ ଉପସ୍ଥିତ ଭକ୍ତ ମାନଙ୍କ ଦ୍ୱାରା ରଥ ଟଣା କାର୍ଯ୍ୟ ହୋଇଥିଲା । ଏହି ରଥଯାତ୍ରା ଦେଖିବା ପାଇଁ ବନ୍ତ ସମେତ ଆଖପାଖ ପଞ୍ଚାୟତର ଶତାଧିକ ଭକ୍ତ ରୁଣ୍ଡିଭୂତ ହୋଇଥିଲେ । ବନ୍ତ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା । ସେହିପରି ଗଣିଜାଙ୍ଗ ପଞ୍ଚାୟତ ହାସିନପୁରସ୍ଥିତ ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କୁ ରଥାରୂଢ କରାଯାଇ ଗ୍ରାମ ପରିକ୍ରମା ପରେ ମାଉସୀ ମା ମନ୍ଦିରକୁ ନିଆଯାଇଥିଲା । ଏଥିରେ ନାରାୟଣ ଚନ୍ଦ୍ର ବାରିକ ଛେରା ପହରା କରିଥିବା ବେଳେ ଦେବେନ୍ଦ୍ର ପଣ୍ଡା, ସତ୍ୟବ୍ରତ ପଣ୍ଡା, ରବିନ୍ଦ୍ର ପଣ୍ଡା, ଭାଗବତ ପଣ୍ଡା ପୂଜକ ଦାୟୀତ୍ୱ ତୁଲାଇଥିଲେ । କାର୍ଯ୍ୟକ୍ରମରେ ସରପଞ୍ଚ ରଞ୍ଜନ କୁମାର ସାହୁ, ଗଦାଧର ପଣ୍ଡା, ଦୁଃଶାସନ ଗ୍ରହାଚାର୍ଯ୍ୟ, ସନାତନ ବେହେରା, ଶରତ ବେହେରା, ପ୍ରଦୀପ ବେହେରା, ସୁରେନ୍ଦ୍ର ବେହେରା, ନିର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ନିଳୋକ ସ୍ଥିତ ଜଗନ୍ନାଥ ମନ୍ଦିରରେ ଈଶ୍ୱର ଚନ୍ଦ୍ର ପ୍ରଧାନ ଛେରା ପହରା କରିବା ପରେ ଶତାଧିକ ଭକ୍ତ ମାନଙ୍କ ଦ୍ୱାରା ଶ୍ରୀଜୀଉଙ୍କୁ ଖୋଳ, ତାଳ, ଭଜନ, କୀର୍ତ୍ତନ ମାଧ୍ୟମରେ ଟଣା ଯାଇ ମାଉସୀ ମା ମନ୍ଦିରକୁ ନିଆଯାଇଥିଲା । ସେହିପରି ନିମାପଡାସ୍ଥିତ କପାଳୀକ୍ଷେତ୍ରସ୍ଥ ଜଗନ୍ନାଥ ମନ୍ଦିର, ଘରପଦା, କୁମ୍ଭାରିଆ, ଫୁଲଗଢିଆ, ଗୋବିନ୍ଦପୁର, ଅଣ୍ଢିଆ, ତରାଗୋ, ଏରେଣ୍ଡେଇ, ଓଡଙ୍ଗ, ଚାରିଘରିଆ, ଆମ୍ପୋର, ରାମକୃଷ୍ଣପୁର, ରାମପୁର, କେନ୍ଦୁଆପଦା, ଛୟାଳସିଂହ ସମେତ ବିଭିନ୍ନ ସ୍ଥାନରେ ରଥା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ।