ବନ୍ତ ପଞ୍ଚାୟତ ସମିତିର ୫ମ ସାଧାରଣ ଅଧିବେଶନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଶୁକ୍୍ରବାର ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତିର ୫ମ ସାଧାରଣ ଅଧିବେଶ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ବିଡିଓ ପ୍ରଦୀପ କୁମାର ସେଠୀ, ତହସିଲଦାର ସାରା ହେମ୍ବ୍ରମ, ଏବିଡିଓ ନିଶିକାନ୍ତ ଖୁଣ୍ଟିଆ, ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥ ଯୋଗ ଦେଇଥିଲେ । ଏଥିରେ ଭାରପ୍ରାପ୍ତ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ନିଶାକର ଖୁଣ୍ଟିଆ, ଏ.ସି.ପି ମିତ୍ରଭାନୁ ସ୍ୱାଇଁଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ଏଥିରେ ଲାଇନ ବିଭାଗର ସମସ୍ତ ଅଧିକାରୀ, କର୍ମଚାରୀ ଓ ୨୫ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ମାନେ ଯୋଗ ଦେଇଥିଲେ । ଅପରପକ୍ଷେ ଗ୍ରାମ୍ୟ ଉନ୍ନୟନ, ଜଳସେଚନ, ପୂର୍ତ୍ତ, ଉଠା ଜଳସେଚନ, କୃଷି, ଉଦ୍ୟାନ, ଶିକ୍ଷା, ପ୍ରାଣୀ ଚିକିତ୍ସା ବିଭାଗର ଅଧିକାରୀ ମାନେ ଅନୁପସ୍ଥିତ ଥିବାର ଦେଖାଯାଇଥିଲା । ଏଥିନେଇ ଏସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଗତ ବୈଠକ ୫ ଜୁଲାଇ ୨୦୨୩ରେ ହୋଇଥିବା ଏବଂ ୧୩ ମାସ ପରେ ୫ମ ବୈଠକ ହେଉଥିବାରୁ ଏନେଇ ସାଂସଦ କ୍ଷୋଭ ପ୍ରକାଶ କରିଥିଲେ । ୧୩ ମାସ ମଧ୍ୟରେ ବୈଠକ ହୋଇନଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷର ଆକ୍ସନ ପ୍ଲାନ କିପରି ପ୍ରସ୍ତୁତ କରାଗଲା ବୋଲି ସେଣ୍ଢତୀରା ସମିତି ସଭ୍ୟ ପ୍ରେମାନନ୍ଦ ନାୟକ ପ୍ରଶ୍ନ କରିଥିଲେ । ଆଜିକାର ବୈଠକରେ ଯାହା ଆଲୋଚନା ହେଉଛି ତାହାର ରିଜୋଲେସନ କପି ୭ ଦିନ ମଧ୍ୟରେ ପି.ଆର୍.ଆଇ ମେମ୍ବରଙ୍କୁ ପ୍ରଦାନ କରିବାକୁ ସାଂସଦ କହିଥିଲେ । ବୈଠକରେ ସର୍ବଦା ଶୃଂଖଳା ଓ ସମସ୍ତ ପ୍ରକ୍ରିୟା ପାଳନ କରିବା ଉଚିତ ବୋଲି ସାଂସଦ କହିଥିଲେ । ବିଦୁତ୍ ସମସ୍ୟା ନେଇ କର୍ମଚାରୀଙ୍କୁ ଫୋନ କଲେ ସେମାନେ ଫୋନ ଧରୁନାହାନ୍ତି । ସ୍ମାର୍ଟ ମିଟର ଲଗାଇ ଉପଭୋକ୍ତା ମାନଙ୍କୁ ଶୋଷଣ କରାଯାଉଛି । ୧୧କେଭି ତାରକୁ ପରିବର୍ତ୍ତନ କରାଯାଇ କେବୁଲ ଲଗାଯାଉନାହିଁ । ଏସବୁ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ କହିଥିଲେ । ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଚାଲୁନଥିବା ବେଳେ ଅଯଥାରେ ବିଦ୍ୟୁତ୍ ବିଭାଗ ବିଲ୍ ଆଦାୟ କରୁଛି ବୋଲି କେନ୍ଦୁଆପଦା ସରପଞ୍ଚ ଇଂ.