ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ୍ ଟିକା ପ୍ରଦାନରେ ଅବ୍ୟବସ୍ଥା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ୍ ଟିକା ପ୍ରଦାନରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି । ସାଧାରଣ ଲୋକେ ଅନ୍ଲାଇନରେ ପଞ୍ଜୀକରଣ କରି ନପାରି ଅଫଲାଇନରେ ଟିକା ନେବାକୁ ଆସୁଥିବା ବେଳେ ଦାୟୀତ୍ୱରେ ଥିବା କର୍ମଚାରୀ ମାନେ ସେମାନଙ୍କୁ ଫେରାଇ ଦେଉଥିବାର ଅଭିଯୋଗ ହୋଇଛି । ୧୮ରୁ ୪୪ ବର୍ଷର ଯୁବକ, ଛାତ୍ର ଅନ୍ଲାଇନ୍ରେ ଦୀର୍ଘ ୧୫ ଦିନ ହେବ ଆବେଦନ କରୁଥିଲେ ମଧ୍ୟ ସଫଳ ହୋଇପାରୁନାହାନ୍ତି । ଟିକା କେନ୍ଦ୍ର ଦାୟୀତ୍ୱରେ ଥିବା କର୍ମଚାରୀ ମାନେ ଟିକା ଗଛିତ ରଖି ଲୋକ ମାନଙ୍କୁ ଦେଉନଥିବାର ବାଙ୍ଗୋରପଦୀ ଗ୍ରାମର ଅନନ୍ତ ଚରଣ ପୃଷ୍ଟି, କୁଆରଦା ଗ୍ରାମର ରମାକାନ୍ତ ନାୟକ, ଶଙ୍କର୍ଷଣ ଭୋଇ, ଅମର ପୃଷ୍ଟିଙ୍କ ସମେତ ବହୁ ବ୍ୟକ୍ତି ଅଭିଯୋଗ କରିଛନ୍ତି । ଏସମସ୍ତ ଅଭିଯୋଗକାରୀ ମାନେ ଅନ୍ଲାଇନରେ ଆବେଦନ କରି ବିଫଳ ହେବାରୁ ଅଫଲାଇନରେ ଟିକା ନେବା ପାଇଁ ଆସୁଥିବା ବେଳେ ସେମାନଙ୍କୁ ଟିକା ଦିଆଯାଉନାହିଁ । ବନ୍ତ ଟିକାଦାନ କେନ୍ଦ୍ର ପୂର୍ବରୁ ହୋଇଥିଲେ ମଧ୍ୟ ଜିଲା ପ୍ରଶାସନ ଘଟଣାକୁ ଗୁରୁତ୍ୱ ନଦେବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଟିକାକରଣ କେନ୍ଦ୍ର ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଲୋକ ମାନେ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।