ବନ୍ତିଳୋ ଗ୍ରାମରେ ବାସି ରଥଯାତ୍ରା
ଦିନକ ପରେ ହେଲା ରଥଟଣା
ନିମାପଡ଼ା (ଖବର) ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ବନ୍ତିଳୋ ଗ୍ରାମରେ ରଥଯାତ୍ରାରେ ଦେଖିବାକୁ ମିଳିଛି ଏକ ନିଆରା ପରମ୍ପରା। ଉକ୍ତ ଗ୍ରାମରେ ଏକ ଭବ୍ୟ ମନ୍ଦିରରେ ମହାପ୍ରଭୂ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ରା ଓ ଦେବୀ ସୁଭଦ୍ରା ପୂଜା ପାଇ ଆସୁଛନ୍ତି। ଏଠାରେ ଠାକୁରଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ କିନ୍ତୁ ଏକ ନିଆରା ଢଙ୍ଗରେ। ରଥଯାତ୍ରା ବା ଶ୍ରୀ ଗୁଣ୍ଡିଚା ଦିନ ତିନିଠାକୁରଙ୍କୁ ମନ୍ଦିରରୁ ପହଣ୍ଡିରେ ଅଣାଯାଇ ରଥାରୁଢ଼ କରାଯାଇ ଥିଲା କିନ୍ତୁ ରଥଟଣା ହୋଇନଥିଲା। ଆଜି ରଥଟଣା ହୋଇଥିଲା। ରଥ ଜଗନ୍ନାଥ ମନ୍ଦିର ଠାରୁ ବାହାରି ରଥ ପଡିଆ ଦେଇ ଗ୍ରାମବାସୀଙ୍କ ଠାରୁ ଭୋଗ ଖାଇ ଖାଇ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା। ରଥ ପଡିଆ ଉପରେ ମେଳା ଲାଗିଥିଲା। ଶ୍ରୀ ଗୁଣ୍ଡିଚା ପର ଦିନ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏଠାରେ ବହୁ ଜନ ସମାଗମ ହୋଇଥିଲା। ଶ୍ରୀ ଗୁଣ୍ଡିଚା ମନ୍ଦିର ଠାରେ ହେରା ପଞ୍ଚମୀ,ନବମୀ ଦର୍ଶନ ନୀତି ଅନୁଷ୍ଠିତ ହେବାକୁଥିବାବେଳେ ଗ୍ରାମର ପ୍ରାୟ ୩୦୦ ପରିବାର ପାଳି କରି ଠାକୁର ମାନଙ୍କ ନିକଟରେ ଅନ୍ନ ପ୍ରସାଦ ଭୋଗ ଲାଗିକରିବେ ବୋଲି କହିଛନ୍ତି ପୂଜକ ବେଲାଳସେନ ପାଢୀ । ବାହୁଡା଼ ଯାତ୍ରା, ସୁନାବେଶ,
ଅଧରପଣା, ନିଳାଦ୍ରୀବିଜେ ନୀତି ପାରମ୍ପରିକ ପ୍ରଥାନୁସାରେ ଅନୁଷ୍ଠିତ
ହେବ। ଗ୍ରାମର ନୃସିଂହ ମୁଦୁଲିଙ୍କ ପରିବାର ଠାକୁରଙ୍କ ମାଉସୀ ମା ଘର ଭାବେ ପରିଚିତ। ଏଣୁ ବାହୁଡ଼ା ଯାତ୍ରା ଦିନ ତାଙ୍କ ଘର ସମ୍ମୁଖରେ
ଠାକୁର ମାନଙ୍କୁ ପୋଡ଼ ପିଠା ଭୋଗ ଲାଗି କରାଯିବ। ବନ୍ତିଳୋ ଗ୍ରାମରେ ଅନୁଷ୍ଠିତ ହୋଇ ଆସୁଥିବା ରଥ ଯାତ୍ରା ପୁରୀ ଜିଲ୍ଲାର ବାସି ରଥଯାତ୍ରା ଭାବେ ପ୍ରସିଦ୍ଧି ଲାଭ କରି ଆସିଛି କାହିଁ କେତେ କାଳରୁ।