ପ୍ରମୋଦ କୁମାର ଜେନା କହିଥିଲେ । ଏସମ୍ପର୍କରେ ବିଦ୍ୟୁତ୍ ବିଭାଗ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଂସଦ ଓ ବିଧାୟକ ତାଗିଦ କରିଥିଲେ । ଆଗାମୀ ଦିନରେ ଏଥିନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଉଭୟ ସାଂସଦ ଓ ବିଧାୟକ କହିଥିଲେ । ପଞ୍ଚାୟତରେ ଲକ୍ଷ ଲକ୍ଷ ଟଙ୍କା ବିଦ୍ୟୁତ୍ ବିଲ ଦିଆଯାଉଥିବା ବେଳେ ବିଭାଗୀୟ କର୍ମଚାରୀ ବିଦ୍ୟୁତ୍ ସମସ୍ୟାର ସମାଧାନ କରିପାରୁନାହାନ୍ତି ବୋଲି ପୁରୁଷଣ୍ଢ ସରପଞ୍ଚ ପ୍ରକାଶ କୁମାର ବିଶ୍ୱାଳ ଅଭିଯୋଗ କରିଥିଲେ । ପଞ୍ଚାୟତରେ ହାଇମାକ୍ସ ଲାଇଟ୍ ଲାଗିଥିଲେ ମଧ୍ୟ ତାହା ଜଳୁ ନଥିବା ବେଳେ ବିଦ୍ୟୁତ୍ ବିଲ ଲାଗୁଛି ବୋଲି ବିଟିପୁର ସରପଞ୍ଚ ଅଭିଯୋଗ କରିଥିଲେ । ବିଦ୍ୟୁତ୍ ସମସ୍ୟା ନେଇ ଅଧିକାରୀ ମାନଙ୍କୁ କୁହାଯାଉଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନଥିବା ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା କହିଥିଲେ । ଏଥିସହ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ଉଭୟ ପାଶ୍ୱର୍ରେ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ । ଫଲରେ ଶହ ଶହ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହେଉଥିବା କଥା ଶ୍ରୀ ଜେନା କହିଥିଲେ । ୨୫ ପଞ୍ଚାୟତରେ ୧୩ ଜଣ ପିଇଓ ଥିବାରୁ ଉନ୍ନୟନ ମୂଳକ କାର୍ଯ୍ୟ ସଠିକ୍ ଭାବେ ହୋଇପାରୁନାହିଁ । ଏହି ସମସ୍ୟାର ସମାଧାନ କରିବା ପାଇଁ ଶ୍ରୀ ଜେନା ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ହାଇମାକ୍ସ ଲାଇଟ ଜଳୁ ନଥିବା ବେଳେ ବିଦ୍ୟୁତ୍ ବିଲ୍ ଦିଆଯାଉଥିବା ନେଇ ରାମକୃଷ୍ଣପୁର ସରପଞ୍ଚ ଗିରିଧାରୀ ସାହୁ କହିଥିଲେ । ଅଙ୍ଗନୱାଡି କେନ୍ଦ୍ରର ସ୍ଥାୟୀ ଗୃହ ନିର୍ମାଣ ହୋଇପାରୁନଥିବା ସମ୍ପର୍କରେ ବସନ୍ତିଆ ସରପଞ୍ଚ ଅଶୋକ ସାହୁ କହିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁ ପଞ୍ଚାୟତରେ ଭେରିଫିକେସନ ହେଉଛି, ସେତେବେଳେ ସେହି ପଞ୍ଚାୟତରେ ସେହି ପିଇଓ ମାନଙ୍କୁ ଦାୟୀତ୍ୱ ନଦେଇ ପାଖ ପଞ୍ଚାୟତର ପିଇଓଙ୍କୁ ଦାୟୀତ୍ୱ ଦେବା ସହ ସେମାନଙ୍କ ସହିତ ସରପଞ୍ଚଙ୍କୁ ସାମିଲ କରିବାକୁ ସାଂସଦ ପରାମର୍ଶ ଦେଇଥିଲେ । ସମସ୍ତ ବିଭାଗର ଅଧିକାରୀ ଓ ଜନପ୍ରତିିନିଧି ମାନଙ୍କୁ ନେଇ ଏକ ଷ୍ଟାଣ୍ଡିଂ କମିଟି ଗଠନ କରିବାକୁ ସାଂସଦ ପରାମର୍ଶ ଦେଇଥିଲେ । ଚକ୍ରାପାଢୀରୁ ଇଟୁଆ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବା ଏବଂ ଏହା ଆର୍.ଡିକୁ ଯାଇଛି କି ନାହିଁ ଜଣାଇବାକୁ ଚାରିଗାଁ ସମିତିସଭ୍ୟ ଧରଣୀଧର କର ପ୍ରଶ୍ନ କରିଥିଲେ ।